ସୁନ୍ଦରଗଡ଼ : ସହର ମଧ୍ୟରେ ସମସ୍ତ ପ୍ରକାର ଯାତ୍ରୀବାହୀ ବସ୍ ଚଳାଚଳ ଉପରେ କଟକଣା ରହିଛି। ବଢ଼ିଥିବା ଟ୍ରାଫିକ ସମସ୍ୟା ଓ ସହର ବାହାରେ ଲୋହରାଢିପା ବସ ଟର୍ମିନାଲକୁ ବସଷ୍ଟାଣ୍ଡ ଉଠିଯିବା ପରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ବସଗୁଡ଼ିକୁ ବାଇପାସ ଦେଇ ବସ ଟର୍ମିନାଲ ଯିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ କିଛି ଦିନ ହେଲା ସାଧାରଣ ବସ୍ ଠାରୁ ଏକ୍ସପ୍ରେସ ବସଗୁଡ଼ିକ ସହର ଭିତରେ ପ୍ରବେଶ କରୁଥିବା ଦେଖାଯାଇଛି। ଯେଉଁଥିପାଇଁ ସହରରେ ପୁଣି ଟ୍ରାଫିକ ସମସ୍ୟା ଦେଖାଦେଲାଣି। ତେବେ କଟକଣା ଥିବା ସତ୍ତ୍ବେ ସହର ଭିତରେ ବସ ପ୍ରବେଶକୁ କିଏ ଅନୁମତି ଦେଇଛନ୍ତି ନା ବସ ମାଲିକମାନେ ମନମର୍ଜିରେ କଟକଣାକୁ ଅବମାନନା କରି ଚଲାଉଛନ୍ତି, ତାକୁ ନେଇ ସହରବାସୀଙ୍କ ମନରେ ଉଠିଛି ପ୍ରଶ୍ନ। ନୂଆ ବସ ଟର୍ମିନାଲ ତିଆରି ହେବା ପରେ ରାଉରକେଲା ଓ ସମ୍ବଲପୁର, ଝାରସୁଗୁଡ଼ାରୁ ଆସୁଥିବା ବସଗୁଡ଼ିକ ଆଉ ସହର ଭିତରେ ନପଶି ସିଧା ବିଜୁ ଏକ୍ସପ୍ରେସ ୱେରେ ସେଠାକୁ ଯାଉଥିଲା। କେବଳ ଟାଉନଥାନା ରାସ୍ତା ଦେଇ ଲେଫ୍ରିପଡ଼ା, ହେମଗିର, କନିକା, ବେଲପାହାଡ଼, ଦର୍ଲିପାଲି ଯାଉଥିବା ସାଧାରଣ ବସଗୁଡ଼ିକୁ ସହର ଭିତରକୁ ପ୍ରବେଶ ଅନୁମତି ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ। ତେବେ ରାଉରକେଲା- ଝାରସୁଗୁଡ଼ା-ସମ୍ବଲପୁର ଚଳାଚଳ କରୁଥିବା ଏକ୍ସପ୍ରେସଗୁଡ଼ିକର ସହର ପ୍ରବେଶ ଉପରେ ରୋକ ଥିବାରୁ ଟ୍ରାଫିକ ଭିଡ଼ ବହୁ ମାତ୍ରାରେ ହ୍ରାସ ପାଇଥିଲା। କିନ୍ତୁ ଏବେ କିଛି ଦିନ ହେଲା କଟକଣାକୁ ଫୁ’ କରି ଦେଇଛନ୍ତି ବସ ମାଲିକମାନେ। ଯେଉଁଥିପାଇଁ ପୁଣିଥରେ ସହରରେ ଟ୍ରାଫିକ ଭିଡ଼ ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା, ଆଞ୍ଚଳିକ ପରିବହନ ବିଭାଗ ଆଖିରେ ଏହା ପଡ଼ୁଥିଲେ ମଧ୍ୟ ସେମାନେ ନ ଦେଖିଲା ଭଳି ରହୁଛନ୍ତି। ପରୋକ୍ଷରେ ବିଭାଗ ସହର ପ୍ରବେଶ ପାଇଁ ଅନୁମତି ଦେଇଥିବା ଚର୍ଚ୍ଚା ହେଉଛି। ଆଗକୁ ସହର ଭିତରେ ବସଜନିତ କୌଣସି ଅଘଟଣା ଘଟିବା ପୂର୍ବରୁ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବ ପରି ସହର ଭିତରକୁ ବସଗୁଡ଼ିକର ପ୍ରବେଶ ରୋକିବାକୁ ସହରବାସୀଙ୍କ ପକ୍ଷରୁ ଦାବି ଉଠିଛି।
ସହର ଭିତରେ ବସ ଚଳାଚଳ ପାଇଁ ଅନୁମତି ଦେଲା କିଏ !
/sambad/media/post_attachments/wp-content/uploads/2021/09/WhatsApp-Image-2021-09-30-at-21.31.54.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)