ମାଲକାନଗିରି ଓ ବାଲିମେଳାରେ ସରିଲା ପ୍ରଚାର

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ସରିଛି। ଆଜି ସଂଧ୍ୟାରେ ତିନି ପ୍ରମୁଖ ଦଳ ସମେତ ସ୍ବାଧୀନ ପ୍ରାର୍ଥୀମାନେ ନିଜ ନିଜ ଭୋଟରଙ୍କୁ ଶେଷ ଥର ପାଇଁ ଭୋଟ ଭିକ୍ଷା କଲେ। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୬ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି। ମାଲକାନଗିରିରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜର ଉଦ୍ୟମ ଜୋରସୋରରେ କରିଥିବା ବେଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ପ୍ରଚାର ଜୋର ଧରିଛି। ଭୋଟର ମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ନାଚଗୀତ ସମେତ ହେବିଵେଟ ପ୍ରଚାରକମାନଙ୍କୁ ଅଣାଯାଇଥିଲା। ବାଲିମେଳାରେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ ପ୍ରିତ ୱାର୍ଡରେ ଲୋକଙ୍କୁ ମନାଇବା ପାଇଁ ନାଚଗୀତର ଆସର କରୁଥିବା ଦେଖିବାକୁ ମିଳିଥିଲା।

ତାଙ୍କର ପତିଆରା ଧିରେ ଧିରେ ବଡୁଥିବାରୁ ବିଜେଡି ଏବଂ କଂଗ୍ରେସ ଏଠାରେ ଚିନ୍ତାରେ ପଡୁଥିବା ଦେଖିବାକୁ ମିଳିଛି।ତେବେ ରାଜନୈତିକ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଏଠାରେ କଡା ଟକ୍କର ହେବ ବୋଲି କୁହାଯାଉଛି।ସେହିପରି ମାଲକାନଗିରିରେ କିନ୍ତୁ କିଏ ଆଗରେ ଅଛି ଏବଂ କିଏ ପଛରେ ଅଛି କହିବା ମୁସକିଲ ହେଉଥିବା ଆଲୋଚନା ଚାଲିଛି। ଆଜି ଶେଷ ନିର୍ବାଚନୀ ପ୍ରଚାର ରହିଥିବାରୁ କର୍ମୀମାନଙ୍କ ମହଲରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ଘରେ ଘରେ ଭୋଟରମାନଙ୍କୁ ଭେଟି ଭୋଟ ଦେବା ପାଇଁ ପ୍ରାର୍ଥୀମାନେ ମନାଉଥିବା ଦେଖିବାକୁ ମିଳିଛି।ବସ୍ତି ଅଞ୍ଚଳରେ କିନ୍ତୁ ଲୋକେ ପ୍ରାର୍ଥୀ ଆସିଲେ ଟଙ୍କା ଆସେ ବୋଲି ଭାବି ନେଇଛନ୍ତି। ତେଣୁ ଯିଏ ବି ପ୍ରାର୍ଥୀ ଆସେ ତାଙ୍କୁ ଟଙ୍କା ମାଗୁଥିବା ଲକ୍ଷ୍ୟ କରାଯାଇଛି। ବସ୍ତି ଅଞ୍ଚଳରେ ପ୍ରାର୍ଥୀଙ୍କୁ ଫୁଲ ପିନ୍ଧାଇବା ପରେ ପ୍ରାର୍ଥୀମାନେ ଟଙ୍କା ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହା ଖୁସିରେ ଏବଂ ପରମ୍ପରା ଭାବେ ଚାଲିଆସୁଥିବା ପ୍ରାର୍ଥୀମାନେ କହନ୍ତି।ତେବେ ମାଲକାନଗିରି ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳକୁ କିଏ ହାତେଇବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର