ବାଲେଶ୍ବର : ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆଜି ଦିନତମାମ୍‌ ପ୍ରଚାର ମଇଦାନରେ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ରୋଡ଼ସୋ, ନିର୍ବାଚନୀ ସଭା ଓ ସମାବେଶ‌େର ଉପସ୍ଥିତ ରହି ଦମ୍‌ଦାର ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆସନ୍ତା ୨୪ ତାରିଖରେ ବାଲେଶ୍ବର ସଦର ଏବଂ ‌ରେମୁଣା ବ୍ଲକରେ ଭୋଟ୍ ଗ୍ରହଣ କରାଯିବ। ଦୁଇଟି ବ୍ଲକର ୯ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ହେବ।

Advertisment

ଏହି କ୍ରମରେ ଆଜି ସଦର ବ୍ଲକ ଅନ୍ତର୍ଗତ ୨୬ନଂ ଜୋନ୍‌, ୨୮ନଂ ଜୋନ୍‌ ଏବଂ ୨୯ନଂ ଜୋନ୍‌ରେ ସଦର ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ବିଶାଳ ବାଇକ୍‌ ରାଲି ଓ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଶ୍ରୀକୋଣା, ସାରଗାଁ, କୁରାଢ଼ିଆ, ଏବଂ କଷାଫଳ ପଞ୍ଚାୟତରେ ବାଇକ ରାଲି କରି ୨୬ନଂ ଜୋନରେ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୋନାଲି ବିଶ୍ୱାଳ, ୨୮ନଂ ଜୋନର ପ୍ରାର୍ଥୀ ସଞ୍ଜୟ ସେଠୀ ଏବଂ ୨୯ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ନାରାୟଣ ପ୍ରଧାନଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ଏବଂ ସମସ୍ତ ୱାର୍ଡ଼ ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ସେପଟେ ବିଜେପି ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର ଜାରି ରଖିଛି। ନିର୍ବାଚନ ମଣ୍ଡଳୀର ନେତା ତଥା ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ୨୫ନଂ, ୨୬ନଂ ଓ ୨୯ନଂ ଜୋନ୍‌ର ପାତ୍ରପଡ଼ା, ବାହାବଳପୁର, କଷାଫଳ, ଗୋପୀନାଥପୁର ପଞ୍ଚାୟତରେ ସାଧାରଣ ସଭା, ବାଇକ୍‌ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇ ମାରାଥନ୍‌ ପ୍ରଚାର କରାଯାଇଥିଲା। ନେତା ଓ ଦଳର ପ୍ରାର୍ଥୀମାନେ ପ୍ରଚାରର ଶେଷଦିନରେ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ବିଜେପିର ୨୯ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ୨୫ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୟାଧର ବେହେରାଙ୍କ ସମେତ ବାହାବଳପୁର, ଗୋପୀନାଥପୁର ଓ ପାତ୍ରପଡ଼ା ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ଓ ଦଳୀୟକର୍ମୀମାନେ ଉପସ୍ଥିତ ଥିଲେ।
ସେହିପରି ରେମୁଣା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ପ୍ରଚାର। ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ୩୭ନଂ. ୩୬ନଂ. ଏବଂ ୩୯ନଂ ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ପ୍ରା‌ର୍ଥୀ, ଦଳୀୟ ସମର୍ଥନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟଙ୍କୁ ଜିତାଇବାକୁ ତାଳପଦା, ଇଞ୍ଚୁଡ଼ି, ତୁଣ୍ଡୁରା, କୁଳିଗାଁ ଓ ବରୁଣସିଂ ପଞ୍ଚାୟତରେ ପ୍ରଚାର କରିଥିଲେ। ସେପଟେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମଧ୍ୟ ଖୁବ୍ ଜୋରସୋରରେ ପ୍ରଚାର କରିଥିଲା। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚଷାଖଣ୍ଡ, ମନ୍ଦାରପୁର, ବଡ଼ପାଳ, ଗୁଡ଼ଦାପାଟଣା, ଦୂର୍ଗାଦେବୀ, ତେନ୍ତୁଳିଦା, ପତ୍ରିପାଳ ଆଦି ପଞ୍ଚାୟତରେ ଆୟୋଜିତ ବାଇକ୍‌ ଶୋଭାଯାତ୍ରା, ସାଧାରଣ ସଭା ଓ ପଥପ୍ରାନ୍ତ ସଭାରେ ସାମିଲ ହୋଇ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଦଳ ସମର୍ଥନରେ ପ୍ରାର୍ଥୀ ହୋଇଥିବା ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ସାରି ସବୁଦଳର ନେତାମାନେ ଘରମୁହାଁ ହୋଇଛନ୍ତି। ରାତି ପାହିଲେ ଦୁଇ ବ୍ଲକରେ ଜିଲ୍ଲାର ଶେଷ ପର୍ଯ୍ୟାୟ ନିର୍ବାଚନ ହେବ।