ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡି ପଞ୍ଚାୟତ ମାନପୁର ଗ୍ରାମ ନିକଟ କୁରେଇଯୋଡ଼ି ନାଳ ଉପରେ  କ୍ଷୁଦ୍ର ଜଳ ସେଚନ ବିଭାଗର ରହିଛି ଏକ ଅଡିବନ୍ଧ। ଏହି ଆଡ଼ିବନ୍ଧର ପାଣି ମାନପୁର, ଜାମୁଯୋଡି, ଧଳପୁର, ଧଗୋଠ, ନୂଆଗାଁ, ତେନ୍ତଳାପସି ଗ୍ରାମର ୮ ଶହ ହେକ୍ଟରରୁ ଊର୍ଦ୍ଧ୍ବ ଜମିକୁ ଜଳସେଚିତ କରିଥାଏ।  କେନାଲରୁ ପାଣି ନଗଳିବା ପାଇଁ ଏହି ଆଡିବନ୍ଧର ବହୁ ସ୍ଥାନରେ ବେଡ଼ କଂକ୍ରିଟ ସହ କଂକ୍ରିଟ କେନାଲ ନିର୍ମାଣ କରାଯାଇଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ କଂକ୍ରିଟ କେନାଲରୁ ପାଣି ଗଳି ଯାଉଛି ତ ଆଉ କେଉଁଠି କେନାଲ ଭାଙ୍ଗି ଯାଇଛି। କେନାଲ ସଫା କରାଯାଉ ନଥିବାରୁ  କେନାଲ ଭିତରେ ଓ ବାହାରେ ଅନବନା ଗଛ ଉଠି ଯାଇଛି। ଫଳରେ କେନାଲର ତଳ ମୁଣ୍ଡକୁ ପାଣି ଯାଇପାରୁନି। ମୁଖ୍ୟ କେନାଲର ମାନପୁର ସ୍କୁଲ ଛକ ନିକଟ କଂକ୍ରିଟ କେନାଲର ବେଡ଼ କଂକ୍ରିଟର କିଛି ଅଂଶ ଗତ ୬ ମାସ ହେଲା ଭାଙ୍ଗି ଯାଇଛି। ଏଥିସହିତ କେନାଲ ହୁଡା ରାସ୍ତାରୁ ମାଟି ଧୋଇ ହୋଇଯାଇଥିବାରୁ ଚାରିଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡୁଛି । ୬ ମାସ ହେଲା କେନାଲ ଭାଙ୍ଗି ଯାଇଥିଲେ ମଧ୍ୟ କ୍ଷୁଦ୍ର ଜଳ ସେଚନ ବିଭାଗର କର୍ତ୍ତୃପକ୍ଷ ମରାମତି ଦିଗରେ ଦୃଷ୍ଟି ଦେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Advertisment

ଆଡିବନ୍ଧଟି ହରିଚନ୍ଦନପୁର ବ୍ଲକରେ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଘଟଗାଁ କ୍ଷୁଦ୍ର ଜଳ ସେଚନ ବିଭାଗର। ମାତ୍ର ବିଭାଗ ଏଥିପ୍ରତି ଦୃଷ୍ଟ ଦେଉ ନଥିବା ଅଭିଯୋଗ ହେଉଛି। ଯାହା ସୂଚନା ଅଛି ମୁଖ୍ୟ କେନାଲରୁ ଜାମୁଯୋଡି ଶାଖା କେନାଲର ସଟର ଭାଙ୍ଗି ଯାଇଛି। ମୁଖ୍ୟ କେନାଲରୁ ଜାମୁଯୋଡି ଶାଖା କେନାଲକୁ ପାଣି ଯିବାରେ ସମସ୍ୟା ସୃଷ୍ଟି ହେଉଛି। କେନାଲର ଦୁଇଟି ସ୍ଥାନରେ କ୍ଷୁଦ୍ର ଜଳ ସେଚନ ବିଭାଗ ପରିବର୍ତ୍ତେ  ଚାଷୀମାନେ ମିଳିମିଶି କେନାଲ ମରାମତି କରିଛନ୍ତି।

ସରକାର ପ୍ରତିବର୍ଷ ଚାଷୀଙ୍କ ଠାରୁ ଜଳକର ଆଦାୟ କରୁଛି । ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେବାପାଇଁ ବର୍ଷା ଋତୁ ପୂର୍ବରୁ କେନାଲ ମରାମତି ପାଇଁ ସରକାର ନିର୍ଦେଶ ଦେଇଥିଲେ। ତୁରନ୍ତ କେନାଲ ମରାମତି ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀ ଦିଲ୍ଲୀପ କୁମାର ସାହୁ, ବଳରାମ ସାହୁ, ନାରଣ ସାହୁ, ମାର୍କଣ୍ଡ ସାହୁ, ମିହିର କୁମାର ସାହୁ, ଦ୍ରୋଣ ନାଏକ, ଅନ୍ତର୍ଯ୍ୟାମୀ ସାହୁ, ପ୍ରତାପ ମହାପାତ୍ର, ସୁବଳ ସାହୁ, ସଚି ମହାପାତ୍ର, ଅକ୍ଷୟ କୁମାର ସାହୁ, ଚତୁର୍ଭୁଜ ସାହୁ, ସହଦେବ ସାହୁ, କାଶୀନାଥ ସାହୁ, ଜୀବନାନନ୍ଦ ସାହୁ, ପ୍ରଫୁଲ ସାହୁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ଘଟଗାଁ କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ମିହିର କିସାନଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆସନ୍ତାକାଲି କନିଷ୍ଠ ଯନ୍ତ୍ରୀ କେନାଲ ଦେଖିବାକୁ ଯିବେ ଏବଂ ଏହାପରେ କେନାଲ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।