ଆନ୍ଧ୍ର ରୁଟରେ ଘରୋଇ ବସ ଚଳାଚଳ ବନ୍ଦ: ଜୟପୁର ରେଳ ଷ୍ଟେସନରୁ ରୋଗୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କ ଯାତ୍ରା କରିବା ଅଭିଶାପ

ଜୟପୁର: ଗତ କିଛି ମାସ ହେବ ପଡୋଶୀ ଆନ୍ଧ୍ର ରୁଟ ଦେଇ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ଯାଉଥିବା ସମସ୍ତ ଘରୋଇ ବସ ଗୁଡିକ ଚଳାଚଳ ବନ୍ଦ ଅଛି। ଫଳ ସ୍ବରୁପ ଅବିଭକ୍ତ କୋରାପୁଟ ଜିଲ୍ଲାର ଯାତ୍ରୀ ମାନେ ଏବେ ଟ୍ରେନ ଯାତ୍ରାକୁ ପ୍ରାଥମିକତା ଦେଉଛନ୍ତି। ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ଯାତ୍ରୀଙ୍କୁ ସୁବିଧା କଥା ରେଳବିଭାଗ ଚିନ୍ତା କରୁନଥିବା ଦେଖିବାକୁ ମିଳିଛି। ଅବ୍ୟବସ୍ଥାରେ ଅନୁସଙ୍ଗିକ ଭିତ୍ତିଭୂମି ଠିକ ନଥିବା ଜୟପୁର ରେଳଷ୍ଟେସନରେ ୨ନଂ ପ୍ଲାଟପର୍ମରୁ ସବୁ ଟ୍ରେନ ଛାଡୁଛି। ବିଭିନ୍ନ ‌ରକମର ରୋଗୀ, ବୃଦ୍ଧ, ଭିନ୍ନକ୍ଷମ ଓ ବୟସର ଅପରାହ୍ନରେ ଥିବା ଯାତ୍ରୀଙ୍କ ପାଇଁ ଜୟପୁରରୁ ଯାତ୍ରା କରିବା ନରକ ଯାତନା ସହ ଅଭିଶାପ ପାଲଟିଛି ବୋଲି ଯାତ୍ରୀ ଓତାଙ୍କ ପରିବାରସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଖାସକରି ବର୍ଷା ଠିକେ ହୋଇଗଲେ ଯାତ୍ରୀଙ୍କ ଏହି ଅସୁବିଧା ଦ୍ବିଗୁଣିତ ହୋଇଯାଉଛି। ପ୍ରକାଶଯୋଗ୍ୟ, ନୂଆରେ ୨ନଂ ପ୍ଲାଟପର୍ମ ନିର୍ମାଣ କରାଯାଇଛି। ଏଥିରେ ଖୋଲା‌ମେଲା ଛୋଟିଆ ସେଡ୍ ସହ ୧ନଂ ପ୍ଲାଟପର୍ମରୁ ୨ନଂ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ ଓଭର ବ୍ରିଜ୍ କରାଯାଇଛି।

ତେବେ ଏହି ଫୁଟ ଓଭରବ୍ରିଜରେ ରେଳବିଭାଗ ରୋଗୀ, ବୃଦ୍ଧ, ବୟସ୍କ ଓ ଭିନ୍ନକ୍ଷମ ମାନଙ୍କୁ ନଜରରେ ରଖି ରେମ୍ପ ନିର୍ମାଣ କରିବା, ଟ୍ରାଇସାଇକେଲ କିମ୍ବା ବ୍ୟାଟେରିଚାଳିତ ଗାଡ଼ି, ଷ୍ଟ୍ରେଚର ଆଦି ଜରୁରୀ ବ୍ୟବସ୍ଥା କିଛି କରିନାହିଁ। ଓଭରବ୍ରିଜରେ ରେମ୍ପ ନଥିବାରୁ ପ୍ଲାଟପର୍ମ ନଂ-୨କୁ ଯିବା ପାଇଁ ଏହି ସ୍ଥିତିରେ ବହୁ କଷ୍ଠରେ ଜଣେ ବୃଦ୍ଧା, ଜଣେ ରୋଗୀ ଏବଂ ଜଣେ ଭିନ୍ନକ୍ଷମ ବହୁ କଷ୍ଠରେ ଓଭର ବ୍ରିଜ୍ ଚଢ଼ିବା ଏବଂ ଓହ୍ଲାଇ ଯାଉଥିବା ଦେଖିବାକୁ ମିଳିଥିଲା। ପରିବାରବର୍ଗ ବହୁ କଷ୍ଠରେ ହାତକୁ ଧରି ନେଉଥିବା ଦେଖିବାକୁ ମିଳିଥିଲା। ଏଭଳିକି ଜଣେ ଦୁର୍ଘଟଣାଗ୍ରସ୍ତ ‌ଏବଂ ଗୁରୁତର ସ୍ନାୟୁଗତ ସମସ୍ୟାରେ ଥିବା ହରେକୃଷ୍ଣ ମହାପାତ୍ରଙ୍କୁ ଭୁବନେଶ୍ବର ଏଇମସକୁ ନେବା ପାଇଁ ପରିବାରବର୍ଗ ଜୟପୁର ଷ୍ଟେସନକୁ ଆସିଥିଲେ। ତେବେ ୧ନଂ ପ୍ଲାଟଫର୍ମରୁ ଓଭରବ୍ରିଜ୍ ଚଢ଼ାଇ ନେବା ସେମାନଙ୍କ ପାଇଁ ସମ୍ଭବ ପର ହୋଇ ପାରି ନଥିଲା।

Sambad

ପରିବାରବର୍ଗ ଭଡ଼ା ଗାଡି କରି ଉକ୍ତ ବ୍ୟକ୍ତିଙ୍କୁ କୋରାପୁଟ ଷ୍ଟେସନ ନେଇ ସେଠାରୁ ଭୁବନେଶ୍ବର ନେଇଥିବା କହିଛନ୍ତି। ଅଯଥାରେ ଅଧିକା ଖର୍ଚ୍ଚାନ୍ତ ହେବାକୁ ଏହି ପରିବାରକୁ ପଡ଼ିଛି। ଜୟପୁର ଦେଇ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ, ସମଲେଶ୍ବରୀ, ରାଉରକେଲା, କିରଣ୍ଡଲ ଓବିଶାଖାପାଟଣା ଆଦି ଟ୍ରେନ ଜୟପୁରରୁ ଯିବା ସମୟରେ ୨ନଂ ପ୍ଲାଟପର୍ମରେ ରହୁଥିବା ବେଳେ ଫେରିବା ସମୟରେ ୧ନଂ ପ୍ଲାଟଫର୍ମରେ ଲାଗୁଛି। ବର୍ଷା‌ ହେଲେ ଯାତ୍ରୀ ମାନଙ୍କ ଦୁର୍ଦ୍ଧଶା ବଢ଼ୁଥିବା ବି ଦେଖିବାକୁ ମିଳିଛି। ବର୍ଷାରେ ଓଦା ହୋଇ ସେଭଳି ଠିଆ ହୋଇ ରହିବାକୁ ପଡ଼ୁଛି। ୨ନଂ ପ୍ଲାଟପର୍ମର ସଂପୁର୍ଣ୍ଣ ଅନୁସଙ୍ଗିକ ଭିତ୍ତିଭୁମି ସଜାଡ଼ା ନଯିବା ପର୍ୟ୍ୟନ୍ତ ୧ନଂ ପ୍ଲାଟପର୍ମରେ ହିଁ ସବୁ ଟ୍ରେନ ଆସିବା ଏବଂ ଯିବା ବ୍ୟବସ୍ଥା କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ସମସ୍ୟା ଗୁଡିକ ସଂପର୍କରେ ଇଷ୍ଟକୋଷ୍ଟ ରେଳବିଭାଗର ବିଶାଖାପାଟଣାର ଡିଆରଏମ ଓ ଭୁବନେଶ୍ବର ଡିଭିଜନ କାର୍ଯ୍ୟାଳୟଙ୍କୁ ବି ସେ ଅବଗତ କରିଛନ୍ତି ବୋଲି କହିଛନ୍ତି ଜୟପୁର ରେଳଷ୍ଟେସନର ଷ୍ଟେସନ ମ୍ୟାନଜର ଜୋହନ କୁଜୁର। ଉଚ୍ଚକର୍ତ୍ତୃପକ୍ଷ ହିଁ ଯାହା କିଛି ପଦକ୍ଷେପ ନେଇ ପାରିବେ ବୋଲି କହିଛନ୍ତି ଷ୍ଟେସନ ମ୍ୟାନଜର।

ସମ୍ବନ୍ଧିତ ଖବର