ଭଞ୍ଜନଗର: କେବେ ହାତୀ ତ କେବେ ଘୋଡା ତ ପୁଣି କେବେ ଓଟ ପଶୁ ହେଲେ ମଧ୍ୟ ମଣିଷର ବାହାକ ସାଜି ତାର ରୋଜଗାରର ମାଧମ ସାଜିଥାଏ। ମଣିଷର ବୋଲ ମାନି ତା ଇସାରେ କାର୍ଯ୍ୟ କରିବା ସହ ନିଜ ମାଲିକ ଏବଂ ତା ନିଜ ପାଇଁ ଆହାର ଯୋଗାଡ କରିବାରେ ନିଜକୁ ସାମିଲ କରିଦିଏ। ମାଲିକ ପାଇଁ ଅର୍ଥ ଉର୍ପାଜନ କରିବାକୁ ସମସ୍ତ ପ୍ରକାର କଷ୍ଟକୁ ସେ ସହ୍ୟ କରିଥାଏ। ହଜାର ହଜାର କିମି ବାଟ ଅତିକ୍ରମ କରି ମାଲିକ ସହ ପରିବାର ସଦସ୍ୟ ଭଳି ଚଳିଥାଏ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ଇଲାକାରେ। ଗତ କିଛିଦିନ ଧରି ଉତ୍ତରପ୍ରଦେଶ ରାଜ୍ୟର ଆହ୍ଲାବାଦ ନିକଟ ବେରମା ପାହାଡ ଗ୍ରାମର କିଛି ବଞ୍ଜାରା ସାଙ୍ଗରେ ତିନୋଟି ଓଟକୁ ନେଇ ଏଠାରେ ଡେରା ପକାଇଛନ୍ତି। ଏମାନେ ଓଟକୁ ଧରି ବିଭିନ୍ନ ସମୁଦ୍ରକୂଳ ଇଲାକା ବୁଲିବା ସହ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ଓଟରେ ଛୋଟ ପିଲା ଠାରୁ ଆରମ୍ଭ କରି ଆବାଳବୃଦ୍ଧ ବନୀତାଙ୍କୁ ବସାଇ ଟଙ୍କା ରୋଜଗାର କରନ୍ତି।
ବର୍ଷର ୯ ମାସ ବିଭିନ୍ନ ଅଞ୍ଚଳ ବୁଲି ରୋଜଗାର କରୁଥିବା ବାକି ୩ ମାସ ଘରକୁ ଫେରିଯାଆନ୍ତି ବୋଲି ଓଟକୁ ସାଙ୍ଗରେ ଆଣିଥିବା ପ୍ରେମ କୁମାର ଜଏସ୍ଲୱାର୍ କହିଛନ୍ତି। ଓଟ ଭଳି ପ୍ରାଣୀ ପ୍ରାୟତଃ ହରିଆଣା ଓ ରାଜସ୍ଥାନ ଭଳି ମରୁଭୂମୀ ଇଲାକାରେ ଦେଖାଯାଆନ୍ତି। କିନ୍ତୁ ଓଟକୁ ନେଇ ରୋଜଗାର କରିବା ପାଇଁ କିଛି ବ୍ୟକ୍ତି ଓଡ଼ିଶା ଭଳି ପରିବେଶକୁ ଆଣି ଦୀର୍ଘଦିନ ଧରି ତାକୁ ପାଖରେ ରଖି ଏହି ପରିବେଶ ସହ ଖାପ ଖୁଆଇ ସାରିଲେଣି। ଆଉ ବର୍ତ୍ତମାନ ଓଟକୁ ନେଇ ଗାଁ ଗାଁ ବୁଲି ରୋଜଗାର କରିବା ଆରମ୍ଭ କରିଦେଲେଣି। ଏହି ଦଳରେ ପ୍ରେମ୍ କୁମାରଙ୍କ ସମେତ ମହେନ୍ଦ୍ର ଜଏସ୍ଲ୍ୱାର୍ ଯୋଗେସ୍ କୁମାର ଏବଂ ଅଜୟ କୁମାର ରହିଛନ୍ତି। ଏମାନଙ୍କ ପରିବାର ଅହ୍ଲାବାଦ୍ରେ ରହୁଥିବା ବେଳେ ପାଳି କରି ଏମାନେ ଘରକୁ ଯାଇଥାନ୍ତି। ଓଟ ଭଳି ବରିଳ ପ୍ରାଣୀକୁ ଘର ନିକଟରେ ପାଇ ବହୁ ବ୍ୟକ୍ତି ପିଲାଙ୍କୁ ଓଟରେ ବସାଇ ଖୁସି କରାଉଥିବା ବେଳେ କିଛି ଓଟ ସହ ଫଟୋ ଉଠାଇ ରଖିବାକୁ ଶୁଭ ମାନୁଥିବାରୁ ଏମାନେ ରୋଜଗାରର ମାଧ୍ୟମ କରି ନେଇଛନ୍ତି।
ପୂର୍ବରୁ ଏମାନେ ପୁରୀ, ଗୋପାଳପୁର, ସୁନପୁର, ଦିଘା ଭଳି ସମୁଦ୍ରକୂଳ ଅଞ୍ଚଳରେ ରହୁଥିବା ବେଳେ ସେଠାରେ ଓଟ ମାଲିକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆଉ ପୂର୍ବ ଭଳି ରୋଜଗାର ହେଉନଥିବା ପ୍ରକାଶ କରିଛନ୍ତି। ତେଣୁ ସେମାନେ ଓଟକୁ ନେଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ଯାହା ଫଳରେ ପୂର୍ବରୁ ସମୁଦ୍ରକୂଳରେ ଓଟ ଉପରେ ବସିବାର ମଜା ମିଳୁଥିବା ବେଳେ ଏବେ ଗାଁ ନିକଟରେ ଏହାର ମଜା ମିଳିପାରୁଛି। ଗୋଟିଏ ଇଲାକାରୁ ଅନ୍ୟତ୍ର ଯିବାକୁ ହେଲେ ସମସ୍ତେ ଏକା ସାଙ୍ଗରେ ଚାଲି ଚାଲି ଯାଇଥାନ୍ତି। ଆଉ ଯିବା ବାଟରେ ପଡୁଥିବା ସମସ୍ତ ଗ୍ରାମରେ ବୁଲି ଓଟରେ ଲୋକଙ୍କୁ ମନୋରଞ୍ଜନ କରିବା ସହ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ପ୍ରକାଶ କରିଛନ୍ତି।
ଓଟ ପାଇଁ ଘାସ ସହ କିଛି ଗହମ ଯୋଗାଡ କରିବା ପରେ ନିଜେ ଏକ ସୁରକ୍ଷିତ ସ୍ଥାନ ଦେଖି ରୋଷେଇ କରି ଖାଇଥାନ୍ତି। ପ୍ରତ୍ୟେକ ଦିନ ଯାହା ଅର୍ଥ ରୋଜଗାର ହୁଏ ତାକୁ ଗୋଟିଏ ସ୍ଥାନରେ ଜମା କରି ଶେଷରେ ସେମାନଙ୍କ ମଧ୍ୟରେ ବାଣ୍ଟି ନିଅନ୍ତି ବୋଲି ପ୍ରେମ କୁମାର କହିଛନ୍ତି। ଏଭଳି ବୁଲିବା ସହ ବିଭିନ୍ନ ଯାନୀ ଯାତ୍ର ଏବଂ ଉତ୍ସବ, ବିବାହ ଆଦି ଶୋଭାଯାତ୍ରାରେ ଓଟକୁ ସାମିଲ କରି ଭଲ ଦୁଇପଇସା ରୋଜଗାର କରନ୍ତି ବୋଲି କହିଛନ୍ତି। ଓଟଟି ମାଲିକ ମାନଙ୍କ କଥାକୁ ଆଜ୍ଞାଧୀନ ବୋଲି ମାନୁଥିବା ବେଳେ ପଶୁ ହେଲେ ମଧ୍ୟ ସେ ନିଜ ମାଲିକର ପରିବାର ପ୍ରତିପୋଷଣ କରିବାରେ କେବେ କୁଣ୍ଠାବୋଧ କରିନଥିବା ସାଧାରଣରେ ଦେଖିବାକୁ ମିଳିଛି।