ଜୟପୁର: ଜୟପୁର ଓଏସଆରଟିସି ଜୟପୁର ଜୋନରେ ଖତ ଖାଉଛି ୧୦ଟି ବସ। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ବସ ଗୁଡିକ ଖତ ଖାଇ ଗଲାଣି। ସ୍ଥାନୀୟ କାଳିଆ ପେଟ୍ରୋଲ ଟାଙ୍କି ପାର୍ଶ୍ବରେ ୭ଟି ଓ ନୂଆ ବସଷ୍ଟାଣ୍ଡ ପରିସରରେ ଆଉ ୩ଟି ବସ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। କୋଭିଡ଼ ଆସିବା ପର ଠାରୁ ବସ ଗୁଡ଼ିକ ଅପରୋଡ଼ କରାଯାଇଥିଲା। କିଛି ବସ ପ୍ରବାସୀ ଶ୍ରମିକଙ୍କୁ ଆଣିବାକୁ ନିୟୋଜିତ କରାଯାଇଥିବା ବେଳେ ବଳକା ବସ ଗୁଡିକ ଗ୍ୟାରେଜ ଗୁଡିକରେ ସେଭଳି ପଖାଇ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଅନରୋଡ଼ କରିବା ସମୟରେ ବହୁ ବସର ଯନ୍ତ୍ରାଂଶ ଗୁଡିକ କଳଙ୍କି ଖାଇ ଆଉ ଚାଳୁ ନଥିବା ଦେଖିବାକୁ ମିଳିଥିଲା। ଦୁଇବର୍ଷ ଧରି ବସ ଗୁଡିକ ନ ଚାଳିବା ଫଳରେ ବସର ଟାୟର ଗୁଡିକ ବି ନଷ୍ଟ ହେବାରେ ଲାଗିଥିଲା। ପରବର୍ତ୍ତୀ ସମୟରେ ଧିରେ ଧିରେ ବସ ଗୁଡିକ ଚାଳୁଥିଲେ ହେଁ ଯନ୍ତ୍ରାଂଶ ମରାମତି ସଠିକ ଭାବେ କରା ନଯିବା ଫଳରେ ବହୁ ବସ ଚଳାଚଳ ବନ୍ଦ ହୋଇ ଯାଇଥିଲା। ରାଜ୍ୟସରକାର ନୂଆ ବସ ଦେବା ପରେ ସେହି ପୁରୁଣା ରୁଟରେ ନୂଆ ବସ ଚଳାଚଳ କରୁଛି। ଏପରିକି ୪ବର୍ଷ ତଳେ ନୂଆରେ ଆସିଥିବା ଅଲଟ୍ରା ବସ ଓ ଟାଟା ଏସି ବସ ବି ଏବେ ମରାମତି କରା ନ ଯିବା ଫଳରେ ଖତ ଖାଇବାକୁ ଅବସ୍ଥା ପଳାଇ ଆସିଲାଣି।

Advertisment

ଏପରିକି ସମ୍ପ୍ରତି ଚାଳିଥିବା ବହୁ ବସ ଗୁଡିକର ସିଟ୍ ଗୁଡିକର ଅବସ୍ଥା ନ କହିବା ଭଲ। ଆଉ ବହୁ ବସର ଯନ୍ତ୍ରାଂଶ ଗୁଡିକ ବି ଆଡଜେଷ୍ଟମ୍ୟାଣ୍ଟରେ ଚାଳିଥିବା କହିଛନ୍ତି କିଛି କର୍ମଚାରୀ। ଏଭଳିକି ଗୋଟିଏ ବସର ପୁରୁଣା ତଥା‌ ବ୍ୟବହୃତ ଟାୟର ଆଣି ଅନ୍ୟ ବସରେ ଲଗାଯାଉଥିବା ବି କର୍ମଚାରୀ ମାନେ କହିଛନ୍ତି। ଏପରିକି ବହୁ ବସର ଗିୟରବକ୍ସରେ ମରାମତି ମାଗୁଥିଲେ ହେଁ ମରାମତି କରାଯାଉନଥିବା ଅଭିଯୋଗ ଉଠିଛି। କେବଳ ପୁରୁଣା ବସକୁ ନୂଆ ରଙ୍ଗ ମାଖି ଚଳାଯାଉଥିବା କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। ଏପରିକି ଯନ୍ତ୍ରାଂଶ ଓ ଟାୟର ଆଦି ସଜାଡ଼ୁ ନଥିବାରୁ ବହୁ ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛୁ ବୋଲି କହିଛନ୍ତି କିଛି କର୍ମଚାରୀ। ପୂର୍ବରୁ ବହୁ ବସର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ନୂଆରେ ଦାୟିତ୍ବ ନେବା ପରେ ଜୋନର ବହୁବସକୁ ସଜାଡିବା ସହ ଏବେ ଅଧିକାଂଶ ରୁଟରେ ବସ ଚାଳୁଛି ବୋଲି କହିଛନ୍ତି ଡିଟିଏମ ଶ୍ରୀନିବାସ ପାଣିଗ୍ରାହୀ। ଉତ୍ତରଦାୟିତ୍ବ ନେଇ କର୍ମଚାରୀ ମାନେ କାମ କରିନଥିବାରୁ ବସ ଗୁଡିକର ଅବସ୍ଥା ଏଭଳି ହୋଇଛି। ସମ୍ପ୍ରତି ସବୁ ବସର ଉପଯୁକ୍ତ ତଦାରଖ, ଦେଖାରଖା, ରକ୍ଷଣାବେକ୍ଷଣ କରି ରୁଟରେ ଛଡ଼ା ଯାଉଛି ବୋଲି କହିଛନ୍ତି ଡିଟିଏମ।