ମାହାଙ୍ଗା: ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ କୁଆଁପାଳ ବସ୍‌ଷ୍ଟାଣ୍ଡ ଏବେ ବିଭିନ୍ନ ସମସ୍ୟା ଭିତରେ ରହିଥିବା ଦେଖିବାକୁ ମିଳିଛି। ଏଠାରେ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସରକାରୀ ବସ୍‌ ଚାଲୁ ନ ଥିଲା ବେଳେ ଘରୋଇ ବସ୍‌ ଭଡ଼ାରେ ଗଲେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଦୃଷ୍ଟି ଦେବା ସହ ‘ମୋ ବସ୍‌’ ସେବା ଆରମ୍ଭ କରିବାକୁ ସାଧାରଣରେ ଦାବି କରାଯାଇଛି। କଟକ ଜିଲ୍ଲାର ପ୍ରମୁଖ ଅଞ୍ଚଳ ମାହାଙ୍ଗା ବ୍ଲକ୍‌ର ବହୁ ପୁରାତନ ତଥା ମୁଖ୍ୟ ବସ୍‌ଷ୍ଟାଣ୍ଡ ହେଉଛି କୁଆଁପାଳ ବସ୍‌ଷ୍ଟାଣ୍ଡ। ୧୯୬୯ ମସିହାରେ ଏହି ବସ୍‌ଷ୍ଟାଣ୍ଡରୁ ୭ଟି ସରକାରୀ ବସ୍‌ ସହ କିଛି ଘରୋଇ ଟ୍ରେକର୍‌ ଓ ଜିପ୍‌ ଚଳାଚଳ କରୁଥିଲା। ହେଲେ, ୨୦୦୪ ମସିହା ବେଳକୁ ସରକାରୀ ବସ୍‌ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ସେବେଠାରୁ କେବଳ ଘରୋଇ ବସ୍‌ ଓ ଅଟୋ ଉପରେ ଯାତ୍ରୀମାନେ ନିର୍ଭର କରୁଛନ୍ତି। ବର୍ତ୍ତମାନ ୧୦ରୁ ଅଧିକ ଘରୋଇ ବସ ଓ ୨୫ରୁ ଅଧିକ ଅଟୋ କୁଆଁପାଳରୁ ସାଲେପୁର ଦେଇ କଟକ ଏବଂ କୁଆଁପାଳରୁ ଛତିଆ ଦେଇ କଟକ ଚଳାଚଳ କରୁଛି। ପ୍ରତ୍ୟହ ଶତାଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଏହି ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି।

Advertisment

ବସ୍‌ଷ୍ଟାଣ୍ଡ ନିକଟରେ ମାହାଙ୍ଗା ବ୍ଲକ୍, ତହସିଲ୍‌, ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟ, ଉପ କୋଷାଗାର, କୁଆଁପାଳ ମେଡ଼ିକାଲ୍‌, କୁଆଁପାଳ ଉପ ଡାକଘର ସମେତ ୨ଟି ଜାତୀୟକରଣ ବ୍ୟାଙ୍କ ରହିଛି। ଫଳରେ ମାହାଙ୍ଗା ସମେତ ବିଭିନ୍ନ ଅଞ୍ଚଳର ଯାତ୍ରୀମାନେ ପ୍ରତ୍ୟହ ଏଠାକୁ ଆସିଥା’ନ୍ତି। ମାହାଙ୍ଗା ବ୍ଲକ୍‌ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟକୁ ବସ୍‌ ଓ ଅଟୋରେ ଶତାଧିକ ମହିଳା ମଧ୍ୟ ଆସିଥା’ନ୍ତି। କିନ୍ତୁ ବସ୍‌ଷ୍ଟାଣ୍ଡରେ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ହିନସ୍ତା ହେଉଛନ୍ତି। ଶୌଚାଳୟ ନ ଥିବାରୁ ମୁଖ୍ୟତଃ ମହିଳା ଯାତ୍ରୀମାନେ ଦୁର୍ଦ୍ଦଶା ଭୋଗୁଥିବା ଜଣାପଡ଼ିଛି। ଅପରପକ୍ଷରେ ସରକାରୀ ବସ୍‌ ଆସୁ ନ ଥିବାରୁ ଏଠାରୁ କେବଳ ଘରୋଇ ବସ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କୌଣସି ଦିନ ଘରୋଇ ବସ୍‌ଗୁଡ଼ିକ ଭଡ଼ାରେ ଚାଲିଗଲେ ଯାତ୍ରୀମାନଙ୍କ ଦୁର୍ଦ୍ଦଶା ବଢ଼ି ଯାଇଥାଏ। ଯାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଭଡ଼ା ଗାଡ଼ି କରି ଯିବାକୁ ବାଧ୍ୟ ହୋଇଥା’ନ୍ତି। ସାଲେପୁର-କୁଆଁପାଳ, କୁଆଁପାଳ-ବାଲିଚନ୍ଦ୍ରପୁର, କୁଆଁପାଳ-ଛତିଆ ଦେଇ ଗମନାଗମନ ପାଇଁ ଗୁରୁତ୍ବପୁର୍ଣ୍ଣ ଏହି ରାସ୍ତାରେ ଅଳ୍ପସଂଖ୍ୟକ ଘରୋଇ ବସ୍‌ ଓ ଅଟୋ ଚାଲୁଥିବାରୁ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ କୃଷିଜିବୀମାନେ ମଧ୍ୟ ହଇରାଣ ହେଉଛନ୍ତି। ଏଠାରେ ନିର୍ମାଣ କରାଯାଇଥିବା ବିଶ୍ରାମଗୃହର ବିଭିନ୍ନ ସ୍ଥାନରେ କଂକ୍ରିଟ ଫାଟି ଆଁ କରିଛି। ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରଶାସନ ତୁରନ୍ତ ବିଶ୍ରାମଗୃହର ପୁନରୁଦ୍ଧାର କରିବା ସହ ମୋ ବସ୍‌ ସେବା ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ପରିବହନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।