କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡିରେ ଥିବା ଟୋଲଗେଟର କର୍ମଚାରୀ ବିଭିନ୍ନ ସମୟରେ ଦାଦାଗିରି ଦେଖାଇ ଆସୁଥିବା ଅଭିଯୋଗ ହେଇଆସୁଛି। ଗତକାଲି ସଂଧ୍ୟାରେ ବର୍ଷା ନାମକ ଏକ ଘରୋଇ ବସ୍‌ର ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିବା ବେଳେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ପ୍ରତିନିଧି ଯୁଗୋଳକିଶୋରୀ ଦାଶଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ଚର୍ଚ୍ଚା ବିଷୟ ହୋଇଛି । ଏହି ଘଟଣାକୁ ନେଇ ଚମ୍ପୁଆ ଉପ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସଦର ଥାନାରେ ୪ ଜଣ ଟୋଲଗେଟ କର୍ମଚାରୀଙ୍କୁ ଜିମାଦେବା ସହିତ ଏତଲା କରିଛନ୍ତି ।

Advertisment

ଚମ୍ପୁଆ ଉପ ଜିଲ୍ଲାପାଳ କହିବା ଅନୁଯାୟୀ ଇଲେକଟ୍ରାଲ ରୋଲ୍ ଅବଜରବର ଶ୍ରୀମତୀ ଦାଶଙ୍କର ଆଜି ଚମ୍ପୁଆ ସବଡିଭିଜନ ପରିଦର୍ଶନ ଥିଲା । ତେବେ ସେ ସେଠାରୁ ଫେରିବା ବେଳେ ବନାଯୋଡି ଟୋଲଗେଟରେ ତାଙ୍କ ଗାଡିକୁ ଅଟକା ଯାଇ ତାଙ୍କଠାରୁ ଜୋରଜବରଦସ୍ତି ଟୋଲଫି ଆଦାୟ କରିବା ସହିତ ତାଙ୍କ ଡ୍ରାଇଭରଙ୍କୁ ଠେଲାପେଲା କରିଥିଲେ । ଏଥିନେଇ ଶ୍ରୀମତୀ ଦାଶ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଡ. ଭକ୍ତଚରଣ ପ୍ରଧାନ ଓ ଚମ୍ପୁଆ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ବନାଯୋଡି ଟୋଲଗେଟକୁ ଯାଇଥିଲେ । ସେଠାରେ ବିନାବ୍ୟାଜରେ ଥିବା ୨ ଜଣ କର୍ମଚାରୀ, ଜଣେ ଗନମ୍ୟାନ ଓ ମ୍ୟାନେଜରଙ୍କୁ ନେଇ ସଦର ଥାନାରେ ଜିମା ଦେଇଥିଲେ ଏବଂ ଏତଲା ଦେଇଥିବା ପ୍ରକାଶ କରିଛନ୍ତି । ତେବେ ପରେ ଏହି ୪ ଜଣଙ୍କୁ ଛାଡ଼ି ଦିଆଯାଇ ଦୁର୍ବ୍ୟବହାର କରିଥିବା ଅନ୍ୟ ୨ ଜଣ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି।

ସେହିପରି ଗତକାଲି ବର୍ଷା ନାମକ ଘରୋଇବସର ଡ୍ରାଇଭର ସହଦେବ ସାହୁଙ୍କୁ ଟୋଲଗେଟ କର୍ମଚାରୀ ସଂଘବଦ୍ଧ ଆକ୍ରମଣ କରିଥିଲେ । ଟୋଲ ପ୍ଲାଜ଼ାରେ ୫ ଟି ଲାଇନ ଥିବା ବେଳେ କେବଳ ଗୋଟିଏ ଲାଇନ ଖୋଲା ରଖି କର୍ମଚାରୀ ମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଫଳରେ ପ୍ରତିଦିନ ନାହିଁ ନଥିବା ରାସ୍ତା ଜାମ ହେଉଛି। ଏପରିକି ଯାତ୍ରୀବାହୀ ବସ ଅଗ୍ରିମ ଟୋଲ କିସ୍ତି ଦାଖଲ କରିଥିଲେ ମଧ୍ୟ ଘଣ୍ଟା ଘଣ୍ଟା ପଡି ରହୁଛନ୍ତି। ରାସ୍ତାଜାମର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ନିରାଵଦ୍ରଷ୍ଟା ସାଜୁଛି। ଗତକାଲି ରାତି ଭୁବନେଶ୍ୱରରୁ ରିମୁଳି ଯାଉଥିବା ବର୍ଷା ନାମକ ଘରୋଇ ବସ ଅଗ୍ରିମ ଟୋଲ ପୈଠ କରିଥିବା ବେଳେ କାହିଁକି ଭିଆଇପି ଲେନରେ ଗାଡି ଆଣିଲ କହି ଟୋଲଗେଟ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଏହାର ପ୍ରତିବାଦ କରିବାରୁ ମିଳିତ ଭାବେ ଆକ୍ରମଣ କରିଥିଲେ ।

ଜାତୀୟ ରାଜପଥ ଉପରେ ଥିବା ଟୋଲଗେଟରେ ୩ ମିନିଟ ରୁ ଅଧିକ ସମୟ ବିଳମ୍ବ ହେଲେ ମାଗଣାରେ ଛାଡିବାର ନିୟମ ଥିଲେ ମଧ୍ୟ ପ୍ରତିଦିନ ଟୋଲ୍ ଗେଟରେ କୋଡ଼ିଏ ରୁ ପଚିଶ ମିନିଟ ବିଲମ୍ବ ହେଉଥିବା ଲକ୍ଷ୍ୟ କରାଯାଉଛି। ପାସେଞ୍ଜର ଗାଡି ପାଇଁ ଏଠାରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉନାହିଁ। ଆଜି ବର୍ଷା ବସର ମାଲିକ ମଧୁମିତା ମିଶ୍ର ଓ ଘରୋଇ ବସ ମାଲିକ ସଂଘର ବରିଷ୍ଠ କର୍ମକର୍ତ୍ତା ଜିଲ୍ଲାପାଳ ଆଶିଷ ଠାକରେ , ଜିଲ୍ଲା ପରିବହନ ଅଧିକାରୀ, ଏସ୍‌ପି ମିତ୍ରଭାନୁ ମହାପାତ୍ର ଓ ସଦର ଥାନାରେ ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।