ଆଇନଜୀବୀଙ୍କ ବଦାନ୍ୟତା; ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ

ଜୟପୁର: ଜୟପୁରର ଆଇନଜୀବୀ ଏସ୍. ସୁନ୍ଦରମ୍ ସ୍ବେଚ୍ଛାକୃତ ଭାବେ ଜଣେ ଜରୁରୀ ରୋଗୀଙ୍କ ପାଇଁ ‘ଏ’ ପଜିଟିଭ୍ ରକ୍ତଦାନ କରି ଜୀବନ ବଂଚାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଅଂଚଳର ହୀରାବତୀ ପାତ୍ର ନାମକ ଜୈନେକ ମହିଳା ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତରେ ହିମୋଗ୍ଲୋବିନ୍ କମ୍ ରହିଛି। ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ତୁରନ୍ତ ରକ୍ତ ନେବା ପାଇଁ କହିଥିଲେ। ତାଙ୍କ ପରିବାର କୋରାପୁଟ ରକ୍ତଭଣ୍ଡାରକୁ ‌ଯାଇ ଖୋଜିଥିଲେ ହେଁ ପାଇ ପାରିନଥିଲେ। ତାଙ୍କର ଜଣେ ସଂପର୍କୀୟ ଏ ସଂପର୍କରେ ଜାଣିବା ପରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରିଥିଲେ।

ଏହାକୁ ଦେଖି ଆଇନଜୀବୀ ସୁନ୍ଦରମ୍  ନିଜ ଆଡ଼ରୁ ଉକ୍ତ ଫେସବୁକରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ସେ ନିଜେ ଜୟପୁରରୁ କୋରାପୁଟ ରକ୍ତଭଣ୍ଡାରକୁ ଯାଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଫେରିଥିଲେ। ଜଣକର ଜୀବନ ମରଣ ତଥା ଅତ୍ୟନ୍ତ ଜରୁରୀ ସମୟରେ ରକ୍ତଦାନ କରି ଯେଉଁ ଆତ୍ମସନ୍ତୋଷ ଲାଭ କରିଛି ତାହା କହିବା ମୁସ୍କିଲ ବୋଲି କହିଛନ୍ତି ସୁନ୍ଦରମ। ଆଗାମୀ ଦିନରେ ସେ ଏଭଳି ଜରୁରୀ ରୋଗୀଙ୍କ ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଯୁବବର୍ଗ ଏଭଳି କାର୍ଯ୍ୟ ପାଇଁ ଆଗେଇ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଲେ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବ ରହିବ ନାହିଁ ବୋଲି କହିଛନ୍ତି ସୁନ୍ଦରମ। ସୁନ୍ଦରମଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି।

ସମ୍ବନ୍ଧିତ ଖବର