କୋରାପୁଟ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେଲା ପରେ ଏବେ ନେତାମାନେ ଗାଁ ମୁହାଁ ହୋଇଛନ୍ତି। ଯଦିଓ ପ୍ରଚାର ଜମିନି, ତଥାପି ନିଜ ନିଜ ବାଗରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ୩ ପ୍ରମୁଖ ଦଳ ଏ ଦିଗରେ ସେମାନଙ୍କ କାମ ଆରମ୍ଭ କରି ଦେଇଛନ୍ତି। ଫେବ୍ରୁଆରି ପହିଲାରୁ ପ୍ରଚାରକୁ ଜୋରଦାର କରିବା ପାଇଁ ନେତାମାନେ ମନସ୍ଥ କରିଥିଲାବେଳେ ଗାଁ ଗାଁରେ ଏବେ ନିର୍ବାଚନୀ ହୱା ବହିବାରେ ଲାଗିଛି। କୋରାନାର ତୃତୀୟ ଲହର ଲାଗି କଡ଼ା କଟକଣା ଲାଗିଥିବାବେଳେ ହାଇଟେକ୍ ପ୍ରଚାରକୁ ଜୋର ଦିଆଯାଇଥିଲା। ହେଲେ କୋରାପୁଟ ଜିଲ୍ଲାର ବୈପାରିଗୁଡା, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ବୋରିଗୁମ୍ମା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା ପରି ଏକାଧିକ ବ୍ଲକରେ ଲୁଚକାଳି ଖେଳୁଛି ନେଟୱାର୍କ। ଏକାଧିକ ବ୍ଲକ ସଦରମହକୁମା ସହ ପଞ୍ଚାୟତରେ ଏବେ ସବୁ ନେଟୱାର୍କ ପହଞ୍ଚିପାରିନି।
କିପରି ହାଇଟେକ୍ ପ୍ରଚାର ହେବ ଓ ରାଜ୍ୟ ସରକାରଙ୍କ କରୋନା ନିୟମକୁ କାର୍ଯ୍ୟକାରୀ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କୋରାପୁଟ ଜିଲ୍ଲାରେ ୨୯ଟି ଜିଲ୍ଲା ପରିଷଦ ଜୋନ ରହିଥିଲାବେଳେ ସେଥିରୁ କୋରାପୁଟ ଉପଖଣ୍ତରେ ୧୭ଟି ଓ ଜୟପୁର ଉପଖଣ୍ତରେ ୧୨ଟି ଜୋନ ରହିଛି। କୋରାପୁଟ ଉପଖଣ୍ତରେ ୬୦ଜଣ ପ୍ରାର୍ଥୀ ଓ ଜୟପୁର ଉପଖଣ୍ତରେ ୪୮ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି। ଏହି ୨୯ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୦୮ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାରୁ ଅଧିକାଂଶ ଆସନରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଯାଇଛି।
ଅର୍ଦ୍ଧାଧୀକ ସ୍ଥାନରେ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ମୁକାବିଲା ହେବ। ତେବେ କେତେକ ସ୍ଥାନରେ ବିଦ୍ରୋହୀ ପ୍ରାର୍ଥୀ ମାନେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମାଓ ପ୍ରଭାବିତ କୁହାଯାଉଥିବା ନାରାୟଣପାଟଣା ଜୋନ୍ରେ ସର୍ବାଧିକ ୪ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି। ୩ଜଣ ଦଳୀୟ ପ୍ରାର୍ଥୀ ହୋଇଥିଲାବେଳେ ଜଣେ ସ୍ବାଧୀନ ଭାବେ ଲଢେଇ କରୁଛନ୍ତି। କୋରାପୁଟ, ବନ୍ଧୁଗାଁ, ପଟାଙ୍ଗୀ, ନନ୍ଦପୁର, ଲକ୍ଷ୍ମୀପୁର, ଲମତାପୁଟ ଆଦି ବ୍ଲକରେ ତ୍ରିମୁଖୀ ଲଢେଇ ହେଉଛି। ବହୁ ବାଦ ବିବାଦ ଭିତରେ ବିଜେଡି ବହୁ ବିଳମ୍ବରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଦଳରେ ଏକାଧିକ ଆଶାୟୀ ଥିବାରୁ ଏମିତି ଅସୁବିଧା ହୋଇଥିଲା। ଏବେ ବିଜେଡି ୨୯ଟି ଆସନ ୨୮ଟି ଆସନରେ ପ୍ରାର୍ଥୀ ଦେଇ ୨୪ ଆସନ ଜିତିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଦଳ ଭିନ୍ନ ଭିନ୍ନ ନେତାଙ୍କୁ ଅଲଗା ଦାୟିତ୍ବ ଦେଇଛି।
କୋରାପୁଟ ଉପଖଣ୍ତ ଜିଲ୍ଳା ସଭାପତି ଇଶ୍ବର ପାଣିଗ୍ରାହୀ ବୁଝାସୁଝା କରୁଥିଲାବେଳେ ଜୟପୁର ଦାୟିତ୍ବ ମଧ୍ୟ ତାଙ୍କ କାନ୍ଧରେ ରହିଛି। ପୁଣି ଦଳ ଏଥର ବିଧାନସଭା ନିର୍ବାଚନ ମଣ୍ତଳୀ ଅନୁଯାୟୀ ଅଲଗା ନେତାଙ୍କୁ ଦାୟିତ୍ବ ଦେଇଛି। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ତଳୀରେ ରହିଥିବା ଆସନର ଦାୟିତ୍ବ ଇଶ୍ବର ପାଣିଗ୍ରାହୀ ଓ ଉତ୍କଳ ରଞ୍ଜନ ନାୟକଙ୍କୁ ଦିଆଯାଇଥିବା ଦଳ ପକ୍ଷରୁ ଜଣାପଡିଛି। ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବା ପରେ କଂଗ୍ରେସ ଦଳୀୟ ରଣନୀତିରେ ବ୍ୟସ୍ତ ରହିଛି। ୨୯ରୁ ଗୋଟିଏ ପ୍ରାର୍ଥୀ ସର୍ବଦଳୀୟ ନୋତଙ୍କ ନିଷ୍ପତ୍ତି ହୋଇଥିବାରୁ ୨୮ରୁ ଅଧାରୁ ଅଧିକ ଜିତିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। କଂଗ୍ରେସ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ତଳୀକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମଧ୍ୟରେ ବାଣ୍ଟି ଦେଇଛି। କୋରାପୁଟ ଓ ଜୟପୁର ଉପଖଣ୍ଡ ପୂର୍ବତନ ବିଧାୟକ ରାମ କାଡାମ, ନିମାଇ ସରକାର, ରୁପକ ତୁରକ୍, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିର୍ବାଚନ ପରିଚାଳନା କରୁଛନ୍ତି। ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଏହାର ତଦାରଖ କରୁଥିଲାବେଳେ ଅନ୍ୟ ନେତାମାନଙ୍କୁ ମଧ୍ୟ ସହାୟତା ପାଇଁ ନିର୍ଦେଶ ଦିଆଯାଇଛି।
ବିଜେପି ରାଜ୍ୟ ନେତୃତ୍ବଙ୍କ ନେତୃତ୍ବରେ ଲଢିବା ପାଇଁ ସଜ ହେଉଥିଲାବେଳେ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଶେଷ ହେବା ପରେ ଆସନ୍ତା ପହିଲାରୁ ପ୍ରଚାର ଜମିବ ବୋଲି ଅନୁମାନ କରାଯାଉଛି। ବିଭିନ୍ନ ଦଳର କ୍ୟାମ୍ପରୁ ମିଳିଥିବା ସୂଚନା ଅନୁସାରେ, ଏବେ ଗାଁଗାଁ ବୁଲି ଲୋକ ସଂପର୍କ କରାଯାଉଛି। ଖୋଲାମେଲା ପ୍ରଚାର ନ କରି ଭିତିରିଆ ଚାଲିଛି। ଆସନ୍ତା ପହିଲାରୁ ସଭା, ଶୋଭାଯାତ୍ରା ନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କରାଯିବାକୁ ଭର୍ଚୁଆଲକୁ ସହାରା ନିଆଯିବ। ବିଜେଡି ରାଜ୍ୟସରକାର ଯୋଜନାକୁ ପାଥେୟ କରି ନିର୍ବାଚନ ଲଢିବାକୁ ଯୋଜନା ରହିଥିବାବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୋଦିକୁ ପାଥେୟ କରି ନିର୍ବାଚନ ଲଢିବ। କିନ୍ତୁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହାଞ୍ଚାଇ ଗଡ ଜିତିବାକୁ ନିଜକୁ ପ୍ରସ୍ତୁତ କରୁଛି। ସେହିପରି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନେ ପ୍ରଚାର ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି। ବିପକ୍ଷର ଦୁର୍ବଳତା ସାଙ୍ଗକୁ ନିଜର ସଫଳତା ଆଧାରରେ ପ୍ରଚାର କରିବା ପାଇଁ ସେମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି।