କ‌ରୋନା କାରୁଣ୍ୟ: ମନ୍ଦିର ବନ୍ଦ, ହାତ ବାନ୍ଧି ବସିଛନ୍ତି ପୂଜା ସାମଗ୍ରୀ ବେପାରୀ

ଦୋହଲିଗଲାଣି ଆର୍ଥିକ ସ୍ଥିତି

ବ୍ରହ୍ମପୁର: କରୋନା ପ୍ରଭାବରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ଗରିବ ଓ ମଧ୍ୟବିତ୍ତ ପରିବାର ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଛୋଟମୋଟ ବ୍ୟବସାୟ କରି ପରିବାର ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କ ସମସ୍ୟା ନ କହିବା ଭଲ। ତେବେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ସରକାର ଅନେକ କଟକଣା କୋହଳ କରିଛନ୍ତି। ଫଳରେ କିଛି ବ୍ୟବସାୟୀ ସେମାନଙ୍କ ଅଣ୍ଟା ସଳଖିବାକୁ ଉଦ୍ୟମ କରୁଛନ୍ତି। ତେବେ ମନ୍ଦିର ଖୋଲିବା ପାଇଁ ସରକାର ଏଯାଏ ଅନୁମତି ଦେଇନାହାନ୍ତି। ସଂକ୍ରମଣ ଆଶଙ୍କାରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ କେବଳ ରୀତିନୀତି ଚାଲିଛି। କିନ୍ତୁ ମନ୍ଦିର ଖୋଲୁ ନଥିବାରୁ ଫୁଲ, ନଡ଼ିଆ, କଦଳୀ, ଭୋଗ, ଦୀପ ଭଳି ଅନେକ ପୂଜା ସାମଗ୍ରୀ ବିକି ଦି ପଇସା ରୋଜଗାର କରୁଥିବା ବ୍ୟବସାୟୀଙ୍କ ସ୍ଥିତି ଦୁର୍ବିଷହ ପାଲଟିଛି। ସେମାନଙ୍କ ଦୁଃଖ ସରୁ ନାହିଁ। କଟକଣା ଲାଗିଥିବାରୁ ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରିବା ପାଇଁ ଆସିପାରୁ ନାହାନ୍ତି। ଫଳରେ ଉକ୍ତ ବ୍ୟବସାୟୀମାନେ ହାତ ବାନ୍ଧି ବସିଛନ୍ତି। ସରକାର ସେମାନଙ୍କ ଦୁଃଖ ବୁଝିବା ସହ ସହାୟତା ପ୍ରଦାନ ପୂର୍ବକ କଟକଣା ଭିତରେ ଦେବାଳୟ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ପ୍ରଶାନ୍ତ ବାଡ଼ତ୍ୟା, ପୂଜା ସାମଗ୍ରୀ ଦୋକାନୀ

ଦୀର୍ଘ ୩୫ ବର୍ଷ ହେବ କୋର୍ଟପେଟା ଛକ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂଜା ସାମଗ୍ରୀ ଦୋକାନ କରିଛି। ଯାହା ରୋଜଗାର କରେ ସେଥିରେ ଘର ଭଡ଼ା ଦେବା ସହ ମଧୁମେହ ପୀଡ଼ିତା ସ୍ତ୍ରୀଙ୍କ ଔଷଧ ସାଙ୍ଗକୁ ୨ ପୁଅଙ୍କ ପଢ଼ା ଖର୍ଚ୍ଚ ଉଠାଇବାକୁ ପଡ଼େ। ପୂର୍ବରୁ ଦିନକୁ ୧୦୦୦ ରୁ ୧୫୦୦ ଟଙ୍କା ରୋଜଗାର ହେଉଥିଲା। ହେଲେ କରୋନା ସବୁ କିଛି ବିଗାଡ଼ି ଦେଲା। ଗତ ୮ ମାସ ହେଲା ବେପାର ବନ୍ଦ ଥିବାରୁ ହାତ ଖାଲି ହୋଇଯାଇଛି। ଇତି ମଧ୍ୟରେ ଅନେକଙ୍କ ଠାରୁ ବହୁତ ଧାର କରଜ କରି ସାରିଲିଣି।

ପ୍ରମିଳା ସାହୁ , ଦୀପ ଦୋକାନୀ

ମନ୍ଦିର ଆଗରେ ଦୀପ, ନଡ଼ିଆ, କଦଳି ଓ ଫୁଲ ବିକ୍ରି କିରି ଯାହା ରୋଜଗାର କରେ ସେଥିରେ ପରିବାର ଚଳାଇଥାଏ। ତେବେ କରୋନା ପାଇଁ ରୋଜଗାର ପୂରା ଠପ୍ ହୋଇଯାଇଛି। ଘରେ ଗୋଟିଏ ସ୍ବାମୀ ପରିତ୍ୟକ୍ତା ଝିଅ ସାଙ୍ଗକୁ ଗୋଟିଏ ଅବିବାହିତା ଝିଅ। ଫଳରେ ପରିବାର ଚଳାଇବା ଭାରି କଷ୍ଟ ହେଉଛି। ପୂର୍ବରୁ ମନ୍ଦିରକୁ ଭକ୍ତମାନେ ବହୁତ୍ ମାତ୍ରାରେ ଆସୁଥିବାରୁ ଭଲ ରୋଜଗାର ହେଉଥିଲା। ହେଲେ କଟକଣା ପାଇଁ ଏବେ ବେପାରର ୧୦ ପ୍ରତିଶତ ବି ହେଉ ନାହିଁ। ସରକାର ଆମ ପେଟପାଟଣା ଉପରେ ଧ୍ୟାନ ଦେଲେ ଭଲ ହୁଅନ୍ତା।


ଆଶା ରାଉଳ, ଫୁଲ ଓ ଦୀପ ଦୋକାନୀ

ମୋ ସ୍ବାମୀ ମୋଚିଆ ରାଉଳ ବିଜିପୁର ମା’ ସନ୍ତୋଷୀଙ୍କ ମନ୍ଦିରରେ ପୂଜା ପାଠ କରୁଥିବା ବେଳେ ମୁଁ ଦୀପ ଓ ଫୁଲ ବିକ୍ରି କରିଥାଏ। ଆମେ ସ୍ବାମୀସ୍ତ୍ରୀ ଯାହା ରୋଜଗାର କରୁ ସେଥିରେ ପରିବାର କଷ୍ଟମଷ୍ଟେ ଚଳିଯାଇଥାଏ। ହେଲେ କରୋନା କଟକଣା ପାଇଁ ଏବେ ଭକ୍ତମାନେ ମନ୍ଦିର ଆସୁ ନଥିବାରୁ ଦିନକୁ ୫୦ରୁ ୬୦ ଟଙ୍କା ବେପାର ହେଉଛି। ଫଳରେ ଏମହରଗ ଦିନରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି।

ପ୍ରଶାନ୍ତ ସାହୁ, ପୂଜା ସାମଗ୍ରୀ ଦୋକାନୀ

ଆରାଧ୍ୟା ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପାର୍ଶ୍ବରେ ୨ ବର୍ଷ ହେଲା ପୂଜା ସାମଗ୍ରୀ ଦୋକାନ କରି ପରିବାର ଚଳାଇ ଆସୁଛି। ପୂର୍ବରୁ ଭଲ ରୋଜଗାର ହେଉଥିବାରୁ ପରିବାର ଚଳାଇବା କଷ୍ଟ ଜଣା ପଡ଼ୁ ନଥିଲା। ତେବେ କରୋନା କଟକଣା ପାଇଁ ଭକ୍ତମାନେ ମନ୍ଦିରକୁ ଆସୁ ନଥିବାରୁ ବେପାର ପୂରା ମାନ୍ଦା ଧରିଛି। ଫଳରେ ପରିବାର ଚଳାଇବା ଓ ପିଲା ମାନଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ଭରଣା କରି ହେଉ ନାହିଁ। ଏଭଳି ପରିସ୍ଥିତିରେ ସରକାର ମନ୍ଦିର ଖୋଲିବା ଲାଗି ଅନୁମତି ଦିଅନ୍ତୁ।

ସମ୍ବନ୍ଧିତ ଖବର