ମରଣ ସହ ଯୁଝୁଛନ୍ତି କର୍କଟ ଆକ୍ରାନ୍ତ ସ୍ବାମୀ, ୧୦ ବର୍ଷର ପୁଅ ସହ ଚିନ୍ତାରେ ସ୍ତ୍ରୀ

ସୁନ୍ଦରଗଡ଼: ସାମାନ୍ୟ ଦାନ୍ତ ଯନ୍ତ୍ରଣାରୁ ମାରାତ୍ମକ ମୁଖ କର୍କଟ ଆକାନ୍ତ ସ୍ବାମୀ ବର୍ଷେ ହେଲା ମରଣ ସହ ଯୁଝୁଛନ୍ତି। ଚତୁର୍ଥ ଶ୍ରେଣୀ ଚାକିରିର ଦରମାରୁ ଯାହା କିଛି ଅର୍ଥ ସାଇତିଥିଲେ, ତାହା ଚିକିତ୍ସାରେ ସରିଗଲାଣି। ଅସ୍ତ୍ରୋପଚାର ପାଇଁ ଆହୁରି ୪ରୁ ୫ ଲକ୍ଷ ଟଙ୍କା ଆବଶ୍ୟକ। ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଛି। ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ। କିଏ ଦେବ ଏତେ ଟଙ୍କା, ସ୍ବାମୀଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିବାକୁ କିଏ ସହାୟକ ହେବ। ପାଖରେ ପୁଣି ୧୦ ବର୍ଷର ପୁଅ। ଏ ଦୁଃଖଦାୟକ କାହାଣୀଟି ବାଲିଶଙ୍କରା ବ୍ଲକ୍ ତେଲିଯୋରର ଅଞ୍ଜଳି ନାୟକଙ୍କ। ତାଙ୍କ ସ୍ବାମୀ ସୁଶାନ୍ତ କୁମାର ପଟେଲ (୩୮) ମୁଖ କର୍କଟରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଡାକ୍ତରଖାନାରେ ପଡ଼ିଛନ୍ତି। ସୁଶାନ୍ତ ୮ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ଯୋଗ ଦେଇଥିଲେ।

ପରବର୍ତ୍ତୀ ସମୟରେ ତାଙ୍କର ରାଉରକେଲା ମହାନଗରକୁ ବଦଳି ହୁଏ। ସେଠି ସେ କୋଏଲନଗରରେ ସୁପରିଅର ଫିଲ୍ଡ ୱାର୍କର ଭାବେ ନିଯୁକ୍ତ ଥିଲେ। ସ୍ତ୍ରୀ ଅଞ୍ଜଳି ଓ ୧୦ ବର୍ଷର ପୁଅ ସୋମ ସହ ସେ ରାଉରକେଲାରେ ରହୁଥିଲେ। ୨୦୨୦ କରୋନାର ଦ୍ବିତୀୟ ଲହର ଆରମ୍ଭ ସମୟରେ ତାଙ୍କ ଦାନ୍ତ ଯନ୍ତ୍ରଣା ହେଲା। ସେ ବିଭିନ୍ନ ଦାନ୍ତ ଡାକ୍ତରକୁ ଦେଖାଇ ଚିକିତ୍ସା କରାଇଲେ। କିନ୍ତୁ କିଛି ଫଳ ହେଲାନି। ବରଂ ଦାନ୍ତ ମାଢ଼ିରେ ଘା’ ହୋଇଗଲା। ସେ ସମ୍ବଲପୁରରେ ଅସ୍ତ୍ରୋପଚାର କରି ଦାନ୍ତକୁ ବାହାର କରି ଦେଇଥିଲେ। କିଛି ଦିନ ଠିକ୍ ରହିବା ପରେ ପୁଣି ମାଢ଼ିର ସେହ ଅଂଶ ଫୁଲିବା ସହ ଯନ୍ତ୍ରଣା ହେବାରୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କର୍କଟ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେଠାରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା।

ସାମାନ୍ୟ ସୁସ୍ଥ ହେବା ପରେ ଘରକୁ ଫେରି ଆସିଥିଲେ। କିନ୍ତୁ ଘରକୁ ଆସୁ ଆସୁ ପୁଣି ଅସୁସ୍ଥ ହେବାରୁ ୨ ମାସ ତଳେ ମୁମ୍ବାଇ ଟାଟା ମେମୋରିଆଲକୁ ଯାଇ ପରୀକ୍ଷାନିରୀକ୍ଷା କରାଇବା ସହ ଔଷଧ ନେଇ ଫେରିଥିଲେ। ଏହା ମଧ୍ୟରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଲା ନାହିଁ, ବରଂ ଦିନକୁ ଦିନ ବିଗିଡ଼ିବାକୁ ଲାଗିଲା। ଅଗଷ୍ଟ ୧୭ ତାରିଖରେ ନାକ ଓ ପାଟିରୁ ରକ୍ତ ବାହାରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଏବେ ଚିକିତ୍ସାଧୀନ। ମୁହଁରୁ ରକ୍ତ ପଡ଼ିବା ବନ୍ଦ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଆଗକୁ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ବୋଲି ଡାକ୍ତର କହିଲେଣି। ପୁଅକୁ ଅଞ୍ଜଳି ରାଉରକେଲାରେ ତାଙ୍କ ବାପାମା’ଙ୍କ ପାଖରେ ଛାଡ଼ି ବର୍ଷେ ହେଲା ସ୍ବାମୀଙ୍କ ମରଣ ମୁହଁରୁ ଫେରାଇ ଆଣିବାକୁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲୁଛନ୍ତି। ଏବେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ କେମିତି ଯୋଗାଡ଼ କରିବେ ସେ ଚିନ୍ତାରେ ଘାରି ହେଉଛନ୍ତି। ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ସହାୟକ ହେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର