ପୁରୀ: ପ୍ରସ୍ତାବିତ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟର ତଦାରଖ ପାଇଁ ପୁରୀ ରେଳ ଷ୍ଟେସନଠାରେ ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି | ଯାତ୍ରୀମାନଙ୍କ ଅନୁକୂଳ ସୁବିଧା ସହ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ପୁରୀ ରେଳ ଷ୍ଟେସନକୁ ପୁନଃ ନିର୍ମାଣ କରାଯାଉଛି | ଷ୍ଟେସନର ମୁଖଦ୍ଵାର ଏବଂ ଯାତ୍ରୀ ନିବାସ ଓଡିଶାର ମନ୍ଦିର ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦ୍ଵାରା ଅନୁପ୍ରାଣିତ ହେବ | ଏହି ପୁନଃ ବିକାଶ ଯୋଜନାରେ ନୂତନ ବିଲଡିଂ, ଏୟାର କନକୋର୍ସ, ପ୍ଲାଟଫର୍ମ ଓ ପ୍ଲାଟଫର୍ମ ଆଶ୍ରୟସ୍ଥଳର ଏବଂ ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ରର ନବୀକରଣ ଆଦି ରହିଛି |

Advertisment

ବର୍ଜ୍ୟବସ୍ତୁ ପରିଚାଳନା ସହିତ ଫୁଡ୍ କୋର୍ଟ ଜୋନ୍, ସପିଙ୍ଗ ଜୋନ୍ ବ୍ୟତୀତ ଉଚ୍ଚ ମାନର ଡର୍ମିଟୋରି ଏବଂ ରିଟାୟରିଙ୍ଗ ରୁମ ରହିବ | ଉଲ୍ଲେଖ ଥାଉ କି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଗତ ପୁରୀ ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକଳାପ ଉପରେ ନିରୀକ୍ଷଣ କରିଥିଲେ ଏବଂ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତ୍ରା ନିଶ୍ଚିତ କରିବାକୁ ଆଲୋଚନା କରିଥିଲେ | ପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ପ୍ରତି ପୁରୀ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସମସ୍ତ ବିକାଶମୂଳକ କାର୍ଯ୍ୟ ସହ ସବୁ ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି ନିର୍ମାଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଏହି ପ୍ରକଳ୍ପ ୨୦୨୧-୨୨ ମସିହାରେ ୧୬୧.୫ କୋଟି ଟଙ୍କା ବ୍ୟୟରେ ଅନୁମୋଦନ କରାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ହେବାର ୩୦ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି |