ମୁଖ୍ୟକେନାଲ ସହରର ଆବର୍ଜନା,ପଲିଥିନ୍ ଓ ମାଟିରେ ପୋତି ହେଲାଣି ?

ଜୟପୁର: ଉପରକୋଲାବ ପ୍ରକଳ୍ପ ଜଳଭଣ୍ଡାରର ପାଣି ଉପରେ ଜୟପୁର, ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର  ଚାଷୀମାନେ ସଂପୁର୍ଣ୍ଣ ରୂପେ ନିର୍ଭର।  ଜଳଭଣ୍ଡାରରୁ ପାଣି ବାହାରିବା ପରେ ମୁଖ୍ୟକେନାଲ ୧୭.୮୫ କିଲୋମିଟର,  ଶାଖା କେନାଲ ୫.୧୩୬ କିଲୋମିଟର, ଡିଷ୍ଟ୍ରିବ୍ୟୁଟରୀ କେନାଲ  ୬୪.୧୮୮ କିଲୋମିଟର, କ୍ଷୁଦ୍ର ଜଳସେଚନ କେନାଲ ୭୧.୮୨୯କିଲୋମିଟର, ଅତିରିକ୍ତ କ୍ଷୁଦ୍ର ଜଳସେଚନ  କେ‌ନାଲ ୮୬.୫୦କିଲୋମିଟର ଏଭଳି ସର୍ବମୋଟ  ୨୪୫.୫୦୩କିଲୋ ମିଟରର କେନାଲ ମାଧ୍ୟମରେ ଚାଷୀଙ୍କ ଜମିକୁ ପାଣି ପହଚୁଂଛି। ସେଭଳି ୩ବ୍ଲକର ଚାଷୀଙ୍କ ଜମି ତଥା ତଳମୁଣ୍ଡକୁ ବି ଠିକଭାବେ ପାଣି ପହଚିଂ ପାରୁନି। ଏବେ ରବି ଚାଷ ପାଇଁ ଉପରକୋଲାବ ପ୍ରକଳ୍ପ ପକ୍ଷରୁ ୨୩ହଜାର ୬୦୦ ହେକ୍ଟର ଜମିକୁ ପାଣି ଯୋଗାଇବା ଲକ୍ଷ୍ୟ ରହିଛି। ତେବେ ତଳମୁଣ୍ଡକୁ ପାଣି ପହଂଚିବାକୁ ମାସ ମାସ ସମୟ ଲାଗୁଛି।

ତେବେ ଏହାର ମରାମତି , ଦେଖାରଖା, ରକ୍ଷଣାବେକ୍ଷଣ ଠିକରେ ହେଉ ନଥିବାରୁ ବହୁ ସମୟରେ ମୁଖ୍ୟ କେନାଲରେ ବିଭିନ୍ନ ସ୍ଥାନରେ ବଡ ବଡ ଘାଇ ସୃଷ୍ଟି ହେଉଛି। ଖାସ୍ କରି ଜୟପୁର ସହର ପାର୍ଶ୍ବ ଦେଇ ଯାଇଥିବା ମୁଖ୍ୟ କେନାଲରେ ସହରବାସୀ ମାନେ ବିଭିନ୍ନ ପୂଜାର ଫୁଲ ଠାରୁ ଆରମ୍ଭ କରି ମଇଳା ପଲିଥିନରେ ଭରି ପକାଉଛନ୍ତି। ଏହା ସହ ଏହି ପାର୍ଶ୍ବରେ ଥିବା ଗ୍ୟାରେଜ ଗୁଡିକ ସହ ସହରର କିଛି ଦୋକାନୀ ବି ବର୍ଜବସ୍ତୁ, ସାମଗ୍ରୀ ଗୁଡିକ ବି କେନାଲରେ ପକାଉଛନ୍ତି। ଏପରିକି ଗତ କାର୍ତ୍ତିକ ପୁର୍ଣ୍ଣିମା ଦିନରେ ବି କିଛି ଲୋକେ ଏଠାରେ କଦଳୀ ପାଠୁଆରେ ଡଙ୍ଗା ଭସାଇଛନ୍ତି। ଏହା ଫଳରେ ଦିନକୁ ଦିନ କେନାଲ ପୋତି ହେବା ସହ ଏବେ ଏହା ସାଧାରଣ ପଡ଼ିଆ ଭଳି ଦିଶୁଛି।

କୋଭିଡ୍ ପାଇଁ ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷା  ମରାମତି ଓ ସଫେଇ ବାବଦରେ କରାଯାଇଥିବା ବ୍ୟୟବରାଦରୁ ୬୦ପ୍ରତିଶତ ଟଙ୍କା କାଟି ଦିଆଯାଇଛି ବୋଲି କହିଛନ୍ତି  ଡ୍ୟାମ ଡିଭିଜନର ଏସଡିଓ ସରୋଜ କୁମାର ସାହୁ। ରବି ପାଇଁ ଆସନ୍ତା ୧୬ରୁ ପାଣି ଛଡାଯିବାକୁ ଯୋଜନା ରହିଥିବାରୁ ସଂପ୍ରତି ମୁଖ୍ୟକେନାଲ ,ଶାଖା କେନାଲ, ଡିଷ୍ଟ୍ରିବ୍ୟୁଟରୀ କେନାଲରେ ହୋଇଥିବା ବଡ ବଡ ଘାଇର ଏବଂ ଛୋଟ ବଡ ମରାମତି ଚାଳିଛି ବୋଲି କହିଛନ୍ତି ଏସଡିଓ ଶ୍ରୀ  ସାହୁ। ସେଭଳି ଜଳସେଚନ ବିଭାଗର ଜମିକୁ ମାଡ଼ି ବସି ଗ୍ୟାରେଜ କରିଥିବା ଗ୍ୟାରେଜକୁ ଥରେ ପ୍ରଶାସନ ସହାୟତାରେ ହଟାଯାଇଥିଲା। ସବୁ ବର୍ଷ ସହର ପାର୍ଶ୍ବ ମୁଖ୍ୟ କେନାଲକୁ ସଫା କରାଯାଉଛି ବୋଲି କହିଛନ୍ତି ଏସଡିଓ ଶ୍ରୀ ସାହୁ।

ସମ୍ବନ୍ଧିତ ଖବର