ଜଗତସିଂହପୁର ଟାଉନ୍: ୨୦୦୩ରେ ମୁଖ୍ୟମନ୍ତ୍ରୀ ସହରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜଗତସିଂହପୁର ସହରବାସୀଙ୍କ ପାଇଁ ଯୋଗଧାରୀ ଠାରେ ଏକ ବସ୍ଷ୍ଟାଣ୍ଡ୍ର ଶିଳାନ୍ୟାସ କରିଥିଲେ। ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସଷ୍ଟାଣ୍ଡ୍ ୨୦୧୨ ଡିସେମ୍ବରରେ ଲୋକାର୍ପଣ ହେଲା। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏହି ବସ୍ଷ୍ଟାଣ୍ଡ୍ ବ୍ୟବହାର ହୋଇ ପାରୁନାହିଁ। ୧୦ ବର୍ଷ ହେଲା ଖତ ଖାଉଛି। ଅଥଚ ଏଥିପାଇଁ ଦାୟୀ କିଏ ? କାହା ସ୍ବାର୍ଥରେ ରାସ୍ତାକୁ ବସ୍ଷ୍ଟାଣ୍ଡ୍ ଭାବେ ବ୍ୟବହାର କରାଯାଇ ସହରର ସୌନ୍ଦର୍ଯ୍ୟ ଓ ମାନକୁ ନଷ୍ଟ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ବ୍ୟକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏଠାରେ କାର୍ଯ୍ୟକାରୀ କରାଯାଉନଥିଲେ ସୁଦ୍ଧା ତାହା ୫-ଟି ସଚିବଙ୍କ ଦୃଷ୍ଟିକୁ ଆସିନାହିଁ। କୌଣସି ସଚିବ, ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ। ଏହି ଅବ୍ୟବସ୍ଥାର ଉତ୍ତରଦାୟିତ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏହି ନୂଆ ବସ୍ଷ୍ଟାଣ୍ଡ୍ କ୍ୟାମ୍ପସ୍ରେ ମାର୍କେଟ୍ କମ୍ପ୍ଲେକ୍ସ, ଶୌଚାଳୟ, ବସ୍ ସଂଘ କାର୍ଯ୍ୟାଳୟ, ବସ୍ଷ୍ଟାଣ୍ଡ କାର୍ଯ୍ୟାଳୟ, ଫାଣ୍ଡି ଗୃହ ସହ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରିଲାନି। ରକ୍ଷଣାବେକ୍ଷଣ ଅଭାବରୁ ପରିସର ବଣଜଙ୍ଗଲ ପାଲଟି ଗଲାଣି, ଘର କାନ୍ଥ ଫାଟି ଗଲାଣି। ତା ସାଙ୍ଗକୁ ଅସାମାଜିକ ଓ ନିଶାଡ଼ି ଆଡ଼ା ଜମୁଛି।
ପ୍ରତ୍ୟେକ ଦିନ ଏଠାରେ ୩୦ରୁ ଅଧିକ ବସ୍ ଚଳାଚଳ ହେଉଛି। ସେହିପରି ଅନେକ ସଂଖ୍ୟାରେ ଛୋଟ ଯାତ୍ରୀବାହୀ ଗାଡ଼ି ମଧ୍ୟ ଚାଲୁଛି। ସେଠାରେ ଯାତ୍ରୀ ବିଶ୍ରାମାଗାର ରହିଛି ନା ପିଇବା ପାଇଁ ଅଛି ଷ୍ଟାଣ୍ଡ ପୋଷ୍ଟ। ହକର୍ଙ୍କ ଡାକ ଓ ବେପରୁଆ ଭାବେ ରାସ୍ତା ଉପରେ ଘର୍ଟାଘର୍ଟା ଧରି ବସ୍ ରଖି ରାସ୍ତା ଅବରୋଧ କରାଯାଉଛି। ନା କେବେ ବୁଝୁଛି ଟ୍ରାଫିକ୍ ପୁଲିସ୍ ନା ପ୍ରଶାସନ।
ଏପରିକି ବସ୍ଷ୍ଟାଣ୍ଡ୍ ନିକଟକୁ ଜଗତସିଂହପୁରରୁ ଏକାଧିକ ପ୍ରାଶାସନିକ ଅଫିସ ସ୍ଥାନାନ୍ତର କରାଯାଇ ସେଠାକୁ ନିଆଯିବ। ଯାହା ଫଳରେ ସେଠାରେ ଅଫିସ ରହିଲେ ଲୋକଙ୍କ ଯାତାୟାତ ବଢ଼ିବ। ବଜାର ମଧ୍ୟ ବଢ଼ି ଯୋଗଧାରୀ ପର୍ଯ୍ୟନ୍ତ ଯିବ। ବସଷ୍ଟାଣ୍ଡ ଚାଲିବା ଫଳପ୍ରଦ ହେବ। କିନ୍ତୁ କୌଣସି ବି ଯୋଜନା କାମ କଲାନି। ବସ୍ଷ୍ଟାଣ୍ଡ ପଛପଟକୁ ସରକାରୀ ଅଫିସ ଉଠାଇ ନିଆଯାଇ ପ୍ରଶାସନିକ ଭବନ ତିଆରି କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ସେ କାମ ଆଗେଇ ପାରୁ ନ ଥିବା କୁହାଯାଉଛି। ତେବେ ସ୍ଥାୟୀ ବସଷ୍ଟାଣ୍ଡ କେବେ କାର୍ଯ୍ୟକାରୀ ହେଉଛି ତା ଉପରେ ସମସ୍ତଙ୍କ ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/BUS-STAND-1_6.jpg)