ମଣ୍ଡିରେ ଧାନ କିଣା ଧିରେ ଧିରେ ସ୍ବାଭାବିକ; ଚାଷୀ ମିଲର କଟନିଛଟନି ପାଇଁ ସଲାସୁତରାର ରହସ୍ୟକୁ ନେଇ ଚର୍ଚ୍ଚା

୩୩୨୬ଚାଷୀଙ୍କ ଠାରୁ କିଣାଗଲାଣି ୨ଲକ୍ଷ ୩୮ହଜାର ୯୮୪କୁଇଣ୍ଟାଲ

ଜୟପୁର: ମଣ୍ଡି ଆରମ୍ଭର ୨୧ଦିନ ବିତିଛି। ଆଜି ଭାରତ ବନ୍ଦ ଥିବା ସତ୍ତ୍ବେ କିଛି ମଣ୍ଡିରୁ ବି ଧାନ କିଣାଯାଇଛି। ପୂର୍ବ ବର୍ଷଗୁଡିକରେ କଟନିଛଟନିକୁ ନେଇ ଦେଖାଦେଉଥିବା ବିବାଦ ଏହି ବର୍ଷ ଆଉ ଦେଖା ଦେଇନି। ଏହାରି ମଧ୍ୟରେ ୮ଟି ଲ୍ୟାମ୍ପ, ୧୯ଟି ମହିଳା ସ୍ବୟଂ ସହାୟକ ଦଳ ଓ ଗୋଟିଏ ପାଣି ପଂଚାୟତ ଏଭଳି ୨୮ଟି କ୍ରୟକାରୀ ସଂସ୍ଥା ପକ୍ଷରୁ ରିପୋର୍ଟ ଲେଖାହେବା ଯାଏଁ ୨ଲକ୍ଷ ୩୮ହଜାର ୯୮୪କୁଇଣ୍ଟାଲ ଧାନ କିଣିଛନ୍ତି। ଏହି ବର୍ଷ ପ୍ରଥମ କରି ରାଜ୍ୟ ସରକାର ମିଲରମାନଙ୍କୁ ମଣ୍ଡି ଟ୍ୟାଗିଂ ରାଜ୍ୟ ସ୍ତରରୁ କରିଛନ୍ତି। ଏହି କ୍ରମରେ ପୂର୍ବରୁ ଯେଉଁ ମଣ୍ଡି ମିଲରଙ୍କ ଟ୍ୟାଗିଂରେ ଥିଲା ଏହି ବର୍ଷ ତାହା ଆଉ ନାହିଁ। ଏହି କ୍ରମରେ ଏବେ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଲରଙ୍କ ଟ୍ୟାଗିଂକୁ ପରିବର୍ତ୍ତନ କରିଛନ୍ତି। ଏବେ ବହୁ ମିଲର କୋରାପୁଟ ଉପଖଣ୍ଡକୁ ଯାଇ ଧାନ ଉଠାଇ ଆଣିବା ସପକ୍ଷରେ ନାହାନ୍ତି। ଏଭଳି ସ୍ଥିତିରେ ସଂପ୍ରତି ଜୟପୁର ଉପଖଣ୍ଡର ବୈପାରୀଗୁଡା, ବୋରିଗୁମ୍ମା, କାମତା, କୁମୁଲିପୁଟ, ଉମୁରୀ, କୋଟପାଡ, କୁନ୍ଦ୍ରା ଲ୍ୟାମ୍ପରୁ ୨୪୧୧ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୬୭ହଜାର ୭୭୬କୁଇଣ୍ଟାଲ ଧାନ କିଣାଯାଇଛି। କୋରାପୁଟଉପଖଣ୍ଡରେ ଥିବା ୧୨ଟି ଲ୍ୟାମ୍ପ ମଧ୍ୟରୁ କାକିରୀଗୁମ୍ମା ଲ୍ୟାମ୍ପ ହିଁ କେବଳ ୧୬୦.୩୬କୁଇଣ୍ଟାଲ ଧାନ ଆଜି ପର୍ଯ୍ୟନ୍ତ କିଣିଛି।

ସେଭଳି ଜିଲ୍ଲାରେ ଥିବା ୨୪ଟି ମହିଳା ସ୍ବୟଂ ସହାୟକ ଦଳ ମଧ୍ୟରୁ ୧୯ଟି ମହିଳା ସ୍ବୟଂ ସହାୟକ ଦଳ ଆଜି ପର୍ଯ୍ୟନ୍ତ ୯୧୫ଜଣ ଚାଷୀଙ୍କ ନିକଟରୁ ୬୮ହଜାର ୦୯୭.୬୩କୁଇଣ୍ଟାଲ ଧାନ କିଣିଥିବା ବେଳେ ଗୋଟିଏ ପାଣିପଞ୍ଚାୟତ ୨୯ଜଣ ଚାଷୀଙ୍କ ୨୯୪୯.୬୯କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି କଂଗ୍ରେସ ସହ ଅନ୍ୟ କିଛି ଦଳ ପକ୍ଷରୁ ଭାରତ ବନ୍ଦ ଡାକାରା ଦିଆଯାଇଥିଲା। ଏହା ବାଦେ ବି ବହୁ ମଣ୍ଡିକୁ ଚାଷୀ ଧାନ ନେଇ ବିକ୍ରି କରିଛନ୍ତି। ଅଯଥା ଝଂଝଟରେ ପଡ଼ି ଦୀର୍ଘ ଦିନ ଧରି ଧାନକୁ ମଣ୍ଡିରେ , ଖଳାରେ ପକାଇ ରଖିବା ବଦଳରେ ସିଧାସଳଖ ଭାବେ କଥାବାର୍ତ୍ତା କରି ବିକ୍ରି କରି ଦେଲେ ବଡ ମୁଣ୍ଡ ବ୍ୟାଥା ଯିବ ବୋଲି ଚାଷୀ ରଘୁନାଥ ମାଝୀ, ସନ୍ୟାସୀ ପୁଜାରୀ , ହରି ଅମନାତ୍ୟ, ଭଦ୍ର ନାୟକ କହିଛନ୍ତି। ଗତ କିଛି ଦିନ ତଳେ ଦେଖାଦେଇଥିବା ଟୋକେନ୍ ବାହାରିବା ସମସ୍ୟା ଧିରେ ଧିରେ ସମାଧାନ ହୋଇଛି। ତେବେ ଏଭଳି କେଉଁ ଫାର୍ମୁଲା ମିଲର୍ସ ଏବଂ ଚାଷୀଙ୍କ ମଧ୍ୟରେ ସଂପ୍ରତି ଚାଳିଛି ଯେ ଦୀର୍ଘ ବହୁ ବର୍ଷ ଧରି ଦେଖା ଦେଇଥିବା କଟନି ଛଟନି ବିବାଦ ଦେଖା ନ ଦେଇ ଧାନ କିଣା ଶାନ୍ତି ଶୃଙ୍ଖଳାରେ ଚାଳିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର