ସ୍ବାମୀ କରିଦେଲା ପର, ବିଧବା ମା ଉପରେ କର୍କଟ ରୋଗରେ ପୀଡିତା ଝିଅର ବୋଝ

ଭଞ୍ଜନଗର: ‘‘ମତେ ମେ‌ଡିକାଲ ନେଇ ଯାଅ। ମୁଁ ଭଲ ହେବାକୁ ଚାହେଁ। ମୋର ମରିବାକୁ ଏବେ ଇଛା ନାହିଁ’’। ଝିଅର ଏଇ କେତ ପଦ କଥା‌ ବାରମ୍ବାର ଶୁଣି ମାଁ ଛାତି ଫାଟି ପଡୁଛି। ଉପାୟ ବି କିଛି ନାହିଁ ଭାଗ୍ୟକୁ ଆଦରି କର୍କଟ ରୋଗରେ ପିଡିତ ଝିଅର ବୋଝକୁ ମୁଣ୍ଡରେ ମୁଣ୍ଡାଇ ତାର ମରଣ ଦିନକୁ ଚାହିଁ ବସିଛି। ଏଭଳି ଦୁର୍ଦ୍ଦିନ ସମୟରେ ଝିଅର ଶ୍ବଶୁର ଘର ଲୋକ ସାହା ନା ଅସହାୟ ବୋଲି ସରକାରୀ ସୁବିଧାରେ ନିଜ ଝିଅର ଚିକିତ୍ସା କରାଇପାରିଲେ। ଝିଅ କର୍କଟ ରୋଗରେ ପୀଡିତ ହେବା ପରେ ଚିକିତ୍ସା କରାଇବା ବଦଳରେ ସ୍ବାମୀ ଆଣି ଛାଡିଦେଲା ବିଧବା ମା ପାଖରେ। ଅଭାବ ଅନଟନରେ ଦିନ କାଟି ନିଜ ପାଇଁ ଦୁଇ ଓଳା ଖାଇବା ଯୋଗାଡ କରିପାରୁନଥିବା ବିଧବା ମା ଏବେ ଝିଅର ଚିକିତ୍ସା କରାଇବା ସହ ନିଜେ କିଭଳି ବଞ୍ଚିବା ପାଇଁ ଦାନା ଯୋଗାଡ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ଗାଲେରୀ ଗ୍ରାମର ଉର୍ମିଳା ସାହୁ(୬୦)। ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଥିବା ଉର୍ମିଳାଙ୍କୁ ସ୍ବାମୀ ଜୟରାମ ସାହୁ ଦୀର୍ଘ ୨୦ ବର୍ଷ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କୁ ଛାଡି ଚାଲି ଯାଇଥିବା ବେଳ‌େ ପୁଣି ବର୍ତ୍ତମାନ ତାଙ୍କ ଝିଅ ‌ସେହି ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାକୁ କିପରି ଉତ୍ତମ ଚିକିତ୍ସା କରାଇବେ ସେନେଇ ଦୁଃଖରେ ଭାଙ୍ଗି ପଡିଥିବା ଉର୍ମିଳା ପ୍ରକାଶ କରିଛନ୍ତି।

ଭଞ୍ଜନଗର ବ୍ଳକ୍‌ ଅର୍ନ୍ତଗତ ଦୁର୍ଗମ ଇଲାକା ଭାବେ ପରିଚିତ ଗାଲେରୀ ଗ୍ରାମର ଜରି ସାହିର ଏକ ପରିତ୍ୟକ୍ତ ଘରେ ରହୁଥିବା ସ୍ବର୍ଗତ ଜୟରାମ ସାହୁଙ୍କୁ ପତ୍ନୀ ଉର୍ମିଳା। ନୂଆଗାଁ ଠାରେ ଥିବା ନିଜ ଘରକୁ ବିକ୍ରି କରି ଗତ ବର୍ଷ ଫେବ୍ରୁଆରି ମାସରେ ନିଜ ଝିଅ ପ୍ରମିଳା ସାହୁ(୨୯)କୁ ବିବାହ ଦେଇଥିଲେ ନୟାଗଡ ଜିଲ୍ଲା ଦଶପଲ୍ଲା ନିକଟ ହରଡାବାଡି ଗ୍ରାମରେ ଜନା‌ର୍ଦ୍ଦନ ସାହୁର ପୁଅ ଚନ୍ଦ୍ରମଣିକୁ। ନିଜ ଘର ବିକ୍ରି କରିଦେବା ‌ପରେ ଗାଲେରୀ ଆସି ଜରି ସାହି ଠାରେ ଏକ ଗୁହାଳକୁ କିଣି ସେଠାରେ ଏକ ଝାଟିମାଟିର ଘର ନିର୍ମାଣ କରି ଏକୁଟିଆ ରହି ଆସୁଥିଲେ ଉର୍ମିଳା। ଝିଅ ବିବାହ ପରେ କିଛି ମାସ ଭଲରେ କଟିଥିଲା। ଏହାପରେ ଶ୍ବଶୁର ‌ଘର ଲୋକ‌େ ଝିଅକୁ ନିର୍ଯ୍ୟାତନା ‌ଦେବା ଆରମ୍ଭ କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଉର୍ମିଳା। ସ୍ବାମୀ ଅନେକ ସମୟରେ ମଦ୍ୟ ପାନ କରି ଝିଅକୁ ମାରପିଟ କରୁଥିବା କହିଛନ୍ତି ଉର୍ମିଳା।

ବିବାହର ୭ ମାସ ପରେ ପ୍ରମିଳାଙ୍କ ‌ହଠାତ୍‌ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଶ୍ବଶୁର ଘର ଲୋକମାନେ ପ୍ରଥମେ ଦଶପଲ୍ଲା ଚିକିତ୍ସାଳୟରେ ଦେଖାଇଥିଲେ। ସେଠାରୁ ପ୍ରମିଳାକୁ ନୟାଗଡ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା କରିବା ପରେ ଜଣା ପଡିଥିଲା ଝିଅକୁ କର୍କଟ ରୋଗରେ ଆକ୍ରାନ୍ତ। ତୁରନ୍ତ ଡାକ୍ତର ‌କ୍ୟାନ୍‌ସର ମେଡିକାଲ୍‌ ନେବା ପାଇଁ ପରାମର୍ଶ ଦେଇଥିଲେ। ସେତେବେଳେ ପ୍ରମିଳାଙ୍କ ସ୍ବାମୀ ଆଉ ଉର୍ମିଳା ମିଶି ପ୍ରମିଳାଙ୍କୁ କଟକ ସ୍ଥିତ ହରିହର କ୍ୟାନ୍‌ସର ହସ୍‌ପିଟାଲ୍‌କୁ ନେଇଥିଲେ। ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେବା ପରେ ସ୍ବାମୀ ଚନ୍ଦ୍ର ସ୍ତ୍ରୀକୁ ଛାଡି ଘରକୁ ପଳାଇ ଆସିଥିଲେ। । ସେଠାରେ ୪ ମାସ ଚିକିତ୍ସା କରାଯାଇଥିବା ବେଳେ ତିନିଥର କେମୋ ଦିଆଯାଇଥିବା ଉର୍ମିଳା କହିଛନ୍ତି। । ଯାହା ଫଳରେ ପ୍ରମିଳାଙ୍କ ଶରୀର ପୂରା ଶୁଖିଯିବା ସହ ସଂପୂର୍ଣ୍ଣ ଚୁଟି ଝଡି ଯାଇଛି।

ଏହି ଖବର ଶୁଣି ଗାଲେରୀ ଗ୍ରାମର କିଛି ସହୃଦୟ ବ୍ୟକ୍ତି ପ୍ରମିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥିବା ବେଳେ ତାହା ମଧ୍ୟ ପ୍ରମିଳାଙ୍କ ସ୍ବାମୀ ଚନ୍ଦ୍ର ସେମାନଙ୍କୁ ଦେଇନଥିବା ଉର୍ମିଳା ପ୍ରକାଶ କରିଛନ୍ତି।  ପ୍ରମିଳାଙ୍କ ସ୍ବାସ୍ଥ ଅବସ୍ଥାରେ ଉନ୍ନତି ନଆସିବାରୁ ପରୀକ୍ଷା ପରେ ପେଟରେ ଏକ ଅତ୍ସ‌ୋପଚାର କରିବାକୁ ଜରୁରୀ ‌ବୋଲି ପ୍ରମିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ତେବେ ସ୍ବାମୀଙ୍କ ବିନା ଅନୁମତିରେ ଏହି ‌ଅତ୍ସୋପଚାର କରାଯାଇ ପାରିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ ଉର୍ମିଳାଙ୍କୁ କହିଥିଲେ। ଉର୍ମିଳା ଅତ୍ସୋପଚାର ପାଇଁ ଚନ୍ଦ୍ରଙ୍କୁ ଫୋନ ଯୋଗ‌େ ଡାକିଥିଲେ ମଧ୍ୟ ସେ କଟକ ଯାଇନଥିଲେ। ଏହାପରେ ଗତ ସପ୍ତାହରେ ଝିଅକୁ ସାଙ୍ଗରେ ନେଇ ଉର୍ମିଳା ଚନ୍ଦ୍ରମଣିଙ୍କ ଘରକୁ ଆସଥିଲେ। ସେଠାରେ ଚନ୍ଦ୍ରମଣି ଝିଅକୁ ଏଭଳି ଅବସ୍ଥା ମାରପିଟ କରିବା ସହ ସେମାନଙ୍କୁ ଘରୁ ବାହାର କରିଦେଇଥିବା ଉର୍ମିଳା ଅଭିଯୋଗ କରିଛନ୍ତି। ଏହାପରେ ଏକ ଅଟୋରେ ଗାଲେରୀ ଆସି ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଥିବା ଉର୍ମିଳା ପ୍ରକାଶ କରିଛନ୍ତି।

ପ୍ରମିଳା କିଛି ବି ଖାଦ୍ୟ ଗ୍ରହଣ କରିପାରୁନଥିବା ବେଳେ ଘର ଭିତରେ ଦିନରାତି ଏକ ଖଟିଆରେ ପଡି ରହୁଛନ୍ତି। ବର୍ଷା ହେଲେ ଘର ଛାତରୁ ପାଣି ଗଳିବା ସହ ଘର କାନ୍ଥରୁ ମାଟି ଝଡିବାକୁ ଲାଗିଲାଣି ଏଭଳି ପରିସ୍ଥିତିରେ ମାଗିଯାଚି ଚଳୁଥିବା ଉର୍ମିଳା କିଭଳି ନିଜ ଝିଅକୁ ସୁସ୍ଥ କରିବେ ସେନେଇ ସମସ୍ତଙ୍କୁ ଗୁହାରୀ କରୁଛନ୍ତି। ସରକାର ବହୁ ଲୋକଙ୍କୁ ବହୁତ ପ୍ରକାର ସହାୟତା ‌ଦେଉଛନ୍ତି ସରକାର ହିଁ ମୋ ଝିଅକୁ ଭଲ କରିଦେବେ ବୋଲି କ‌ୋହଭରା କଣ୍ଠରେ ଉର୍ମିଳା ପ୍ରକାଶ କରିଛନ୍ତି। ସରକାରୀ ସହାୟତାରେ ପ୍ରମିଳାଙ୍କୁ ତୁରନ୍ତ ଚିକିତ୍ସା କରାଯିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି ବ‌ୋଲି ଗ୍ରାମବାସୀ ନିବେଦନ କରିଛନ୍ତି।ଘରେ ପୁରୁଷ ଲୋକ କେହି ନଥିବା ବେଳେ ବିଧବା ମାଁ ନିଜର ରୋଗୀଣା ଝିଅକୁ ପ୍ରଶାସନ ସହଯୋଗର ହାତ ବଢାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

 

 

ସମ୍ବନ୍ଧିତ ଖବର