ଲୁଗା ବ୍ୟବସାୟୀ ଘରେ ଡକାୟତି: ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଲୁଟି ନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ଜଣେ ବିଶିଷ୍ଟ ଲୁଗା ବ୍ୟବସାୟୀଙ୍କ ଘଣୁ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଲୁଟି ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଂଚଳର କମଲ ଅଗ୍ରଓ୍ଵାଲ ନାମକ ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ଲୁଗା ବ୍ୟବସାୟୀ କମଲ ଅଗ୍ରୱାଲଙ୍କ ଘରେ ଗତକାଲି ରାତି ୩ଟାରେ ୭ଜଣ ଦୁର୍ବୁତ୍ତ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଘର ପଛପଟୁ ପଶି ବାସଭବନର ମୁଖ୍ୟ କବାଟ ଭାଙ୍ଗିଥିଲେ। ଏହି ସମୟରେ ଅଗ୍ରୱାଲ ଦମ୍ପତି ଗଭୀର ନିଦରେ ଶୋଇଥିଲେ।

ବେଡ଼ରୁମର କବାଟ ଖୋଲା ଥିବାରୁ ୫ଜଣ ଡକାୟତ ଆରାମରେ ପ୍ରବେଶ କରିଥିଲେ। ଶୋଇଥିବା ଅବସ୍ଥାରେ କମଲ ଓ ତାଙ୍କ ଧର୍ମପତ୍ନୀଙ୍କୁ କାବୁ କରି ନେଇଥିଲେ ଓ ଭୁଜାଲି ଦେଖାଇ ପାଟି କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଦୁର୍ବୃତ୍ତ କମଲଙ୍କୁ ବାନ୍ଧିବା ସହ ପ୍ରଥମେ ମୋବାଇଲ ଲୁଟି ନେଇଥିଲେ। ଲକର ଚାବି ନ ଦେବାରୁ ଡକାୟତ ମାନେ ସାଙ୍ଗରେ ଆଣିଥିବା ଲୁହା ରଡ଼ରେ ଅଲମୀରା ଭାଙ୍ଗୀ ନଗଦ ଟଙ୍କା ଓ ସୁନା ଗହଣା ଲୁଟ କରି ଫେରାର ମାରିଥିଲେ।

କମଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ନଗଦ ପ୍ରାୟ ୫ଲକ୍ଷ ଟଙ୍କା ଓ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟି ନେଇ ଫେରାର ହୋଇଯାଇଥିଲେ। ସୂଚନାଯୋଗ୍ୟ, ରାଜଗାଙ୍ଗପୁର ସହରର ମୁଖ୍ୟ ମାର୍ଗରେ କମଳ ଅଗ୍ରୱାଲଙ୍କ ଶ୍ରୀ ବସ୍ତ୍ରମ ନାମକ ଏକ ଲୁଗା ଦୋକାନ ରହିଛି। ଲୁଗା ଦୋକାନକୁ ଲାଗି କରି ତାଙ୍କ ବାସଭବନ ମଧ୍ୟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଅଧିକ ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ ଆସି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର