ବାରିପଦା: ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗୁଥିଲା ଗହଳଚହଳ। ହଜାର ହଜାର ଲୋକଙ୍କ ସମାଗମ ଘଟୁଥିଲା। ମାତ୍ର ଆଜି ସବୁ ଶୂନଶାନ, ଖାଁ ଖାଁ। ଏପରି ପରିସ୍ଥିତି ହୋଇଛି ବାରିପଦା ବସଷ୍ଟାଣ୍ଡ। କରୋନା କାରଣରୁ ହୋଇଥିବା ଲକ୍ଡାଉନ ଫଳରେ ବନ୍ଦ ହୋଇଯାଇଛି ମୟୂରଭଞ୍ଜର ପ୍ରାୟ ୪୫୦ରୁ ଉର୍ଦ୍ଧ୍ୱ ବସ୍। ବାରିପଦା, ଉଦଳା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ଆଦି ସ୍ଥାନକୁ ମିଶାଇ ଜିଲ୍ଲାରେ ପ୍ରାୟ ୪୫୦ ବସ୍ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ସହିତ କୋଲକତା, ଟାଟା ଓ ରାଞ୍ଚି ଭଳି ଅନ୍ତଃରାଜ୍ୟ ପରିବହନରେ ନିୟୋଜିତ ଅଛନ୍ତି ଏହି ବସ୍। ମୟୂରଭଞ୍ଜ ବସ୍ ମାଲିକ ସଂଘ ଅଧିନରେ ପ୍ରାୟ ୧୨୨ଜଣ ମାଲିକ ରହିଥିବା ବେଳେ ଜିଲ୍ଲାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଘରୋଇ ବସ୍ ମାଲିକ ରହିଛନ୍ତି।
ଆଉ ଏହି କ୍ଷେତ୍ରରେ ଜିଲ୍ଲାରୁ ପ୍ରାୟ ୨ହଜାର ପ୍ରତ୍ୟେକ୍ଷ ଏବଂ ୫ହଜାର ପରୋକ୍ଷ କର୍ମଚାରୀ ନିୟୋଜିତ ଥିଲେ। ମାତ୍ର ଲକ୍ଡାଉନ ଦିନରୁ ବେରୋଜଗାର ହୋଇପଡ଼ିଛନ୍ତି ଏହି କ୍ଷେତ୍ର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୭ହଜାରରୁ ଉର୍ଦ୍ଧ୍ୱ ଡ୍ରାଇଭର୍, କଣ୍ଡକ୍ଟର୍, ହେଲ୍ପରଙ୍କ ସହିତ ବୁକିଂ କର୍ମଚାରୀ, ଗାଡି ସଫା କରୁଥିବା ଶ୍ରମିକ, ବସଷ୍ଟାଣ୍ଡ ସୁପରଭାଇଜର୍, ମ୍ୟାନେଜର୍, ଗ୍ୟାରେଜ୍ କର୍ମଚାରୀଙ୍କ ପରିବାର ଦୁର୍ଦ୍ଦଶା ଦେଇ ଗତିକରୁଛନ୍ତି। ଆଜକୁ ମାସେ ଦଶଦିନରୁ ଉର୍ଦ୍ଧ୍ୱ ହେବ ବେରୋଜଗାର ହୋଇ ଘରେ ବସିଛନ୍ତି। ଏମାନଙ୍କ ମଧ୍ୟରୁ କିଛି କିଛି ନିଜର ବେଉସା ପରିବର୍ତ୍ତନ କରିଦେଇଛନ୍ତି। ମାତ୍ର ଅଧିକାଂଶ ବର୍ତ୍ତମାନ ବେକାର।
କିଛିଦିନ ସମ୍ଭାଳିବା ପରେ ମାଲିକମାନେ ମଧ୍ୟ ବର୍ତ୍ତମାନ ହାତ ଟେକିଦେଲେଣି। କିପରି ପରିବାର ଚଳିବ ସେଚିନ୍ତାରେ ରାତିରେ ନିଦ ହେଉନଥିବା କହିଛନ୍ତି ଏକ ଘରୋଇ ବସ୍ର କର୍ମଚାରୀ ସୁବାଷ ପାତ୍ର। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ୟାକେଜ୍ ଘୋଷଣା କରିଛନ୍ତି। ତେଣୁ ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ କଥା ନବୁଝିଲେ ହଜାର ହଜାର ପରିବାର ରାସ୍ତାକୁ ଆସିଯିବେ ବୋଲି କହିଛନ୍ତି ଏକ ଘରୋଇ ବସ ଡ୍ରାଇଭର୍ ଭାବେ କାର୍ଯ୍ୟକରୁଥିବା ସନାତନ ମାରାଣ୍ଡି।
ସେହିପରି ମାଲିକମାନଙ୍କ ଅବସ୍ଥା ମଧ୍ୟ ନକହିବା ଭଲ। ଅଧିକାଂଶ ମାଲିକ ବିଭିନ୍ନ ବ୍ୟାଙ୍କ୍ ଏବଂ ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ବସ୍ ବ୍ୟବସାୟ କରୁଛନ୍ତି। ବସ୍ ଚାଲୁ କି ନଚାଲୁ ପ୍ରତିମାସରେ କିନ୍ତୁ ରାଜ୍ୟ ସରକାରଙ୍କୁ ମୋରଟଯାନ ଟିକସ, ବୀମା ଏବଂ ଇଏମ୍ଆଇ ଦେବା ଧାର୍ଯ୍ୟ। ଏହାଛଡ଼ା କର୍ମଚାରୀଙ୍କ ଦରମା। ଗାଡି ଚାଲିଲେ ରୋଜଗାର ହେଉଥିବା ଆୟରୁ ହିଁ ଦରମା ପ୍ରଦାନ କରାଯାଇଥାଏ। ମାତ୍ର ପ୍ରାୟ ଦେଢ଼ମାସ ହେବ ବସ୍ ବନ୍ଦ ଥିବାରୁ ସମସ୍ତେ ଆର୍ଥିକ ଦୁର୍ଗତି ଦେଇ ଗତିକରୁଛନ୍ତି। ଏନେଇ ରାଜ୍ୟ ସରକାର ବସ୍ ମାଲିକମାନଙ୍କୁ କିଛି କ୍ଷେତ୍ରରେ ରିହାତି ଦେବାକୁ ଦାବି ହୋଇଛି। ନହେଲେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବା ବିଚିତ୍ର ନୁହେଁ।
ବସଷ୍ଟାଣ୍ଡ କାରଣରୁ ବସ୍ ମାଲିକମାନେ ଭୟଙ୍କର କ୍ଷତିରେ ଅଛନ୍ତି। କର୍ମଚାରୀମାନେ ମଧ୍ୟ କଷ୍ଟରେ ଅଛନ୍ତି। ତେଣୁ ରାଜ୍ୟ ସରକାର ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ପରିବହନ ଟିକସ ୬ମାସ ପାଇଁ ଛାଡ଼ କରନ୍ତୁ। ସେହିପରି ବୀମାରାଶିକୁ ୬ମାସ ଛାଡ କରିବା ସହିତ ମାସିକ ଇଏମ୍ଆଇ ଉପରେ ସର୍ବନିମ୍ନ ୬ମାସ ପାଇଁ ସୁଧ ଛାଡ କରାଯାଉ। ଯଦିଓ ଏହା ଏକ ଅଣସଂଗଠିତ କ୍ଷେତ୍ର ତଥାପି ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମାସିକ ୫ହଜାର ଟଙ୍କାର ସହଯୋଗ ରାଶି ୩ମାସ ପାଇଁ ପ୍ରଦାନ କରନ୍ତୁ।
-ସୁନୀଲ କୁମାର ଦାଶ, ସାଧାରଣ ସମ୍ପାଦକ, ମୟୂରଭଞ୍ଜ ବସ୍ ମାଲିକ ସଂଘ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Bus-Stand-Bpd.jpg)