ଜୟପୁର: ରାଜ୍ୟ ସରକାର ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜଧାନୀ ଓ ପୁରୀକୁ ଆରମ୍ଭ କରିବାକୁ ଲକ୍ଷ୍ମୀ ବସ୍ ସେବା। ଏହି ସେବାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଆହ୍ବାନକ୍ରମେ ୨୪ଘଣ୍ଟିଆ ବନ୍ଦ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ବନ୍ଦକୁ ସମର୍ଥନ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୦୦ଘରୋଇ ବସ ଆଉ ଗଡିନଥିଲା। ବାହାରୁ ଆସିଥିବା ଦ୍ରୁତଗାମୀ ବସ ଗୁଡିକ ଜୟପୁର ନୂଆ ବସଷ୍ଟାଣ୍ଡରେ ପହଚିଂବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ବସଷ୍ଟାଣ୍ଡରେ ବସଗୁଡିକୁ ରଖି ଦେଇଥିଲେ। ଅପରପକ୍ଷରେ ୨୮ଟି ଯାକ ରୁଟରେ ସରକାରୀ ବସ ଗୁଡିକ ଚାଲିଥିବା କହିଛନ୍ତି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ। ଘରୋଇ ବସ ଗୁଡିକ ବନ୍ଦ ରହିବା ଫଳରେ ଆଜି ଯାତ୍ରୀମାନେ ସରକାରୀ ବସ ଓ ଅଟୋଗୁଡିକରେ ଯିବା ଆସିବା କରିଥିଲେ। ସରକାରୀ ବସଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଘରୋଇ ବସ ବନ୍ଦ ରହିବା ମଉକାକୁ ହାତ ଛଡ଼ା ନ କରି ବୋରିଗୁମ୍ମା ଓ କୋରାପୁଟ ପର୍ଯ୍ୟନ୍ତ ଅଟୋଗୁଡିକ ମନଇଛା ଭଡ଼ା ନେଇଥିଲେ। ଏଭଳିକି ସରକାରୀ ବସଗୁଡିକରେ ଯାତ୍ରୀମାନେ ଠେଲାପେଲା ହୋଇ ଯାଉଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ବସକୁ ସଂଘ ବିରୋଧ କରୁନି, ବରଂ ଏହି ଯୋଜନାରେ ରାଜ୍ୟର ଘରୋଇ ବସ ମାଲିକଙ୍କୁ ସାମିଲ କରା ନ ଯାଇ ତୃତୀୟ ପକ୍ଷକୁ ସାମିଲ କାହିଁକି କରାଯାଉଛି ବୋଲି କହିଛନ୍ତି ଆବାହକ ନରେନ୍ଦ୍ର ମହାନ୍ତି।
ଆସନ୍ତା ୧୦ତାରିଖ ଦିନ ରାଜ୍ୟ ଘରୋଇ ବସ ମାଲିକ ମହାସଂଘ ପକ୍ଷରୁ ଦିଆଯାଇଥିବା ଅନିର୍ଦ୍ଧିଷ୍ଟ କାଳ ବନ୍ଦକୁ ଅବିଭକ୍ତ କୋରାପୁଟ ଜିଲ୍ଲା ଘରୋଇ ବସ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଯେହେତୁ ମାଲକାନଗିରିରୁ ଏହି ଲକ୍ଷ୍ମୀ ବସ ସେବା ଆରମ୍ଭ ହେବାକୁ ଥିବାରୁ ଏମାନେ ବିରୋଧ କରି ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅପରପକ୍ଷରେ ନୂଆରେ ଏବେ ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ବି ଏହି ବସ ସେବା ଆରମ୍ଭ ହେଲେ ଅବିଭକ୍ତ କୋରାପୁଟଜିଲ୍ଲାର ୧୦ହଜାର ଘରୋଇ ବସ କର୍ମଚାରୀ ନିଜ ଜୀବନଜୀବିକା ହରାଇବେ ବୋଲି କହିଛନ୍ତି ସଂଘ ସଂପାଦକ ରାଜୀବ ଟାକ୍ରୀ। ବସ ମାଲିକମାନେ କ୍ଷତି ସହିଲେ ବସ ସେବା ବନ୍ଦ କରି ଅନ୍ୟ କିଛି ବ୍ୟବସାୟ କରି ପାରିବେ। ବସରେ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ କଥା ବି ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ଶ୍ରୀ ଟାକ୍ରୀ କହିଛନ୍ତି। ସରକାରୀ ବସଗୁଡିକ ନିର୍ଦ୍ଦାରିତ ରୁଟରେ ଓ ନିର୍ଦ୍ଦାରିତ ସମୟ ସାରିଣୀରେ ଚାଳୁଥିବା ବେଳେ କିଛି ରୁଟରେ ଗୋଟିଏ ଲେଖାଏଁ ବସ ରହିଥିଲା।ତେଣୁ ସେ ସବୁ ରୁଟର ସରକାରୀ ବସଗୁଡିକରେ ଯାତ୍ରୀମାନେ ଗୋରୁଗାଈଙ୍କ ଭଳି ଭରି ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ବହୁ ଦିନ ପରେ ସରକାରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।