ଅମ୍ଲାଭଟ୍ଟା-ସିରିକଣା ବାଇପାସ୍ କେବେ? ବିଶାଖାପାଟଣା-ରାୟପୁର ରୁଟରେ ବଢ଼ୁଛି ଟ୍ରାଫିକ୍ ଯନ୍ତ୍ରଣା

ରାୟଗଡ଼ା: ବର୍ଷ ବର୍ଷ ଧରି ଚୂଡ଼ାନ୍ତ ହୋଇପାରୁନି ଡିପିଆର୍। ୩ ବର୍ଷ ହେଲା ଚାଲିଥିବା ସର୍ଭେ ମଧ୍ୟ ସରିପାରୁନି। ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ଯୋଗୁ ବାଇପାସ୍ ଡିପିଆରକୁ ନେଇ ଦ୍ବନ୍ଦ୍ବରେ ରହିଛି ଜାତୀୟ ରାଜପଥ ବିଭାଗ। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ନେଇ କେବଳ ବୈଠକରେ ଆଲୋଚନା ଛଡ଼ା କୌଣସି ଅଗ୍ରଗତି ହୋଇପାରୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ଏବଂ ବିଶାଖାପାଟଣା-ରାୟପୁର ରୁଟରେ ଟ୍ରାଫିକ୍ ଯନ୍ତ୍ରଣା କମାଇବାକୁ ଅମ୍ଲାଭଟ୍ଟା-ସିରିକଣା ବାଇପାସ୍ ରାସ୍ତାର ପରିକଳ୍ପନା କରାଯାଇଥିଲା। ଲୋକ ପ୍ରତିନିଧିଙ୍କ ପ୍ରସ୍ତାବକ୍ରମେ ଜାତୀୟ ରାଜପଥ ବିଭାଗ ଏହି ପ୍ରକଳ୍ପକୁ ବିଚାରକୁ ନେଇ ୪୫୦ କୋଟି ଟଙ୍କା ବ୍ୟୟରେ ବାଇପାସ୍ ନିର୍ମାଣକୁ ଅନୁମୋଦନ କରିଛି। ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣାରୁ ଆରମ୍ଭ ହୋଇ ଜେକେପୁର-ବ୍ରହ୍ମପୁର ରାସ୍ତାର ଅମ୍ଲାଭଟ୍ଟା ନିକଟରେ ଶେଷ ହେବ ବାଇପାସ୍ ରାସ୍ତା। ତେବେ ବାଇପାସ୍ ରାସ୍ତା ଲାଗି ତିନୋଟି ପ୍ରସ୍ତାବ ରାଜପଥ ବିଭାଗ କର୍ତ୍ତୃପକ୍ଷ ବିଚାରକୁ ନେଇ ସର୍ଭେ ଚଲାଇଛନ୍ତି।

ନିକଟରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିଶା ବୈଠକରେ ବାଇପାସ୍ ରାସ୍ତା ସଂପର୍କରେ ଆଲୋଚନା ହୋଇଥିଲା। ତୁରନ୍ତ ସର୍ଭେ ପ୍ରକ୍ରିୟା ସାରି ଜମି ଅଧିଗ୍ରହଣ କାମ ଆରମ୍ଭ କରିବାକୁ ବୈଠକରେ ସାଂସଦ ନିର୍ଦେଶ ଦେଇଥିଲେ। ବାଇପାସ୍ ନଥିବାରୁ ରାୟଗଡ଼ା ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଦୈନିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି। ବିଶେଷ କରି ବିଶାଖାପାଟଣା-ରାୟଗଡ଼ା-ରାୟପୁର ରୁଟରେ ଟ୍ରାଫିକ୍ ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦୈନିକ ଏହି ରୁଟରେ ଶହ ଶହ ଭାରିଯାନ ଚଳାଚଳ କରୁଛି। ବିଶାଖାପାଟଣାରୁ ଆସୁଥିବା ଭାରିଯାନ ଗୁଡ଼ିକ ରାୟଗଡ଼ା ସହରର ଏସବିଆଇ ମୁଖ୍ୟ ଶାଖା, ଦୈନିକ ମାର୍କେଟ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ା ଥାନା, କୋରାପୁଟ ଛକ ଦେଇ ଚଳାଚଳ କରିବାକୁ ପଡୁଛି। ଯାହା ଫଳରେ ବ୍ୟାଙ୍କ, ମେଡ଼ିକାଲ୍, ବଜାର ଉପରେ ନିର୍ଭର କରୁଥିବା ଲୋକ ନାର୍ହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରିଯାନ ଚଳାଚଳ ପାଇଁ କୌଣସି କଟକଣା ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଚାଲି ଯାଉଛି।

ଟିକିରି ଉତ୍କଳ ଆଲୁମିନା, ଜେକେ କାଗଜକଳ, ଥେରୁବାଲି ଇମ୍ଫାକୁ ଦୈନିକ ୧ ହଜାରରୁ ଉର୍ଧ୍ବ ଭାରିଯାନ ଚଳାଚଳ କରୁଥିବାରୁ ବାଇପାସର ଜରୁରି ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ରାୟଗଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ୨୭ ବର୍ଷ ପୁରୁଣା ରେଲୱେ ଓଭରବ୍ରିଜ୍ ସ୍ଥିତି ଦୁର୍ବଳ ହୋଇ ଚାଲିଥିବାରୁ ଆଉ ୨/୩ ବର୍ଷ ପରେ ଭାରିଯାନ ଚଳାଚଳ କରିବା ସମ୍ଭବପର ନୁହେଁ। ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ କମାଇବାକୁ ତୁମ୍ବିଗୁଡ଼ା ଛକରୁ ବାରିଝୋଲା ଦେଇ କୋରାପୁଟ ଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ହୋଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତା ନିର୍ମାଣ କରିଥିଲେ ମଧ୍ୟ ସର୍ଭେ ଭୁଲ୍ ଯୋଗୁ ବାଇପାସ୍ ରାସ୍ତା କାମରେ ଆସିପାରୁନି। ବାଇପାସ୍ ରାସ୍ତା ମଧ୍ୟରେ ରେଳ ଫାଟକ, ଜନବସତି ରହିଥିବାରୁ ଭାରିଯାନ ଚଳାଚଳରେ ସମସ୍ୟା ହେଉଥିବାରୁ ଅଧିକାଂଶ ଗାଡ଼ି ସହର ଦେଇ ହିଁ ଯାତାୟାତ କରୁଛନ୍ତି। ରଥଯାତ୍ରା ଲାଗି ଅପରାହଣ୍ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୈନିକ ବଜାର ଦେଇ ଭାରିଯାନ ଚଳାଚଳକୁ ନିଷିଦ୍ଧ କରାଯାଇଥିବାରୁ ବିଶାଖାପାଟଣା-ରାୟଗଡ଼ା ରୁଟରେ ଶହ ଶହ ଭାରିଯାନ ଅଟକି ରହୁଛି। ଫଳରେ ଜରୁରି କାମରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି।

ସମ୍ବନ୍ଧିତ ଖବର