ଜଂଗଲ ନିଆଁ ଭୟରେ ଏବେ ସହରାଭିମୁଖୀ ହେଉଛନ୍ତି ଜଂଗଲି ଜନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏବେ ସବୁ ଜଂଗଲରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ବନ କର୍ମଚାରୀ ନିଆଁ ଲିଭାଇବା ପାଇଁ ଜୋରସୋରରେ ପରିଶ୍ରମ କରୁଛନ୍ତି। ଏପରିକି ଦୁର୍ଗମ ଗ୍ରାମ ଗୁଡିକରେ ଲୋକଙ୍କୁ ନିଆଁ ନଲଗାଇବା ପାଇଁ ସଚେତନ କରାଉଛନ୍ତି। ପଥପ୍ରାନ୍ତ ନାଟ୍ୟ ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ଭାଷାରେ ଜଂଗଲ ନଷ୍ଟ ହେଲେ କଣ ହେବ ବୁଝାଇ ଦିଆଯାଉଛି। ତେବେ ଲୋକେ ସଚେତନ ହେଲେ କି ବୋଲି ପ୍ରଶ୍ନ ଉଠୁଛି। ନା କେବଳ ବନ ବିଭାଗ ନିଜର କର୍ତ୍ତବ୍ୟ ଭାବି ସଭା ସମିତି କରି ନିଜର ଦାୟିତ୍ବ ସାରି ଦେଉଛନ୍ତି। ଏନେଇ ଏବେ ଚର୍ଚା ଜୋର ଧରିଛି।

ଅନ୍ୟଦିଗରେ ଜଂଗଲରେ ନିଆଁ ଲାଗିବା ଫଳରେ ଜଂଗଲି ଜନ୍ତୁ ଏବେ ସହର ମୁହାଁ ହେଲେଣି। ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳଦଳ ମାଙ୍କଟ ଜଂଗଲ ଛାଡି ସହର ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଜଂଗଲରେ ଖାଦ୍ୟ ଅଭାବ ସାଂଗକୁ ନିଆଁର ପ୍ରକୋପରେ ଏବେ ଜନ୍ତୁ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ବନ୍ୟ ଜନ୍ତୁଙ୍କୁ ରକ୍ଷା ନେଇ ମଧ୍ୟ ବନ ବିଭାଗ ଲୋକଙ୍କୁ ସଚେତନ କରାଉଛନ୍ତି। ସେହିପରି ଭାଲୁ ମଧ୍ୟ ସହର ମୁହାଁ ହେଲେଣି। ରାତି ପାହିଲେ ମାଲକାନଗିରି, ଗୋବିନ୍ଦପାଲୀ, କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ନିଜକଟସ୍ଥ ଜଂଗଲରୁ ଭାଲୁ ବାହାରି ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ହେବାର ଶୁଣିବାକୁ ମିଳିଛି। ତୁରନ୍ତ ବନ ବିଭାଗ କୌଣସି ପଦକ୍ଷେପ ନନେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦଳଦଳ ମାଙ୍କଡ ରାସ୍ତା ଉପରକୁ ଆସି ଲୋକଙ୍କୁ ଖାଦ୍ୟ ମାଗୁଥିବା ଦେଖିବାକୁ ମିଳିଛି।

Sambad

ଲୋକେ ମଧ୍ୟ ମାଙ୍କଡଙ୍କୁ ଭଗବାନଙ୍କର ଅବତାର ମାନି ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାନ୍ତ ସାହୁ, ପ୍ରସାଦ ପାତ୍ର ଏବଂ କିଶୋରୀ ଗୁପ୍ତାଙ୍କ କହିବା ଅନୁଯାୟୀ ଏବେ ଜଂଗଲରେ ନିଆଁ, ଜୀବଜନ୍ତୁ ବାଧ୍ୟ ହୋଇ ସହର ମୁହାଁ ହେବେ। ତେବେ ଆମର କର୍ତ୍ତବ୍ୟ ଆମେ ଯେତିକି ପାରିବା ସେମାନଙ୍କ ଜୀବନ ରକ୍ଷା ପାଇଁ ସହଯୋଗ କରିପାରିବା।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଗତ ଦୁଇବର୍ଷ ଜଂଗଲରେ ନିଆଁ ଲଗାଇବା ନେଇ ୨୧୫୨ଟି ମାମଲା ରୁଜୁ କରାଯାଇଥିଲା। ଗତ ବର୍ଷ ୨୦୨୦ ମସିହାରେ ୧୧୬୦ଟି ମାମଲା ରୁଜୁ କରାଯାଇଛି। ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ମାତ୍ର ୨୮୮ଟି ମାମଲା ରୁଜୁ କରାଯାଇଥିବା କୁହାଯାଇଛି। ଜଂଗଲରେ ନିଆଁ ଲାଗିବା ଏବଂ ଜୀବଜନ୍ତୁଙ୍କ ପଳାୟନ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଯେତେ ନିଆଁ ଲିଭାଉଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ଏକ ପ୍ରକାର କଷ୍ଟକର ହୋଇପଡୁଛି। କିନ୍ତୁ ବନ ବିଭାଗ ନିଆଁକୁ ଆୟତ୍ତ କରୁଥିବା ଦୃଢକ୍ତି ପ୍ରକାଶ କରିଛି।

ସେହିପରି ବନ୍ୟ ପ୍ରାଣୀଙ୍କର ମଧ୍ୟ ରକ୍ଷା ନେଇ ପଦକ୍ଷେପ ନିଆଯାଉଥିବା ବନ ବିଭାଗ କହୁଛି। ହିଂସ୍ର ଜନ୍ତୁକୁ ଛାଡି ଯଦି ହରିଣ, ବାରହା ଭଳି ନିରୀହ ପ୍ରାଣୀ ଗାଁ ମୁହାଁ ହେବେ ତେବେ ସେମାନଙ୍କର ଜୀବନକୁ ବିପଦ ରହିଥିବା କୁହାଯାଇଛି। ଯାହାକୁ ନେଇ ବନ ବିଭାଗ ଲୋକମାନଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର