ଭଞ୍ଜନଗର : ଭଞ୍ଜନଗର ସହରର ବ୍ୟବସାୟୀ ହିତେନ ସ୍ବାଇଁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗତକାଲି ଭଞ୍ଜନଗର ପୁଲିସ ଅଭିଯୁକ୍ତ ତ୍ରିପତି ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ନେଣଦେଣ କାରବାରକୁ ନେଇ ହିତେନ୍‌ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ୍ ତିଆରି ହୋଇଥିବା ତା’ର ବୟାନରୁ ଜଣାପଡ଼ିଥିଲା। ତେବେ ହତ୍ୟାର ରହସ୍ୟ ଓ ଘଟଣାର ଖୋଜିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ଏଥିପାଇଁ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ମାରାଥନ୍ ଜେରା କରାଯାଉଛି। ଏହାସହ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଷ୍ଟରମାଇଣ୍ଡ୍‌କୁ ଧରିବାକୁ ପୁଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଛି। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ତତ୍ତ୍ବାବଧାନରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି। ଅନ୍ୟପକ୍ଷରେ ହିତେନ୍‌ଙ୍କୁ କିଭଳି ହତ୍ୟା କରାଗଲା ଏବଂ ତାଙ୍କ ଶବକୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗାଜଲବାଡ଼ି-ଦାରିଙ୍ଗବାଡ଼ି ଘାଟିରେ ‌କେମିତି ଫୋପଡ଼ାଯାଇଥିଲା ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରୁନି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ପକ୍ଷରୁ କିଛି ସୂଚନା ଦିଆଯାଇନି। ହିତେନ୍‌ଙ୍କୁ ଗତ ୧୩ ତାରିଖ ଦିନ ଅପରାହ୍‌ଣରେ ଭେଜିପୁଟ ଇଲାକାର ଜଣେ ଯୁବକ ସୋଲାର ପ୍ରକଳ୍ପ ସଂର୍ପକରେ କଥା ହେବା ନେଇ ଘରୁ ଡାକି ନେଇଥିଲା। ଏହାପରଠୁ ହିତେନ ଘରକୁ ‌ଫେରି ନଥିଲେ।