ରାଉରକେଲା: ନୂଆ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଦୁଇ ଘରୋଇ ଯାତ୍ରୀବାହୀ ବସ୍ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୁଇଟି ବସ୍ର ପ୍ରାୟ ୬୦% ଜଳି ଯାଇଥିଲା। ଆଜି ଭୋର ୪ଟାରେ ବସ୍ ଦୁଇଟି ଜଳୁଥିବା ଦେଖି ସ୍ଥାନୀୟ ଦୋକାନୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତେବେ ବସ୍ ଦୁଇଟିରେ କେହି ନିଆଁ ଲଗାଇ ଦେଇଛନ୍ତି ନା ଜାଣିଶୁଣି ଏପରି କରାଯାଇଛି ସ୍ପଷ୍ଟ ହୋଇ ନାହିଁ। ଅଘଟଣ ସ୍ଥାନରେ ସିସି ଟିଭି ନଥିବାରୁ ଅଗ୍ନିକାଣ୍ଡ ସୁଚିନ୍ତିତ ଯୋଜନା ନୁହେଁ ତ, ଏମିତି ଅନେକ କଥା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ଲାଣ୍ଟସାଇଟ୍ ପୁଲିସ ବସଷ୍ଟାଣ୍ଡର ଦୋକାନୀ ଓ ପାର୍ଶ୍ଵରେ ଛିଡା ହୋଇଥିବା ବସ୍ ଡ୍ରାଇଭରଙ୍କ ବୟାନ ଆଧାରରେ ଘଟଣାର ତଦନ୍ତ ଚଳାଇଛି। ପରମିଟ୍ ଓ ଇନ୍ୟୁରାନ୍ସ ନଥିବାରୁ ସଞ୍ଜ ଦେବନାଥଙ୍କ ‘ଅଭିଷେକ’ (ଓଆର୍ ୧୪ପି-୩୬୩୩), ଇନ୍ଦରଜିତ୍ ସିଂହଙ୍କ ‘ହାଇୱେ ସଫର’ (ଓଆର୍ ୧୪ ଏକ୍ସ-୯୭୩୭) ନାରେ ଦୁଇଟି ବସ୍ ନୂଆ ବସଷ୍ଟାଣ୍ଡରେ ଗତ ପ୍ରାୟ ୪ ମାସ ହେବ ଛିଡା ହୋଇଥିଲା।
ଅଭିଷେକ ବସ୍ ରଉରକେଲାରୁ ବୀରମିତ୍ରପୁର ଦେଇ ଜରେଇକେଲା, ହାଇୱେ ସଫର ରାଉରକେଲାରୁ ରାଜଗାଙ୍ଗପୁର ଯାଉଥିଲା। ଇନ୍ୟୁରାନ୍ସ ଶେଷ ହୋଇଯିବା ଓ ପରିମିଟ୍ ରିନୁୱାଲ ପାଇଁ ସଞ୍ଜୟ ଓ ଇନ୍ଦରଜିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ପରିମିଟ୍ ପାଇଁ ଅନୁମତି ମିଳୁ ନଥିବାରୁ ବସ୍ ଦୁଇଟି ନୂଆ ବସଷ୍ଟାଣ୍ଡରେ ଛିଡା କରି ଦେଇଥିଲେ। ଆଜି ଭୋର ପ୍ରାୟ ୪ଟାରେ ଏକକାଳୀନ ଦୁଇଟି ବସ୍ ଜଳୁଥିବା ଦେଖି କିଛି ଦୋକାନୀ, ଡ୍ରାଇଭର ଅଗ୍ନିଶମ ବିଭାଗ ଓ ପୁଲିସ ସୂଚନା ଦେଇଥିଲେ।
ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ଲାଣ୍ଟସାଇଟ୍ ପୁଲିସ, ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତିଯ ଅଭିଷେକ ବସ ମାଲିକ ସଞ୍ଜୟ ଏ ସଂକ୍ରାନ୍ତରେ ପ୍ଲାଣ୍ଟସାଇଟ୍ରେ ଲିଖିତ ଅଭିଯୋଗ କରିଛନ୍ତି। ଇନ୍ଦରଜିତ୍ କୌଣସି ଲିଖିତ ଅଭିଯୋଗ କରି ନଥିବା ପୁଲିସ କହିଛି।
ନୂଆ ବସଷ୍ଟାଣ୍ଡ ପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିସି ଟିଭିର ବ୍ୟବସ୍ଥା କରାଯାଇଛି। କିନ୍ତୁ ଅଧିକାଂଶ ସ୍ଥାନରେ ଲାଗିଥିବା ସିସି ଟିଭି ଅଚଳ ହୋଇ ପଡିଛି। ଫକୀରମୋହନ ମାର୍କେଟ ପାର୍ଶ୍ଵ ଅଞ୍ଚଳରେ ସିସି ଟିଭି ଲଗାଇ ଯାଇ ନଥିବାରୁ ଦୋକାନୀ ଓ ବସଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।