ସମ୍ବଲପୁର: ଶୁକ୍ରବାର ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ’ର ଶାସନ ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନିଆଯାଇଛି। ବ୍ୟବସାୟୀ ଜଣଙ୍କ ସମ୍ବଲପୁର ସହର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଷ୍ଟିଲ୍ ଆଣ୍ଡ ଷ୍ଟିଲ୍ ଦୋକାନର ମାଲିକ ନରେଶ ଅଗ୍ରୱାଲ(୬୩) ବୋଲି ଜଣାପଡ଼ିଛି। ଶାସନ ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସମୟରେ ଏସ୍ପି ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସଦର ଏସ୍ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ଖବର ଲେଖାହେବା ଯାଏ ଏହି ଅପହରଣ ପଛର କାରଣ ଓ ଅପହର୍ତ୍ତାଙ୍କ କୌଣସି ଦାବି ସଂପର୍କରେ ପୁଲିସକୁ ସୂଚନା ମିଳି ପାରିନାହିଁ।
ମିଳିଥିବା ସୂଚନା ଅନୁସାରେ, ଅଗ୍ରୱାଲଙ୍କର ଶାସନଠାରେ ୩ ଏକରର ଜମି ରହିଛି। ଏହି ଜମିର ପାଚେରୀ ନିର୍ମାଣ କାମ ଚାଲିଛି। ଆଜି ଅଗ୍ରୱାଲ ସେଠାକୁ କାମ ଦେଖିବାକୁ ଯାଇଥିଲେ। ରାସ୍ତାକଡ଼ରେ ତାଙ୍କର କ୍ରେଟା ଗାଡ଼ି ରଖି କାମ ତଦାରଖ କରୁଥିଲେ। ତାଙ୍କ ଡ୍ରାଇଭର ମଧ୍ୟ ପାଖରେ ଥିଲେ।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-10-at-20.12.06-253x300.jpeg)
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦିନ ପ୍ରାୟ ୧୨ଟା ୨୦ ମିନିଟରେ ଏକ ଧଳା ରଙ୍ଗର ସ୍ୱିଫ୍ଟ କାର୍ ଆସି ଉକ୍ତ ସ୍ଥାନରେ ଅଟକିବା ପରେ ସେଥିରୁ ୩ ଜଣ ଯୁବକ ବାହାରିଥିଲେ। ସେମାନେ ପ୍ରଥମେ କ୍ରେଟା ଗାଡ଼ିର ଦୁଇଟି ଚକ ପଙ୍କ୍ଚର କରି ଦେଇଥିଲେ। ଏଥିସହ ଅଗ୍ରୱାଲଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ସ୍ୱିଫ୍ଟ ଗାଡ଼ି ଭିତରକୁ ନେଇଯାଇଥିଲେ। ଏହାପରେ କାରଟି ଦ୍ରୁତ ଗତିରେ ଝାରସୁଗୁଡ଼ା ପଟକୁ ଚାଲି ଯାଇଥିଲା। ଅଗ୍ରୱାଲଙ୍କ ଡ୍ରାଇଭର ଘଟଣା ସମ୍ପର୍କରେ ତାଙ୍କ ପୁଅଙ୍କୁ ଫୋନ୍ କରି ଜଣାଇଥିଲେ। ଏଥିସହ ଶାସନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।
ଘଟଣାସ୍ଥଳକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ଲଗାଇଥିବାରୁ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି। ତେବେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଅଞ୍ଚଳବାସୀ କହିଛନ୍ତି। ସେପଟେ, ଝାରସୁଗୁଡ଼ା ରୋଡରେ ରହିଥିବା ରେଙ୍ଗାଲି ଟୋଲ୍ ଗେଟ୍ ଦେଇ ଉକ୍ତ କାର୍ ଯାଇଛି। ପୁଲିସ୍ ଉକ୍ତ ଟୋଲ୍ ଗେଟର ସିସିଟିଭି ଫୁଟେଜ୍ ଆଣି ଯାଞ୍ଚ ଚଳାଇଥିବା ସମୟରେ କାର୍ ଭିତରେ ବସିଥିବା ଅଭିଯୁକ୍ତମାନେ ଚିହ୍ନା ପଡ଼ୁ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/kidnap-bussinessman10_Thumb.jpg)