କରୋନା ମାଡ଼: ଦୁର୍ଦିନରେ ଡଙ୍ଗରିଆ, ଜୀବନ ଜୀବିକା ଠପ୍, ବଜାରକୁ ଆସି ପାରୁନି କୃଷି ଉତ୍ପାଦିତ ଦ୍ରବ୍ୟ

କ୍ଷତି ସହିବେ ୬୨ ଗାଁର ଶତାଧିକ ସପୁରି ଚାଷୀ, ଆର୍ଥିକ ସହାୟତା ପାଇଁ ବ୍ୟାଙ୍କରେ ନାହିଁ ନଗଦ ଅର୍ଥ

ରାୟଗଡ଼ା, (ନବୀନ ସାହୁ): ବଜାରକୁ ଆସି ପାରୁନି କୃଷି ଉତ୍ପାଦିତ ଦ୍ରବ୍ୟ। ଯାତାୟତ କଟକଣା ପାଇଁ ବ୍ୟବସାୟୀ ବି ପହଞ୍ଚି ପାରୁନାହାନ୍ତି ଗାଁରେ। ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ପନିପରିବା ସମେତ ବିଭିନ୍ନ ସାମଗ୍ରୀର ବିକ୍ରିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଡଙ୍ଗରିଆ। ବର୍ଷର ପ୍ରମୁଖ ଆୟ ପାଲଟିଥିବା ସପୁରି ଅମଳ ହେବାକୁ ଯାଉଥିବା ବେଳେ କରୋନା କଟକଣା ଡଙ୍ଗରିଆଙ୍କ ମେରୁଦଣ୍ଡକୁ ଭାଙ୍ଗିଦେବା ଭଳି ଆଶଙ୍କା ସୃଷ୍ଟି କରିଛି। ଜୀବନ ଜୀବିକା ସଂପୂର୍ଣ ଭାବେ ଠପ୍ ହୋଇ ପଡ଼ିଥିବା କାରଣରୁ ଏବେ ଆର୍ଥିକ ସ୍ଥିତିରେ ଦୁର୍ବଳ ହେବାରେ ଲାଗିଛନ୍ତି ଡଙ୍ଗରିଆ।

ଜିଲ୍ଲାର ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର ବ୍ଲକରେ ବାସ କରୁଛନ୍ତି ୨୪୬୧ ଡଙ୍ଗରିଆ ପରିବାର। ୯୫୯୭ ଜନସଂଖ୍ୟା ବିଶିଷ୍ଟ ଡଙ୍ଗରିଆଙ୍କ ମଧ୍ୟରୁ ୭୦ ପ୍ରତିଶତ ଚାଷ ଉପରେ ନିର୍ଭରଶୀଳ। ବର୍ଷ ତମାମ ପୋଡ଼ୁ ଚାଷ ମାଧ୍ୟମରେ ଡଙ୍ଗରିଆ କଦଳୀ, କାନ୍ଦୁଲ, ହଳଦୀ, ଆମ୍ବ ଓ ସପୁରି ଚାଷ କରୁଥିବା ବେଳେ ପାହାଡ଼ ତଳି ଅଞ୍ଚଳରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଦୈନିକ ବଜାର ସମେତ ସାପ୍ତାହିକ ହାଟରେ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଦି ପଇସା ଡଙ୍ଗରିଆ ରୋଜଗାର କରିଥାନ୍ତି। କିନ୍ତୁ କରୋନା ପ୍ରଭାବରେ ଦୁଇ ସପ୍ତାହ ହେଲା ସାପ୍ତାହିକ ହାଟ ସମେତ ଦୋକାନ, ବଜାର ବନ୍ଦ ଥିବାରୁ ରୋଜଗାର ହରାଇଛନ୍ତି ଏହି ପରିବାର। ବର୍ତ୍ତମାନ ଆମ୍ବ ଓ ସୁପରି ଉତ୍ପାଦନର ସମୟ। ଯାହା ଡଙ୍ଗରିଆଙ୍କୁ ବର୍ଷକର ଆହାର ଯୋଗାଇଥାଏ।

ଆମ୍ବ ଉତ୍ପାଦନ ଆଖି ଦୃଶିଆ ନଥିଲେ ମଧ୍ୟ ଦେଶୀ ଆମ୍ବର ଚାହିଦା ରହିଥିବାରୁ ଯାହା କିଛି ଆମ୍ବ ମିଳୁଛି ତାକୁ ବ୍ୟବସାୟୀ କିଣି ନେଉଛନ୍ତି। ଯାହା ବାବଦକୁ ଡଙ୍ଗରିଆ ଭଲ ପଇସା ପାଇଥାନ୍ତି। ସପୁରି ଉତ୍ପାଦନରେ ଜିଲ୍ଲାରେ ୧ନଂରେ ଥିବା ଡଙ୍ଗରିଆ ବାର୍ଷିକ ବିଷମକଟକ ଓ ମୁନିଗୁଡା ବ୍ଲକର ୫ଟି ପଞ୍ଚାୟତ, ୬୨ଟି ଗାଁର ୧ ହଜାରରୁ ଉର୍ଧ୍ବ ହେକ୍ଟର ଜମିରୁ ୧୮ ହଜାର ୭୫୦ ମେଟ୍ରିକ୍ ଟନ୍ ସପୁରି ଉତ୍ପାଦନ କରୁଛନ୍ତି। ଯାହାର ଚାହିଦା ରାୟପୁର, ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ରହିଛି। ଚଳିତ ବର୍ଷ କରୋନା ପ୍ରଭାବରେ ସାରା ଭାରତରେ ତାଲାବନ୍ଦ ସ୍ଥିତି ଉପୁଜିଥିବା ବେଳେ ଘରୁ ବାହାରିବା ଉପରେ କଟକଣା ଜାରି କରିଛନ୍ତି ସରକାର।  ଯେଉଁଥି ପାଇଁ ସପୁରି ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ବଜାରକୁ ଆସିବା ପୂର୍ବରୁ ଗଛରେ ହିଁ ସପୁରି ନଷ୍ଟ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ହଳଦୀ, କାନ୍ଦୁଲର ବିକ୍ରିକୁ ନେଇ ଚିନ୍ତାରେ ପଡିଛନ୍ତି ଡଙ୍ଗରିଆ। ଦୈନିକ ଆୟ ଡଙ୍ଗରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଥିବା ବେଳେ ତାଲାବନ୍ଦ କାରଣରୁ ଦୁଇ ସପ୍ତାହ ହେଲା ଘରେ ବସି ରହି ଡଙ୍ଗରିଆ ଦୁର୍ଦିନ ମଧ୍ୟରେ ଦିନ କାଟୁଛନ୍ତି।

ବେରୋଜଗାର ହୋଇ ପଡ଼ିଥିବା ସମସ୍ତ ଡଙ୍ଗରିଆ ପରିବାରକୁ ୩ ମାସର ଚାଉଳ ସମେତ ପରିବାର ପିଛା ଗୁଜୁରାଣ ବାବଦକୁ ୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲେ ଆଜି ସୁଦ୍ଧା ସରକାରଙ୍କ ଏହି ସହାୟତା ରାଶି ଓ ପିଡିଏସ୍ ସାମଗ୍ରୀ ଡଙ୍ଗରିଆଙ୍କ ନିକଟରେ ପହଞ୍ଚି ପାରିନି। ବ୍ୟାଙ୍କରେ ନଗଦ ଅର୍ଥର ଅଭାବ ଯୋଗୁ କୌଣସି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିନି ବୋଲି କହିଛନ୍ତି ବିଷମକଟକ ବିଡ଼ିଓ ଆଲର୍ବଟ୍ ଲାକ୍ରା। ଦିନେ, ଦୁଇ ଦିନ ମଧ୍ୟରେ ଚାଉଳ ସହିତ ଟଙ୍କା ଏକା ସମୟରେ ପ୍ରଦାନ କରାଯିବ ବୋଲି ବିଡ଼ିଓ ଲାକ୍ରା କହିଛନ୍ତି।

ସେହିପରି ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତରେ ବାସ କରୁଥିବା ଡଙ୍ଗରିଆ ପରିବାର ପାହାଡରୁ ତଳକୁ ଓହ୍ଲାଇ ପାରୁନଥିବାରୁ ବିଷମକଟକ ବ୍ଲକର କୁର୍ଲି ନିକଟରେ ଚାଉଳ ଓ ଆର୍ଥିକ ସହାୟତା ପ୍ରଦାନ ନିଷ୍ପତ୍ତି ହୋଇଛି। ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା ଶିବିରରେ ୧୨୦ ଡଙ୍ଗରିଆଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବା କହିଛନ୍ତି ମୁନିଗୁଡା ବିଡ଼ିଓ ଡ. ଦିଲ୍ଲୀପ କୁମାର ବେହେରା କହିଛନ୍ତି। କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ରହୁଥିବା ବହୁ ଡଙ୍ଗରିଆ ପରିବାର ଭୋକିଲା ଅବସ୍ଥାରେ ଥିବାରୁ ପାର୍ସାଲି ନିକଟରେ ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଲାଗି ଶିବିର ଖୋଲାଯାଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶରେ ଖୋଲିଥିବା ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଶିବିରରେ ଦୈନିକ ଶହେରୁ ଉର୍ଧ୍ବ ଡଙ୍ଗରିଆ ପରିବାର ଖାଦ୍ୟ ଖାଉଛନ୍ତି।

ସମ୍ବନ୍ଧିତ ଖବର