ଯାଜପୁର (ଅନିଲ କୁମାର ପଣ୍ଡା): ଡିଏମଏଫ୍ ଅର୍ଥରେ ବ୍ୟାସନଗର ପୌରାଞ୍ଚଳ ଓ ପାଣିକୋଇଲି ଅଞ୍ଚଳର ବିକାଶ କରିବା ପ୍ରସ୍ତାବକୁ ମୋହର ମାରିଛନ୍ତି ରାଜ୍ୟ ସରକାର। ଦୀର୍ଘ ଦିନର ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଦାବି ରଖି ଆସୁଥିବା ବେଳେ ଏନେଇ ଜିଲ୍ଲାପାଳ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ଯାହାକୁ କି ଆଜି ମଂଜୁରୀ ପ୍ରଦାନ କରିଛନ୍ତି ସରକାର। ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ଖଣିଜ ପାଣ୍ଠିର ଅର୍ଥ ଖର୍ଚ୍ଚ ନହୋଇ ବଳି ପଡୁଥିବା ବେଳେ ଏହାର ଖର୍ଚ୍ଚ ପାଇଁ ଅନୁମତିର ଆବଶ୍ୟକତା ହୋଇଥାଏ। କାରଣ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖର୍ଚ୍ଚ କରାଯାଇପାରେ ନାହିଁ। କିନ୍ତୁ ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକରେ ଗଢ଼ି ଉଠିଥିବା କାରଖାନା ଓ ଖଣି ପାଇଁ ଉକ୍ତ ଅଞ୍ଚଳକୁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଥିବା ବ୍ୟାସନଗର ଓ ପାଣିକୋଇଲି ଅଞ୍ଚଳ ବି ପରୋକ୍ଷ ଭାବେ ଖଣି ଓ କାରଖାନା ଦ୍ବାରା ପ୍ରଭାବିତ ହେଉଥିଲା।
/sambad/media/post_attachments/wp-content/uploads/2020/08/9886f9e8-ef1f-43ba-b18c-a3b391f0e43c.jpg)
ଏହି ଅଞ୍ଚଳର ଅଧିବାସୀ ମଧ୍ୟ କାରଖାନାର ଧୂଆଁ ଓ ଗାଡିମଟରର ଧୂଳି ଦ୍ବାରା ପ୍ରଭାବିତ ହେଉଥିଲେ। କିନ୍ତୁ ଖଣିଜ ପାଣ୍ଠିର ଅର୍ଥ ଉକ୍ତ ଅଞ୍ଚଳରେ ବିନିଯୋଗ ହୋଇପାରୁନଥିଲା। କିନ୍ତୁ ବର୍ତମାନ ସରକାରଙ୍କ ପ୍ଲାନିଂ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଖଣିଜ ପାଣ୍ଠି ଅର୍ଥ ବ୍ୟାସନଗର ଓ ପାଣିକୋଇଲି ଅଞ୍ଚଳରେ ଖର୍ଚ୍ଚ ଅନୁମତି ପ୍ରଦାନ କରାଯାଇଛି।
ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା ବିଭାଗୀୟ ଚିଠି ନଂ ୮୧୫୩/୧୪.୮.୨୦୨୦ରେ ଜିଲ୍ଲା ଖଣିଜ ପାଣ୍ଠିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ଚିଠି ନଂ ୨୦୯୮/୪/୮/୨୦୨୦ ଏବଂ ୨୧୧୮/୧୦/୮/୨୦୨୦ରେ ପ୍ଲାନିଂ ବିଭାଗକୁ ଏନେଇ ଅନୁରୋଧ କରାଯାଇଛି। ଯାହାକି ସରକାର ମଂଜୁରୀ ପ୍ରଦାନ କରିଛନ୍ତି। ଏବେ ବ୍ୟାସନଗର ପୌରାଞ୍ଚଳ ଏବଂ ପାଣିକୋଇଲି ଅଞ୍ଚଳରେ ମହଜୁଦ୍ ଥିବା କୋଟି କୋଟି ଟଙ୍କା ବିନିଯୋଗ ହୋଇପାରିବ। ଯାହାକି ୨୦୧୫ ଖଣିଜ ପାଣ୍ଠି ଅଧିନିୟମ, ଓଡିଶା ୧୮ (ଏ) ଅନୁସାରେ କାର୍ଯ୍ୟକାରୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବ୍ୟାସନଗର ଓ ପାଣିକୋଇଲିବାସୀଙ୍କ ମନରେ ଆନନ୍ଦର ଲହରି ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/db5285c1-019d-4f0c-82dd-b06011d7ae3b.jpg)