ନୀଳଗିରି: ନୀଳଗିରି ଏନ୍‌ଏସି ପରିସରରେ ଅଚଳ ପଡ଼ିଥିବା ଏକ ବସ୍‌ ଉଭାନ୍‌ ହୋଇଗଲା। ଗୋଟିଏ ପଟେ ଜଗୁଆଳି କାରଣ ଦର୍ଶାଅ ନୋଟିସ୍‌ ପାଇ ଦେଇଥିବା ଜବାବ ଆଧାରରେ ଏହା ଚୋରି ହୋଇ ଯାଇଥିବା ନେଇ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା ବେଳେ ଅନ୍ୟପଟେ ଜଗୁଆଳି ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଜାଣତରେ ଉକ୍ତ ବସ୍‌ ବିକ୍ରି ହୋଇଛି ବୋଲି ଏକ ଗଣମାଧ୍ୟମକୁ ବୟାନ ଦେଇଛନ୍ତି। ଫଳରେ ଘଟଣାଟି ବିବାଦୀୟ ହୋଇପଡ଼ିଛି। ନୀଳଗିରି ଏନ୍‌ଏସି ପକ୍ଷରୁ ଓଆର୍‌-୦୧-୯୪୯୩ ନମ୍ବରର ଏକ ବସ୍‌ ୧୯୮୪-୮୫ ମସିହାରେ ଚଳାଚଳ ଆରମ୍ଭ କରିଥିଲା। ଏହି ବସ୍‌ଟି ନୀଳଗିରିରୁ ବାଲେଶ୍ବର ଯାତ୍ରୀ ପରିବହନ କରୁଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବସ୍‌ଟି ଅଚଳ ହୋଇ ଏନ୍‌ଏସି ପରିସରରେ ୨୦୦୦ ମସିହାରୁ ପଡ଼ିରହିଥିଲା। ତେବେ ଗତ ୨୮ ତାରିଖ ଦିନ ଆଉ ବସ୍‌ଟିକୁ ଦେଖିବାକୁ ମିଳିନଥିଲା। କେହି କେହି ଏହା ଚୋରି ହୋଇ ଯାଇଥିବା କହିଥିବା ବେଳେ କେହି କେହି ଏହାକୁ ବିକ୍ରି କରିଦିଆଯାଇଛି ବୋଲି କହିଥିଲେ। ତେବେ ଆଜି ନିର୍ବାହୀ ଅଧିକାରୀ ଅକ୍ଷୟ ରଞ୍ଜନ ବଡୁ ବସ୍‌ଟି ଚୋରି ହୋଇ ଯାଇଥିବା ନେଇ ନୀଳଗିରି ଥାନାରେ ଏତଲା ଦେଇଛନ୍ତି।

Advertisment

କର୍ତ୍ତୃପକ୍ଷଙ୍କ କାରଣ ଦର୍ଶାଅ ନୋଟିସ୍‌ର ଜବାବରେ ଚୋରି ଦିନ ଶରୀର ଅସୁସ୍ଥ ଯୋଗୁଁ ଜଗୁଆଳି ଅନନ୍ତ ସେଠୀ କାର୍ଯ୍ୟରେ ଅନୁପସ୍ଥିତ ଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି। କାରଣ ଜଗୁଆଳି ଶ୍ରୀ ସେଠୀ ରଖିଥିବା ନୋଟିସ୍‌ର ଜବାବ ଏବଂ ଏକ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟରେ ତାଳମେଳ ନାହିଁ। ଗୋଟିଏ ପଟେ ଚୋରି ଦିନ ଦେହ ଅସୁସ୍ଥ ଯୋଗୁଁ ସେ କାର୍ଯ୍ୟରେ ଅନୁପସ୍ଥିତ ଥିଲେ ବୋଲି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଗଣମାଧ୍ୟମକୁ ଦେଇଥିବା ବୟାନରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ବସ୍‌ଟି ବିକ୍ରି ହୋଇଥିବା କହିଛନ୍ତି। ଯାହାଫଳରେ ସଂପୂର୍ଣ୍ଣ ଘଟଣା ଏବେ ବିବାଦୀୟ ହୋଇପଡ଼ିଛି। ଏ ନେଇ ନଗରପାଳ ଅମ୍ବିକା ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଜଗୁଆଳି ଶ୍ରୀ ସେଠୀ ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ଦେଇଥିବା ବୟାନ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ନିଜ ଦୋଷ ଘୋଡ଼ାଇବାକୁ ଯାଇ ଜଗୁଆଳି ବାହାନା ଦେଖାଉଛନ୍ତି। ପୁଲିସ ସିସିଟିଭି ଆଧାରରେ ତଦନ୍ତ କଲେ କ୍ଷୀର ପାଣି ଅଲଗା ହୋଇଯିବ ଓ ଦୋଷୀ ଧରାପଡ଼ିବେ ବୋଲି ଶ୍ରୀମତୀ ଦାସ କହିଛନ୍ତି।