ରାଜନଗର: ଅଣଜଳସେଚିତ ବ୍ଲକ୍ରେ ଚାଷୀମାନେ ଟୋପେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଜଳବାୟୁ ପରିବର୍ତନ ଯୋଗୁଁ ଠିକ୍ ସମୟରେ ବର୍ଷା ନହେବା ଏବଂ ଯେଉଁ କେନାଲ ଅଛି ସେଥିରେ ପାଣି ନରହିବା ଯୋଗୁଁ ଚାଷୀ ଚାଷ କରିପାରୁନି। ଅଣଜଳସେଚିତ ବ୍ଲକ୍ରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର କେନାଲ ପୁନରୁଦ୍ଧାର ନାଁରେ ସିଂହଭାଗ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି। କେନାଲ ପୁନରୁଦ୍ଧାର କରି କେନାଲ ତଳିର ଚଉଡ଼ା ୮ ମିଟର କରିବାକୁ ଅର୍ଥାତ୍ ୨୬ ଫୁଟ ୪ ଇଞ୍ଚ ଚଉଡ଼ା କରିବାକୁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ଜେସିବି ମେସିନରେ କେବଳ ରାମ୍ପି କାମ ସାରିଦେଉଛନ୍ତି। ୮ମିଟର ହେବା ସ୍ଥାନରେ କେନାଲ ତଳିର ଚଉଡ଼ା ୮ ଫୁଟ୍ ମଧ୍ୟ ହେଉ ନଥିବା ନେଇ ଅଞ୍ଚଳବାସୀ ଗୁରୁତର ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଣଜଳସେଚିତ ଅଂଚଳ। ନଦୀ ନାଳ ଘେରା ଏହି ବ୍ଲକରେ ଚାଷୀମାନେ କେବଳ ବର୍ଷାଦିନିଆ ଖରିଫ ଧାନ ଚାଷ କରିଥାନ୍ତି। ପାଣିର ସୁବିଧା ନଥିବାରୁ ଚାଷୀ ରବିଫସଲ କିମ୍ବା ପରିବା ଚାଷ କରି ନଥାନ୍ତି।
ଗତ କିଛିବର୍ଷ ହେଲା ପାଣି ପାଗର ଅନିୟମିତତା ଯୋଗୁଁ ଖରିଫ ଧାନଚାଷ ମଧ୍ୟ ବାଧାପ୍ରାପ୍ତ ହେଉଛି। ପ୍ରତିବର୍ଷ ଠିକ୍ ସମୟରେ ବର୍ଷା ନହେବାରୁ ଗଜା ମରୁଡ଼ି ସ୍ଥିତି ସୃଷ୍ଟି ହେଉଛି। ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଡିଣ୍ତିମ ପିଟୁଛନ୍ତି। ପ୍ରତିବର୍ଷ ଏତେ କିଲୋମିଟର କେନାଲ ପୁନରୁଦ୍ଧାର କରାଗଲା, ଏତେ କିଲୋମିଟର କେନାଲ ନୂତନ ଭାବେ ଖୋଳାଗଲା ବୋଲି ରିପୋର୍ଟ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକରେ କେନାଲଗୁଡ଼ିକର ଚିତ୍ର ବଦଳୁନି। କେନାଲ ପୁନରୁଦ୍ଧାର ପାଇଁ ଗତ ୫ ବର୍ଷ ମଧ୍ୟରେ ପାଖାପାଖି ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଜେସିବି ଶୁଣ୍ଢରେ କେବଳ କେନାଲର ଆଡିକୁ ଆମ୍ପୁଡି ପୁନରୁଦ୍ଧାର କାମ ସାରିଦିଆଯାଇଛି। ରାଜନଗର ବ୍ଲକ ଦିଘିରୁ ଜୁନୁସନଗର, ରିଘାଗଡ଼ରୁ ରାଜବିଜୟନଗର ଭାୟା ବାରହାପିଟା, ଈଶ୍ବରପୁରରୁ ଡାଲଖାଇ, ଘଡ଼ିଆମାଳ ଖୋଳା ଜୋରଠାରୁ ଦାରୁଓରା, ତାଳଚୁଆ ପଂଚାୟତ ଅଫିସଠୁଁ ରାଜେନ୍ଦ୍ରନଗର ଓ ଢାଗୁଆରୁ ମଙ୍ଗରାଜପୁର ଯାଏ ଥିବା କେନାଲକୁ ପୁନରୁଦ୍ଧାର ପାଇଁ ୨୦୨୧–୨୨ ଆର୍ଥିକ ବର୍ଷରେ ଟେଣ୍ତର୍ କରାଯାଇ ଠିକାଦାର ନିଯୁକ୍ତି କରାଯାଇଛି।
୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ ଟଙ୍କା ବ୍ୟୟରେ ଏହି କେନାଲ ପୁନରୁଦ୍ଧାର କରିବାକୁ ଠିକାଦାର ନିଯୁକ୍ତି କରାଯାଇଛି। ଏହି ଟଙ୍କାରେ କେନାଲଗୁଡ଼ିକର ତଳି ୮ ମିଟର ଯାଏ ଚଉଡା କରାଯିବା ପାଇଁ ୧ କୋଟି ୯୪ ଲକ୍ଷ ୩୭ ହଜାର ୮୨୪ ଟଙ୍କା ରହିଥିବା ବେଳେ କେନାଲର ଉପର ଡ୍ରେସିଙ୍ଗ୍ ପାଇଁ ୪ ଲକ୍ଷ ୫୪ ହଜାର ୪୮୮ ଟଙ୍କା, କଲଭର୍ଟ ନିମନ୍ତେ ମାଟି କାଟିବା ପାଇଁ ୧ ଲକ୍ଷ ୧୦ ହଜାର ୪୬୯ ଟଙ୍କା, ୯୪୨ ରନିଂ ମିଟର ପାଇଲିଂ ପାଇଁ ୧୩ ଲକ୍ଷ ୯୮ ହଜାର ୫୮୭ ଟଙ୍କା, ଚିପ୍ସ-କଂକ୍ରିଟ୍ ପାଇଁ ୮୯ ଲକ୍ଷ ୨୨ ହଜାର ୬୦୨ ଟଙ୍କା, ରଡ୍ ପାଇଁ ୧ କୋଟି ୩୫ ଲକ୍ଷ ୧୪ ହଜାର ୯୬୪ ଟଙ୍କା, ସିମେଣ୍ଟ କଂକ୍ରିଟ୍ ପାଇଁ ୨ ଲକ୍ଷ ୨୧ ହଜାର ୯୮୯ ଟଙ୍କା, ମେଟାଲ କଂକ୍ରିଟ୍ ପାଇଁ ୨୦ ଲକ୍ଷ ୫୩ ହଜାର ୫୭ ଟଙ୍କା, ପୁରୁଣା ମେଟାଲ୍ ଡିସ୍ ମେଟାଲିଙ୍ଗ ପାଇଁ ୯୫ ହଜାର ୯୫୪ ଟଙ୍କା, ବାଲି ପାଇଁ ୧୪ ଲକ୍ଷ ୫୨ ହଜାର ୭୦୩ ଟଙ୍କା, ପଥର ପ୍ୟାକିଂ ପାଇଁ ୪ ଲକ୍ଷ ୬୭ ହଜାର ୨୨୭ ଟଙ୍କା, ପିଚୁ ପାଇଁ ୧୨ ହଜାର ୧୭୧ ଟଙ୍କା, ପାଇପ୍ ପାଇଁ ୯ ହଜାର ୮୩୧ ଟଙ୍କା, ମୋରମ୍ ପାଇଁ ୬ ଲକ୍ଷ ୭୮ ହଜାର ୨୪୫ ଟଙ୍କା, କଳା ବୋଲଡର୍ ପାଇଁ ୧୦ ଲକ୍ଷ ୭୮ ହଜାର ୬୧୯ ଟଙ୍କା, କଲଭର୍ଟ ସଟର୍ ପାଇଁ ୩୩ ଲକ୍ଷ ୪୮ ହଜାର ୯ଶହ ଟଙ୍କା, କଲଭର୍ଟ ପାଇପ ପାଇଁ ୧ ଲକ୍ଷ ୪୧ ହଜାର ୨୩୮ ଟଙ୍କା, ସଣ୍ଟରିଙ୍ଗ୍ ପାଇଁ ୫୬ ହଜାର ୨୫୭ ଟଙ୍କା ଏଷ୍ଟିମେଟ୍ରେ ରହିଛି। କେନାଲ ପୁନରୁଦ୍ଧାର ସହିତ କେନାଲର ତଳି ୮ ମିଟର ଯାଏ ଚଉଡା କରିବା ଏବଂ କେନାଲର ଦୁଇପାର୍ଶ୍ବ ହୁଡାକୁ ସାଇଜ୍ କରିବା ପାଇଁ ୨ କୋଟି ଟଙ୍କା ଦିଆଯାଇଛି। ଅବଶିଷ୍ଟ ଟଙ୍କା ପାଦଚଲା ସେତୁ, ସ୍ଲୁଇସ୍ କଲର୍ଭଟ, ରାସ୍ତାରେ ମୋରମ୍ ବିଛାଇବା, ବାଲି ଫିଲିଙ୍ଗ୍ ଆଦି କାମ ପାଇଁ ଏଷ୍ଟିମେଟ୍ରେ ରଖାଯାଇଛି।
ପୂର୍ବରୁ କେନାଲ ପୋତିହୋଇଯାଇଥିବାରୁ, ଆବର୍ଜନାରେ ଭର୍ତି ହୋଇଥିବାରୁ ଏବଂ ଦଳ ଓ ବିଭିନ୍ନ ଲତା ମାଡି ଯାଇଥିବାରୁ କେନାଲରେ ପାଣି ରହୁ ନଥିଲା। କେନାଲକୁ ଚଉଡ଼ା କରିବା ଓ କେନାଲରେ ଯେପରି ଚାଷୀଙ୍କ ଆବଶ୍ୟକତା ସମୟରେ ମିଠା ପାଣି ଆସିବ ସେ ନେଇ କେନାଲ ପୁନରୁଦ୍ଧାର ପାଇଁ ଅର୍ଥ ଦିଆଯାଇଛି। ମାତ୍ର କେନାଲ ପୁନରୁଦ୍ଧାର ନାଁକୁ ମାତ୍ର କରି ସରକାରୀ ଟଙ୍କା ଲୁଟି ନିଆଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଦିଘି, ରିଘାଗଡ଼ ନିକଟରେ ଖୋଳାଯାଉଥିବା କେନାଲକୁ ଦେଖିଲେ, କେବଳ ଜେସିବି ଶୁଣ୍ଢରେ ଆମ୍ପୁଡି ଦେଇ କାମ ସାରି ଦିଆଯାଉଛି। କୌଣସି ଗୋଟିଏ ଜାଗାରେ ମଧ୍ୟ କେନାଲ ତଳିର ଚଉଡ଼ା ୮ ମିଟର ଦୂରର କଥା, ୮ ଫୁଟ ବି ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କେନାଲ ପୁନରୁଦ୍ଧାର ଦାୟିତ୍ବରେ ଥିବା ଡ୍ରେନେଜ୍ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ସିଂଙ୍କୁ ପଚାରିବାରୁ, ମୁଁ କାମ ଚେକ୍ କରିବି ବୋଲି କହିଛନ୍ତି। ଏବେ ସମ୍ପୂର୍ଣ୍ଣ ବିଲ ହୋଇନି, କେବଳ ରନିଂ ବିଲ ହୋଇଛି ବୋଲି କହିଛନ୍ତି। ତେବେ, ଯେଉଁ ସ୍ଥାନର କେନାଲ ଖୋଳାକୁ ଦେଖାଇ ରନିଂ ବିଲ କରାଯାଇଛି, ସେ ସ୍ଥାନର କେନାଲର ଚଉଡ଼ା ଏଷ୍ଟିମେଟ୍ ଅନଯାୟୀ ଅଛି କି? ବୋଲି ପଚାରିବାରୁ ମୁଁ କ’ଣ ସବୁ ଚେକ୍ କରି ପାରିବି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ସବୁଠୁ ବଡକଥା ହେଲା, ଯଦି ଯନ୍ତ୍ରୀ କେନାଲ ଖୋଳା ଯିବା କାମକୁ ମାପି ନାହାନ୍ତି, ତେବେ ରନିଂ ବିଲ୍ କଲେ କିପରି ବୋଲି ପ୍ରଶ୍ନ ଉଠିଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।