ରଘୁନାଥପୁର: ଦୀର୍ଘ ବର୍ଷ ହେବ ଜନ୍ମଗତ ଅଜଣା ଚର୍ମ ରୋଗରେ ଛଟପଟ ହେଉଥିବା ୭ ବର୍ଷର ଝିଅ ସରିତାର ଉନ୍ନତ ଚିକିତ୍ସା ନିମନ୍ତେ କୋଲକାତା ଏମ୍ସ୍କୁ ସ୍ଥାନାନ୍ତର କରିଥିବା ସମାଜ ବିକାଶ ମିସନ୍ର ମୁଖ୍ୟ ସରିତ ମହାପାତ୍ର ଏବେ ଚର୍ଚ୍ଚାରେ। ସରିତ୍ଙ୍କ ଏଭଳି ସେବା କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ସହ ସରିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେମାନେ। ତାର ଶରୀରର ଚର୍ମ ଅତ୍ୟନ୍ତ ପତଳା ହୋଇଥିବାରୁ ସାମାନ୍ୟ ଆଘାତ କିମ୍ବା ଟିକେ ଖରାଗରମ ହେଲେ ଦେହରେ ଫୋଟକା ଓ ପରେ ଘା’ ହୋଇଯାଉଥିଲା। ଫଳରେ ସରିତାର ପାଠ ପଢାରେ ଡୋରି ଲାଗିଥିଲା। ଅସହ୍ୟ ଯନ୍ତ୍ରଣାରେ ସରିତା ଓ ତାର ପରିବାର ଦିନ କାଟୁଥିଲେ। ସରିତାର ବାପା ସୁରେନ୍ଦ୍ର ଭୋଇ କବାଡି ସାମଗ୍ରୀ ଗୋଟାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଝିଅର ଚିକିତ୍ସା ପାଇଁ ଅର୍ଥବାଧକ ହୋଇଥିଲା। ସରିତାର ରୋଗର ଚିକିତ୍ସା ସହାୟତା ପାଇଁ ବିଭିନ୍ନ ସମାଜସେବୀ ସ˚ଗଠନ ସହଯୋଗ ହାତ ବଢ଼ାଇଥିବା ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ସୋସିଆଲ ମିଡିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୟୁଟ୍ କରାଯାଇଥିଲା।
ଏପରିକି ସ୍ବାସ୍ଥ୍ୟମନ୍ତ୍ରୀ ଟ୍ୟୁଟ୍ କରି ୨୪ ଘଣ୍ଟା ଭିତରେ ସରିତାର ଚିକିତ୍ସା ପାଇଁ ସହଯୋଗ କରାଯିବ ବୋଲି କହିଥିଲେ। ହେଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ହୋଇ ରହିଗଲା। ଚିକିତ୍ସା ଆଗେଇ ପାରିନଥିଲା।
ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରଘୁନାଥପୁର ତଥା ଜଗତ୍ସିଂହପୁର ଜିଲ୍ଳାର ଅଗ୍ରଣୀ ଅନୁଷ୍ଠାନ ସମାଜ ବିକାଶ ମିସନ ସହାୟତାର ହାତ ବଢ଼ାଇଛି। ମିସନର ସ˚ପାଦକ ସରିତ ମହାପାତ୍ର ୨ ଦିନ ପୂର୍ବେ ସରିତାକୁ ତାର ପିତାମାତାଙ୍କ ସହ ନେଇ କୋଲକାତା ଏମ୍ସ୍କୁ ଯାଇ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ। ଏପରି ଚର୍ମରୋଗ ବହୁତ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳେ ଓ ତାଙ୍କ ୩୦ ବର୍ଷ ଡାକ୍ତରୀ ଜୀବନ ଭିତରେ ଏହା ୪ନମ୍ବର କେସ୍ ବୋଲି ପ୍ରଫେସର ଡାକ୍ତର ସଚିନ ବର୍ମା କହିଥିଲେ। ସମାଜ ବିକାଶ ମିସନ୍କୁ ସେ ସ˚ପୂର୍ଣ୍ଣ ସହଯୋଗ କରିବେ ଓ ସରିତାର ଚିକିତ୍ସା ତାଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ୍ ବୋଲି କହଥିଲେ। ସରିତା ରୋଗ ଭଲ ହେବା ପାଇଁ ୧ ମାସର ଔଷଧ ଦେବା ସହ ରୋଗ ଭଲ ନହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚିକିତ୍ସାରେ ସହଯୋଗ କରାଯିବାର ଅଶ୍ବାସନା ଦେବା ପରେ ଆଜି ସମାଜ ବିକାଶ ମିସନର ସରିତ ମହାପାତ୍ର ଓ ସରିତା ଓଡ଼ିଶା ଫେରିଛନ୍ତି।