ଉଦଘାଟନକୁ ଆଉ କିଛି ଦିନ ଗଲେ ପୂରିବ ଦୁଇବର୍ଷ ତଥାପି ଆରମ୍ଭ ହୋଇନି ବସଷ୍ଟାଣ୍ଡ୍

ବସଷ୍ଟାଣ୍ଡ୍ ପାଲଟିଛି ଅସ୍ଥାୟୀ ପରିବା ହବ୍

ଭଞ୍ଜନଗର: କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସ୍ ରହିବ ବୋଲି। ଆଉ ଯାତ୍ରୀ ଆସିବେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେକ। ବିସ୍ତିର୍ଣ୍ଣ ସ୍ଥାନ ସାଙ୍ଗକୁ ଯାତ୍ରୀ ମାନଙ୍କ ରହଣି ପାଇଁ ସୁନ୍ଦର ବିଶ୍ରାମାଗାର, ଶୌଚାଳୟ ସହ ବଜାର ପାଇଁ ଦୋିକାନ ଗୃହ ତିଆରି ହୋଇଥିଲା। ହେଲେ ସେହି ଯାଗା ଏବେ ପାଲଟିଛି ଅସ୍ଥାୟି ପରିବା ହବ୍। ସକାଳ ହେଲେ ବସ୍ ରହିବା ବଦଳରେ ଲାଗୁଛି ପରିବା ବୋଝୋଇ ଗାଡି। ଆଉ ଯାତ୍ରୀମାନେ ଯାଆ ଆସ କରିବା ବଦଳରେ ଚାଲେ ପରିବା ବିକ୍ରିର ମୂଲ ଚାଲ। ଆଉ ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଅସ୍ବାସ୍ଥକର ଧୂଳି ମଇଳାରେ ଭର୍ତ୍ତି। ହାତଧୁଆ ବେସିନ୍ ପାନ ଛେପରେ ଭର୍ତ୍ତି। କିଛି ଯାତ୍ରୀ ସହ ସେଠାରେ ବିଶ୍ରାମ ନେଉଛନ୍ତି ଗାଇ ଓ କୁକୁର। ଏହେଉଛଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନୂତନ ବସଷ୍ଟାଣ୍ଡର ଦୃଶ୍ୟ। ସହରରେ ଗତ ବର୍ଷରୁ ବସଷ୍ଟାଣ୍ଡର ଉଦଘାଟନ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ବସଷ୍ଟାଣ୍ଡ୍ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ସହରରେ ୩ଟି ଅସ୍ଥାୟୀ ବସଷ୍ଟାଣ୍ଡ ରହିଥିବା ବେଳେ ଯାତ୍ରୀକୁ ଯାତାୟତ ଓ ବସିବା ପାଇଁ ଆଶ୍ରୟସ୍ଥଳୀ ନଥିବାରୁ ଡିଭାଇଡରେ ହିଁ ବସିବାକୁ ବାଧ୍ୟ ହେଉଛନ୍ତି। ଏହି ନୂତନ ବସଷ୍ଟାଣ୍ଡ କେବେ କାର୍ଯ୍ୟକ୍ଷମ ହେବ ସ୍ପଷ୍ଟ ଜଣା ପଡୁନାହିଁ।

ଦକ୍ଷିଣ ଓଡିଶାର ପ୍ରମୁଖ ସହର ମଧ୍ୟରେ ଭଞ୍ଜନଗରର ସ୍ବତନ୍ତ୍ର ସ୍ଥାନ ରହିଛି। ଏଥିସହ ଗମନାଗମନ ଦୃଷ୍ଟିରୁ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ଭଞ୍ଜନଗର ବସଷ୍ଟାଣ୍ଡ ସଂଯୋଗ କରୁଥିବାରୁ ଏହି ବସଷ୍ଟାଣ୍ଡ୍ ବହୁ ଗୁରୁତ୍ବ ରହିଛି। ଭଞ୍ଜନଗର ଠାରୁ ସମ୍ବଲପୁର, ରାଉଲକେଲା, ବରଗଡ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟାଗଡା, କନ୍ଧମାଳ, କୋରାପୁଟ, ପୁରୀ, ଭୂବନେଶ୍ବର, କଟକ, ଆସାମସୋଲ, ବ୍ରହ୍ମପୁର ସମେତ ବିଭିନ୍ନ ସହରକୁ ବସ ଯାତାୟତ କରିଥାଏ। ଏହି ବସଷ୍ଟାଣ୍ଡ ଠାରୁ ବହୁ ସ୍ଥାନକୁ ବସର ଆରମ୍ଭ ସ୍ଥାନ ରହିଥିବା ବେଳେ ବହୁ ବସ ଏହି ରୁଟ ଦେଇ ମଧ୍ୟ ଯାତାୟତ କରିଥାନ୍ତି। ଏନେଇ ପ୍ରତ୍ୟେକ ଦିନ ଶହେରୁ ଉର୍ଦ୍ଧ ବସ ଯାତାୟତ ହେଉଥିବା ବେଳେ ଶହ ଶହ ଯାତ୍ରୀ ଏହି ସ୍ଥାନ ଉପରେ ନିର୍ଭର କରନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଓ ଅଞ୍ଚଳବାସୀଙ୍କ ଦାବି ଓ ସ୍ଥାନିୟ ଜନପ୍ରତିନିଧିଙ୍କ ଆନ୍ତରିକ ଉଦ୍ୟମକ୍ରମେ ଭଞ୍ଜନଗରରେ ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ଆରମ୍ଭ କରାଗଲା। ପ୍ରାୟ ସାଢ଼େ ୨ ଏକର ଜମିରେ ଗତ ୨୦୧୬ ମସିହାରେ ଏହି ବସ୍ଷ୍ଟାଣ୍ଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାତ୍ରୀ ବସିବା ପାଇଁ ସୁବିଧା ହୋଇଥିବା ବେଳେ ପଙ୍ଖା ସହିତ ଅଲୋକିକରଣ ପାଇଁ ଲାଇଟ ବ୍ୟବସ୍ଥା କରାଯାଇଥିଲ। ଯାତ୍ରୀବିଶ୍ରାମାଗର ଉପରେ ଖାଇବା ପାଇଁ ରେଷ୍ଟୁରାଣ୍ଟ ଗୃହ ମଧ୍ୟ ନିର୍ମାଣ କରାଯାଇଛି। ପରିସ୍ରାଗାର ଠାରୁ ଆରମ୍ଭ କରି ଶୌଚାଳୟ ମଧ୍ୟ ନିର୍ମାଣ ହୋଇଛି। ଏଥିସହ ସରକାରୀ ବସଷ୍ଟାଣ୍ଡ ପାଇଁ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ଗ୍ୟାରେଜ ଓ କାର୍ଯ୍ୟାଳୟ ମଧ୍ୟ ଆରମ୍ଭ ହୋଇଥିଲା। ସମ୍ମୁଖରେ ବସ୍ ରହିବା ପାଇଁ ସୁବିଧା ହୋଇଥିବା ବେଳେ ସମ୍ମୁଖରେ ବଜାର ପାଇଁ ନୂତନ ଗୃହ ମଧ୍ୟ ନିର୍ମାଣ ହୋଇଛି। ସାଢ଼େ ୫ କୋଚଟି ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡ ଦୁଇବର୍ଷରେ ସମାପ୍ତି ହୋଇଥିଲା। ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଫେବୃୟାରୀ ମାସରେ ଭଞ୍ଜନଗର ଗସ୍ତରେ ଆସି ବହୁ ଉନ୍ନୟନ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଏହାକୁ ଉଦଘାଟନ କରିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନଥିବା ଅତ୍ୟନ୍ତ ବିଡମ୍ବନାର ବିଷୟ।

ଏଠାରେ ସରକାରୀ ବସ ରହୁଥିବା ବେଳେ ଘରୋଇ ବସ ଗୁଡ଼ିକ ପୂର୍ବ ଭଳି ଅସ୍ଥାୟି ବସ୍ଷ୍ଟାଣ୍ଡ୍ରେ ରହୁଛି। ଓଏସଆରଟିସି ପାଇଁ ନିର୍ମାଣ ହୋଇଥିବା ଗୃହ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଘରୋଇ ବସ ପାଇଁ ଆସୁଥିବା ଯାତ୍ରୀ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳୁଛି। ସହରରେ ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଭୂବନେଶ୍ବର, କଟକ ଓ ପୁରୀ ବସ, ସ୍ଥାନୀୟ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ପୁଖରେ ବ୍ରହ୍ମପୁର,ଫୁଲବାଣୀ,ରାଇକିଆ, ବାଲିଗୁଡା ଆଦି ବସ୍ ଓ ପୁଲିସ କ୍ବାଟର ପଛପଟେ ସମ୍ବଲପୁର,ରାଉଲକେଲା, ଭବନୀପାଟଣା,ଝାରୁସୁଗୁଡ଼ା,ବୌଦ୍ଧ ଓ ଜୟପୁର ଆଦି ରୁଟ୍ର ବସ ରହୁଥିବାର ଦେଖିବାକୁ ମିଳୁଛି। ଏହି ୩ଟି ବସଷ୍ଟାଣ୍ଡ ନିକଟରେ ବସିବା ପାଇଁ ସ୍ଥାନ ନଥିବା ବେଳେ ଯାତ୍ରୀମାନେନ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ହିଁ ଧାଡି ହୋଇ ବସୁଥିବାର ଦେଖିବାକୁ ମିଳୁଛି। ଖରା, ବର୍ଷା ଓ ଶୀତରେ ମଧ୍ୟ ସେହି ଖୋଲା ଆକାଶ ତଳେ ଠିଆ ହୋଇ ବସକୁ ଅପେକ୍ଷା କରୁଛନ୍ତି। ନୂତନ ବସଷ୍ଟାଣ୍ଡରେ ଶୌଚାଳୟ ଆରମ୍ଭ ହୋଇଛି ସତ କିନ୍ତୁ ଏହି ଅସ୍ଥାୟୀ ବସଷ୍ଟାଣ୍ଡରେ ଓହ୍ଲାଇ ସେଠାକୁ ଯିବା କଷ୍ଟକର ହୋଇପଡୁଛି। ବସ୍ ରହୁଥିବା ଯାଗାରେ ଅସ୍ଥାୟି ଶୌଚଳାୟ ଟିଏ ମଧ୍ୟ ନଥିବାରୁ ବିଶେଷ କରି ମହିଳା ମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏଭଳି ଯାତ୍ରୀଙ୍କ ପାଇଁ ଦିନକୁ ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ବସ୍ଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ କରିବା ଦିଗରେ ଗୁରୁତ୍ବ ଦେଉନାହିଁ। ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମକୁ ନେଇ କୌଣସି ଅଧିକାରୀଙ୍କୁ ପ୍ରଶ୍ନ କଲେ ଏହାର ସଠିକ ଉତ୍ତର ନ ଦେଉନାହାନ୍ତି। କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇଯିବ ବୋଲି କେବଳ ସ୍ବାନ୍ତନା ମୂଳକ ଉତ୍ତର ମିଳୁଛି। ସେପଟେ ଯାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ସ୍ବପ୍ନ ଭଳି ମନେ ହେଉଛି।

ସମ୍ବନ୍ଧିତ ଖବର