ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଟୁନିଆଁମୁଣ୍ଡା ଗାଁ ନିକଟରେ ରବିବାର ସନ୍ଧ୍ୟାରେ ଏକ ବରଯାତ୍ରୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହେବା ଲାଗି ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଗ୍ରାମବାସୀ, ପୁଲିସ, ଅଗ୍ନିଶମ କର୍ମଚାରୀ ଦୁଇଟି ଆମ୍ବୁଲାନ୍‌ସରେ ଆହତ ବ୍ୟକ୍ତିମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟମାନେ ଖଣ୍ଡିଆ ଖାବରା ହୋଇଥିବା ପ୍ରକାଶ।

Advertisment

publive-image

ପ୍ରାପ୍ତ ସୂଚନାରୁ ଅନୁଯାୟୀ, ରବିବାର ଡୁଙ୍ଗୁରିପାଲି ଥାନା ଟୁନିଆଁମୁଣ୍ଡା ଗ୍ରାମର ରାମ ନାଗଙ୍କ ଝିଅ ସହ ଲୋଇସିଂହା ଥାନା କୁମୁଡ଼େ ଗ୍ରାମର ବିଭୂତି ନନ୍ଦଙ୍କ ବାହାଘର ଥିଲା। ଏହି ଅବସରରେ କୁମୁଡ଼େ ଗ୍ରାମରୁ ୫୦ରୁ ୬୦ ବରଯାତ୍ରୀଙ୍କୁ ଧରି କୁମୁଦିନୀ ନାମକ ବସ୍‌ (ଓଆର୍‌-୦୩ଜେ-୨୮୨୮) ବାହାରିଥିଲା। ଭୋଜି ଖାଇସାରି ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ଗାଁଠାରୁ କିଛି ଦୂର‌ରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ନିରଂଜନ ଛତ୍ରିଆ(୨୩), ଜଗତ ରଂଜନ କୁମ୍ଭାର(୩୦), କଲାନିଧି କୁଅଁର(୪୫), ଧ୍ରୁବ ଜାଲ(୫୫), ଯୁବ ଜାଲ (୫୬), ସୁଶୀଲ ନନ୍ଦ (୩୦) ଓ ସୁବାସ କୁମ୍ଭାର(୫୫)ଙ୍କ ସହ ୧୦ ଜଣ ବ୍ୟକ୍ତି ଆହତ ହୋଇଥିବା ପ୍ରକାଶ। ଏଥିରେ ଜଣେ ଶିଶୁର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

publive-image

ଆହତମାନଙ୍କ ମଧ୍ୟରୁ ସୁଶୀଲ ଓ ଯୁବଙ୍କୁ ବଲାଙ୍ଗୀର ଭୀମ ‌ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସକୁ ଦେଖି ଅନ୍ୟ ବରଯାତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଷ୍ଟିୟରିଂ ଜାମ ହୋଇଯିବା ଯୋଗୁଁ ବସ୍‌ ଓଲଟି ପଡ଼ିଥିବା ଡ୍ରାଇଭର ଦିଗାମ୍ବର ମୁଗ୍ରି(୪୯) କହିଛନ୍ତି।