କରୋନା ଯୋଗୁଁ ବସ ସେବା ବନ୍ଦ, ଦୁର୍ଦ୍ଦିନରେ ବସ କର୍ମଚାରୀ 

ଭବାନୀପାଟଣା: କରୋନା ଯୋଗୁଁ ବସ ସେବା ବନ୍ଦ ରହିଛି । ଏଥିରେ ନିୟୋଜିତ ଥିବା ବସ କର୍ମଚାରୀମାନେ ଏବେ ଦୁର୍ଦ୍ଦିନରେ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ୭୨୦ ଏବେ ଦରମା ନ ପାଇ ଆର୍ଥିକ ବୋଝ ଯୋଗୁଁ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଯାଇଛି । ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୧୨୦ ଟି ଘରୋଇ ବସ ଚଳାଚଳ କରେ । ବର୍ତ୍ତମାନ କରୋନା ପ୍ରାଦୁର୍ଭାବ ଯୋଗୁଁ ବସ ସେବା ଠପ ହୋଇପଡିଛି । ଜିଲ୍ଲାରେ ୧୨୦ ଟି ଘରୋଇ ବସର ପ୍ରତି ବସ ପିଛା ୬ ଜଣ କର୍ମଚାରୀ ନିୟୋଜିତ ଥାଆନ୍ତି । ବସ ସେବା ବନ୍ଦ ଯୋଗୁଁ ୭୨୦ ଟି ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ମାଲିକ ମାନେ ଦରମା ପ୍ରଦାନ କରୁନାହାନ୍ତି ।

ବସ ଚାଲୁ ନଥିବା ଓ ଦରମା ମିଳୁ ନ ଥିବା ଯୋଗୁଁ ସେମାନଙ୍କ ପରିବାର ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ବର୍ତ୍ତମାନ ଲକଡାଉନ ୪ ରେ ୫୦ ପ୍ରତିଶତ ଯାତ୍ରୀ ସହିତ କରୋନା ଗାଇଡ଼ଲାଇନ ପାଳନ କରି ବସ ଚଳାଇବାକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ମାଲିକ ମାନେ ବସ ଚଳାଇବାକୁ ମଙ୍ଗୁ ନାହାନ୍ତି । ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିକା ହରାଇ ଘରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏହି କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ପ୍ରୋତ୍ସାହନ କିମ୍ବା ସହାୟତା ପ୍ରଦାନ କରିନାହାନ୍ତି ।

କେବେ ଲକଡାଉନ ଖୋଲିବ ଏବଂ କେବେ ବସ ଚଳାଚଳ କରିବ ସେନେଇ କର୍ମଚାରୀମାନେ ଦିନ ପରେ ଦିନ ଗଡି ଚାଲିଛନ୍ତି । ପରିବାରର ଆର୍ଥିକ ବୋଝ ଭାରାକ୍ରାନ୍ତ ହୋଇପଡୁଥିଲେ ମଧ୍ୟ ନା ମାଲିକ ନା ସରକାର ସେମାନଙ୍କ ଦୁଃଖ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କ ଦାବୀକୁ ସରକାର ତୁରନ୍ତ ଶୁଣିବେ ବୋଲି ଦାବୀ କରିଛନ୍ତି । ଯାତ୍ରୀ ମାନେ ବସ ଚଳାଚଳ ବନ୍ଦ ଥିବା ଯୋଗୁଁ ଜରୁରୀ ଓ ମେଡିକାଲ କାମରେ ଅଯଥା ଆର୍ଥିକ ବୋଝ ସହିବାକୁ ପଡୁଛି ।

ଡାକ୍ତରଖାନାକୁ ଜରୁରୀ ସେବାକୁ ଆସିବା ପାଇଁ କିଏ ସୁନା ବନ୍ଧା କରି ତ କିଏ ଧାର କରଜ କରି ଗାଡି ଭଡା କରିବାକୁ ପଡୁଛି । କରୋନା ଯୋଗୁଁ ଗାଡି ରେ ମାତ୍ର ୩ ଜଣ ଆସିବା ପାଇଁ ଅନୁମତି ଥିବା ଯୋଗୁଁ ବାଧ୍ୟ ହୋଇ ଅଧିକ ଗାଡି ଭଡା କରିବାକୁ ପଡୁଛି । ମାସ ମାସ ଧରି ବସ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଖଟିଖିଆ ଲୋକେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ବସ ବନ୍ଦ ଥିବା ଯୋଗୁଁ ଶ୍ରମିକମାନେ ଚାଲି ଚାଲି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ବସ ଉପରେ ନିର୍ଭର କରୁଥିବା ଛୋଟ ଛୋଟ ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହୋଇପଡ଼ିଛନ୍ତି । ଲକଡାଉନ ୪ରେ ୫୦ ପ୍ରତିଶତ ଯାତ୍ରୀ ରେ ବସ ଚଳାଚଳ ପାଇଁ ଅନୁମତି ଥିଲେ ମଧ୍ୟ ଆର୍ଥିକ କ୍ଷଟି ଆଶଙ୍କା କରି ମାଲିକମାନେ ବସ ଚଳାଇବାକୁ ପ୍ରସ୍ତୁତ ନୁହଁନ୍ତି ।

କେବେ ବସ ଚାଲିବ , କେବେ କର୍ମଚାରୀଙ୍କ ପରିବାର ଆର୍ଥିକ ବୋଝରୁ ମୁକୁଳିପାରିବେ ସେଥି ନେଇ ଅପେକ୍ଷାରେ ଅଛନ୍ତି ୭୦୦ରୁ ଉର୍ଦ୍ଧ୍ବ ପରିବାର । ଏନେଇ କଳାହାଣ୍ଡି ଘରୋଇ ବସ ମାଲିକ ସଙ୍ଘ ସଭାପତି ପ୍ରବୋଧ ରଥଙ୍କୁ ପଚାରିବାରୁ କରୋନା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଲୋକେ ଘରୁ ବାହାରି ବସ ରେ ଯିବାକୁ ନିରାପଦ ମଣୁନାହାନ୍ତି । ୫୦ ପ୍ରତିଶତ ଯାତ୍ରୀ ନେଇ ବସ ଚଳାଚଳ ପାଇଁ ହୋଇଥିବା ଖର୍ଚ୍ଚକୁ ଭରଣା କରିବା ଯଥେଷ୍ଟ ନୁହେଁ । ତେଣୁ ରାଜ୍ୟ ମାଲିକ ସଂଘ ସହିତ ଯୋଗାଯୋଗ କରି ବସ ସେବାକୁ ବନ୍ଦ କରାଯାଇଛି । ସ୍କୁଲ କଲେଜ ବନ୍ଦ ରହିଛି, ବିଭିନ୍ନ ବିବାହ, ଯାନିଯାତ୍ରା ବନ୍ଦ ଥିବା ଯୋଗୁଁ ଯାତ୍ରୀ ସଂଖ୍ୟା ଆଶଜନକ ନୁହେଁ । ୫୦ ପ୍ରତିଶତରୁ କମ ଯାତ୍ରୀ ଆଶଙ୍କା ରହିଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର