ରାଉରକେଲା: ଅବକାରୀ ପୁଲିସ ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ପାଟନାର ମନିଷ କୁମାର (୨୪) ଓ ଅନୀଲ କୁମାର (୧୯)। ଏମାନଙ୍କ ନିକଟରୁ ୧୨ କେଜି ୧୫୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଆଜି ସକାଳେ ରେଳବାଇ ଷ୍ଟେସନରେ ଆର୍ପିଏଫ୍ ଟିମ୍ ପେଟ୍ରୋଲିଂ କରୁଥିବାବେଳେ ଦୁଇ ଯୁବକଙ୍କୁ ନିଚ୍ଛଟିଆ ସ୍ଥାନରେ ଛିଡା ହୋଇଥିବା ଦେଖିଥିଲେ। ସନ୍ଦେହ ହେବାରୁ ଆର୍ପିଏଫ୍ ଯବାନ ସେଠାକୁ ଯାଇଥିଲେ। ସେମାନଙ୍କ ପାଖରେ ରହିଥିବା ବସ୍ତା ଯାଞ୍ଚରୁ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ଆର୍ପିଏଫ୍ ଯବାନ ଗଞ୍ଜେଇ ଭର୍ତ୍ତି ବସ୍ତା ସହ ଦୁହିଁଙ୍କୁ ଧରି ଅବକାରୀ ପୁଲିସକୁ ଜିମା ଦେଇଥିଲେ। ଦୁହେଁ ଗଞ୍ଜେଇ କେଉଁଠାରୁ ଆଣୁଥିଲେ ? ଏମାନଙ୍କୁ ସହରର କେଉଁ ବେପାରୀ ଗଞ୍ଜେଇ ଯୋଗାଉଥିଲେ ? କେତେ ଦିନ ଧରି ଏମାନେ ରାଉରକେଲାରୁ ଗଞ୍ଜେଇ ପାଟ୍ନା ନେଉଥିଲେ ? ପୁଲିସ ତା’ର ଯାଞ୍ଚ ଚଳାଇଛି। ସୂଚନାଯୋଗ୍ୟ, ପୂର୍ବରୁ ରାଉରକେଲା ଷ୍ଟେସନରେ ବହୁ ଗଞ୍ଜେଇ ବେପାରୀମାନଙ୍କୁ ଗିରଫ କରାଯାଇଛି। କିଛି ବେପାରୀ କୋରାପୁଟରୁ ସିଧାସଳଖ ବସ୍ ଓ ଟ୍ରେନ୍ ଯୋଗେ ଗଞ୍ଜେଇ ଆଣି ରାଉରକେଲାରେ ପହଞ୍ଚାଉଛନ୍ତି। ରାଉରକେଲାର କିଛି ବେପାରୀ ଓ ଆର୍ପିଏଫ୍ ଯବାନଙ୍କ ସହୟତାରେ ବିହାର ଓ ଝାଡ଼ଖଣ୍ଡ ଚାଲାଣ ହେଉଛି। ଗଞ୍ଜେଇ ବେପାରୀକୁ ସହାୟତା ଘଟଣାରେ ରେଳବାଇ କର୍ତ୍ତୃପକ୍ଷ ଆର୍ପିଏଫ୍ ଯବାନଙ୍କୁ ନିଲମ୍ବିତ କରିଛନ୍ତି। ଆଉ କିଛି ଆର୍ପିଏଫ୍ଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।