ମାଲକାନଗିରି: ମାଲକାନଗିରି ସମଗ୍ର ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ‘ଚାଲ ସ୍କୁଲଲ ଯିବା’ର ଶୁଭାରମ୍ଭ ହୋଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ଉଦଘାଟନି ଉତ୍ସବରେ ଜିଲ୍ଲା ଶିକ୍ଷାଧୀକାରୀ ମାନସ କୁମାର ଜେନା, ଏଡିଇଓ ଚିତ୍ତରଞ୍ଜନ ପାଣ୍ଡେ ସମେତ ଜିଲ୍ଲାର ସମସ୍ତ ବିଇଓ, ବିଆରସିସି, ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ।ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ୭ଟି ବ୍ଲକର ସାତୋଟି ସଚେତନତା ରଥର ଶୁଭ ଉଦଘାଟନ ହୋଇଥିଲା। ଏହି ରଥ ସାରା ଜିଲ୍ଲାରେ ବୁଲି ଛାତ୍ରଛାତ୍ରୀ, ଅଭିଭାବକ ତଥା ଏସଏମସି ସଦସ୍ୟ ମାନଙ୍କୁ ସଚେତନ କରାଇବ। କୋଭିଡ ମହାମାରୀ ଯୋଗୁଁ ଆମ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ପ୍ରାୟ ଦୁଇବର୍ଷ ହେଲା ବନ୍ଦ ହୋଇ ରହିଥିଲା। ସ୍କୁଲ ବନ୍ଦ ସମୟରେ ରାଜ୍ୟ ସରକାର ଅନଲାଇନ ଶିକ୍ଷା, ରେଡିଓ ପାଠଶାଳା, ତଥା ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦନ କରୁଥିଲେ। କିନ୍ତୁ ଏହା ଦ୍ବାରା ଶତ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହୋଇ ପାରୁନଥିଲେ। ଏବେ କୋଭିଡ ମହାମାରୀ ଧୀରେ ଧୀରେ ସମାପ୍ତ ହୋଇଥିବାରୁ ପୁଣି ରାଜ୍ୟ ସରକାର ସ୍କୁଲ ଗୁଡିକ ଖୋଲିବା ନେଇ ନିଷ୍ପତ୍ତି ନେବା ପରେ ସ୍କୁଲଗୁଡିକ ଧିରେ ଧିରେ ଖୋଲୁଛି। ତେବେ ଗତ ଦୁଇବର୍ଷ ହେଲା ପିଲାମାନେ ସ୍କୁଲ ମୁହାଁ ହୋଇପାରିନଥବାରୁ ଏବେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା ଲକ୍ଷ୍ୟ କରାଯାଇଛି।
ତେବେ କିପରି ସେମାନେ ସ୍କୁଲ ମୁହାଁ ହେବେ ସେନେଇ ଏହି ସଚେତନତା ରଥ ଲୋକଙ୍କୁ ବୁଝାଇବ। ବିଦ୍ୟାଳୟ ଗୁଡିକରେ ଚାପମୁକ୍ତ ତଥା ଆନନ୍ଦମୟ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଇଛି। ବିଦ୍ୟାଳୟ ଖୋଲାଯିବାର ଏକ ସପ୍ତାହ ପର୍ଯ୍ୟନ୍ତ ପିଲାମାନଙ୍କ ସହ କେବଳ ସମ୍ବନ୍ଧ ସ୍ଥାପନ କରାଯିବ। ପାଠ୍ୟପୁସ୍ତକ ବାହାରକୁ ଯାଇ ଏକ ସପ୍ତାହ ପର୍ଯ୍ୟନ୍ତ ଖୋଲା ଆଲୋଚନା, ତର୍କ, ଗଳ୍ପ କଥନ, ହସ୍ତକର୍ମ, ଅଭିନୟ ଭଳି କାର୍ଯ୍ୟକ୍ରମ ଚାଲିବ। ତେବେ ପିଲାମାନେ ସ୍କୁଲକୁ ଆସିବା ପରେ କରୋନା କଟକଣା ରହିବ। ମୁହଁରେ ମାସ୍କ ପରିଧାନ କରିବେ, ହାତ ଧୋଇବେ ଏବଂ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବେ। ଯଦି କରୋନା କଟକଣା ନମାନନ୍ତି ତେବେ ପୁଣି ସ୍କୁଲ ବନ୍ଦ ହେବାର ଆଶଂକା ରହିଛି। ତେଣୁ ଅଭିଭାବକ ମାନେ ଏନେଇ ପିଲାଙ୍କୁ ସତର୍କ କରାଇବାନ ନେଇ କୁହାଯାଇଛି। ଅଭିଭାବକ ସଚେତନ ହେଲେ ସ୍କୁଲ ପୁଣି ଚାଲିବ ବୋଲି କୁହାଯାଇଛି।