ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରୁ ଦୁଇ ଦିନ ହେଲା ବ୍ରହ୍ମପୁରକୁ ଗଡିନି ବେସରକାରୀ ବସ। ଘରୋଇ ବସ ଠପ୍ ହୋଇଯିବା ପରେ କିଭଳି ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହା କହିଲେ ନସରେ। ଦୁଇ ଦିନ ହେଲା ଖାଲି ବ୍ରହ୍ମପୁର ନୁହଁ ଗଞ୍ଜମ ଜିଲ୍ଲାକୁ ବେସରକାରୀ ବସ ଗଡୁନି। ଅନ୍ୟପଟେ ସରକାରୀ ବସ ସେବା ନାହିଁ। ସରକାରଙ୍କ ଚିନ୍ତା ନାହିଁ। ଘୁ ଉଦୟଗିରି, ରାଇକିଆ ଅଂଚଳର ହଜାର ହଜାର ଜନସାଧାରଣ ରାତିପାହିଲେ ଗଞ୍ଜମ ଜିଲ୍ଲାର ବ୍ରହ୍ମପୁର ସହର ସମେତ ଆସ୍କା, ଭଞ୍ଜନଗର ସହରକୁ ବିଭିନ୍ନ କାର୍ଯ୍ୟରେ ଯାଇଥାନ୍ତି।
ସେ ବ୍ୟବସାୟ ହେଉ କି ସ୍ୱାସ୍ଥ୍ୟ ଶିକ୍ଷା ହେଉ ପ୍ରତ୍ୟେକ ଦିନ ଗଞ୍ଜମ ଜିଲ୍ଲା ଉପରେ ନିର୍ଭର କରି ଏକ ମାତ୍ର ବେସରକାରୀ ବସ ନିର୍ଭରଶୀଳ ଏହି ଅଂଚଳବାସୀ । ଏହି ଅଂଚଳକୁ କୌଣସି ସରକାରୀ ବସ ସେବା ନାହିଁ। ଏହି ଅଂଚଳରୁ ଓଡ଼ିଶାର କୌଣସି ଅଂଚଳ ଯଥା କଳାହାଣ୍ଡି, କୋରାପୁଟ, ରାୟଗଡା, ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ରାଜଧାନୀକୁ ମଧ୍ୟ ସରକାରୀ ବସ ସୁବିଧା ନାହିଁ। ଦୁଇଦିନ ହେଲା ବେସରକାରୀ ବସ ସେବା ବନ୍ଦ ହେବା ପରେ ରାଜ୍ୟ ସରକାର ବିଭିନ୍ନ ରାସ୍ତାରେ ସ୍ୱତନ୍ତ୍ର ସରକାରୀ ବସ ଚଲେଇବା ନିମନ୍ତେ ନିଷ୍ପତି ନେଇଛନ୍ତି। ହେଲେ ଘୁ.ଉଦୟଗିରି, ରାଇକିଆ କି ବାଲିଗୁଡାକୁ କୌଣସି ସରକାରୀ ବସ ନ ଚଲେଇବା ପରିତାପର ବିଷୟ।