ଦେଓଗାଁ: ସରକାରଙ୍କ ନିର୍ଦେଶ ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ବୁଧବାରଠାରୁ ଚଳିତ ଖରିଫ ଧାନ କିଣା ଆରମ୍ଭ ହେବା କଥା। ହେଲେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ପାରି ନଥିବାରୁ ଖରିଫ ଧାନ କିଣା ଆରମ୍ଭ ହୋଇନାହିଁ। ଏବେ ଟୋକନକୁ ଚାଷୀ ଅପେକ୍ଷା କରିଛନ୍ତି। ଏପଟେ ସମବାୟ ବିଭାଗ ଟାର୍ଗେଟ ଆସି ନଥିବା କହୁଛି।
ଅନ୍ୟପକ୍ଷରେ ପ୍ରତି ପେକ୍ସକୁ ୪୦ ହଜାର ଟଙ୍କା ଖର୍ଚ୍ଚରେ ଚାଷୀମାନଙ୍କ ସୁବିଧା ପାଇଁ ଛାଇ, ପାନୀୟ ଜଳ, କରୋନା ପାଇଁ ସାନିଟାଇଜର, ସମ୍ପୂର୍ଣ୍ଣ ଆଲୋକୀକରଣ ସହ ସିସି ଟିଭି ଲଗାଇବାକୁ ନିର୍ଦେଶ ଦିଆଯାଇଛି। ହେଲେ ଏତେ କମ୍ ଟଙ୍କାରେ କ’ଣ କରାଯାଇପାରିବ ବୋଲି କିଛି ପେକ୍ସ ସଂପାଦକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍ରେ ଧାନକିଣା ପାଇଁ ଅର୍ଜୁନପୁର ପେକ୍ସରେ ୫୫୦ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବଡ଼ବନ୍ଧ ପେକ୍ସରେ ୩୯୮, ବନ୍ଧପଡ଼ା ୩୭୨, ଦେଓଗାଁ ୩୫୬, ଧଣ୍ଡାମାଲ ୫୩୩, ଗୌଡ଼ଗୋଠ ୪୨୬, ଜରାସିଂହା ୩୮୩, କୁତୁର୍ଲା ୫୮୭, ମହଲାଇ ୫୧୨, ରାମଚନ୍ଦ୍ରପୁର ୨୪୭, ସାରସମାଲ ୫୨୧, ଉପରଝର ପେକ୍ସର ୨୬୨ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିବା ସରକାରୀ ୱେବସାଇଟରୁ ଜଣାପଡ଼ିଛି।
ପ୍ରକାଶଥାଉ କି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ଦେଓଗାଁ ଓ ଜରାସିଂହା ଶାଖା ବ୍ୟାଙ୍କ ଅଧୀନରେ ଅଛି ୧୨ଟି ପେକ୍ସ। ଚଳିତ ଖରିଫ ଧାନ କିଣିବା ପାଇଁ ୧୨ ପେକ୍ସ ସହ ୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଚୁକ୍ତି କରିଛନ୍ତି।
ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଚାଷ ଠିକ୍ ଭାବେ ହୋଇଥିବାରୁ ହେରଫେର ହେବା ମଧ୍ୟ ଅଧିକ ଆଶଙ୍କା ପ୍ରକାଶ ପାଇଛି। ଏନେଇ ସମବାୟ ଅଧିକାରୀ ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ୍ରେ ଧାନକିଣା ପାଇଁ ପ୍ରସ୍ତୁତି ସରିନାହିଁ, ଚାଷୀଙ୍କ ପାଇଁ ଟୋକନ ଆସି ନାହିଁ, ଟୋକନ ଆସିବା ପରେ ଓ ମିଲରମାନଙ୍କ କେଉଁ ପେକ୍ସରୁ କିଏ ଧାନ ଉଠାଇବ ତାହା ଚୂଡ଼ାନ୍ତ ହେବା ପରେ ମଣ୍ଡି ଚାଲିବ ବୋଲି କହିଥିଲେ।
ଯଦି ଆରମ୍ଭରୁ ଏପରି ଅବ୍ୟବସ୍ଥା ହୁଏ, ତାହା ହେଲେ ହଜାର ହଜାର ଚାଷୀ କିପରି ଭାବେ ଉତ୍ପାଦନ କରିଥିବା ଧାନକୁ ବିକ୍ରୟ କରି ପାରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/rang-001-1pic.jpg)