ରାଜନଗର: ‘ସମ୍ବାଦ’ରେ ଅଣଜଳସେଚିତ ବ୍ଲକରେ କେନାଲ ‘ପୁନରୁଦ୍ଧାର ନାଁରେ ମହାଦୁର୍ନୀତି, ୮ ମିଟର ବଦଳରେ ୮ ଫୁଟ ବି ଚଉଡା ହେଉନି’ କେନାଲ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଜଳନିକାସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ସତ ଧରା ପଡିଯିବା ପରେ ଦୁର୍ନୀତିକୁ ଲୁଚାଇବା ପାଇଁ ଯେଉଁ କେନାଲ ମାସ ତଳୁ ଖୋଳା ସରି ବିଲ୍‌ ସରିଥିଲା, ସେହି କେନାଲର ଖନନ କାର୍ଯ୍ୟ ଆଉ ଥରେ ଆରମ୍ଭ ହୋଇଛି। ସୂଚନା ଅନୁସାରେ, କେନାଲ ପୁନଃରୁଦ୍ଧାର କରି କେନାଲ ତଳିର ଚଉଡା ୮ ମିଟର କରିବାକୁ ଅର୍ଥାତ୍ ୨୬ ଫୁଟ ୪ ଇଂଚ ଚଉଡା କରିବାକୁ ଏଷ୍ଟିମେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି। ମାତ୍ର ଜେସିବି ମେସିନରେ କେବଳ ରାମ୍ପି କାମ ସାରି ଦିଆଯାଇଥିଲା। କେନାଲ ତଳିର ଚଉଡା ୮ମିଟର ବଦଳରେ ୮ ଫୁଟ ମଧ୍ୟ ହୋଇ ନ ଥିବା ଅଂଚଳବାସୀ ଗୁରୁତର ଅଭିଯୋଗ କରିଥିଲେ।

Advertisment

ଖବର ପ୍ରକାଶ ପାଇବା ପରେ ଜଳ ନିକାସ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପଟ୍ଟନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ଶୁକ୍ରଜିତ ମହାନ୍ତି କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଉପରେ ଘଟଣା ସ୍ଥଳରେ ବର୍ଷିଥିଲେ। କେନାଲର ଚଉଡା ସ୍ଲୁଇସ ନିକଟରେ ୮ ମିଟର ଦୂରର କଥା, ୮ ଫୁଟ ମଧ୍ୟ ହୋଇନଥିବା ଦେଖିଥିଲେ। ତୁରନ୍ତ ଦିଘିରୁ ଜୁନୁସନଗର, ରିଘାଗଡରୁ ରାଜବିଜୟନଗର ଭାୟା ବାର୍ହାପିଟା କେନାଲକୁ ଆଉଥରେ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲିଠାରୁ ମାସେ ତଳେ କେନାଲ ଖୋଳା ସରିଥିବା ଦିଘି ରୁ ଜୁନୁସନଗର କେନାଲର ଖନନ କାର୍ଯ୍ୟ ଆଉଥରେ ଆରମ୍ଭ ହୋଇଛି। ଦିଘି ଗାଁର ବନମାଳି ଦାସ ଓ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ମାସେ ତଳେ ଜେସିବି ଶୁଣ୍ଢରେ ରାମ୍ପୁଡି କେନାଲ ଖୋଳା କାମ ସାରିଦେଇଥିଲେ। ଆମେ କହିବା ସତ୍ୱେ ମଧ୍ୟ କେନାଲରୁ ମାଟି ଉଠାଇ ନଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳ ଦେଖିବା ପରେ ଆଉଥରେ କାମ କରିବାକୁ କହିଥିଲେ। ବଡ଼କଥା ହେଲା ରାଜନଗର ବ୍ଲକରେ କେନାଲ ଖୋଳା ନାଁରେ ଗତ ୭ ବର୍ଷରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୭ବର୍ଷରେ ଯେତେ କେନାଲ ଖୋଳା ହୋଇଛି, କେବଳ ଜେସିବି ଶୁଣ୍ଢରେ ରାମ୍ପି ବିଲ୍‌ କରି ଲୁଟି ନିଆଯାଇଛି। ଏପରିକି ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଲୁଟିଥିବା ଅଭିଯୋଗ ହୋଇଛି ଏହାବାଦ କେନାଲ ଖୋଳା କାମ ସରିନଥିବା ବେଳେ ଠିକାଦାରଙ୍କୁ ୪୦ ଲକ୍ଷ ଟଙ୍କା ବିଲ ଦିଆଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରାଜନଗର ବ୍ଲକର ଦିଘିରୁ ଜୁନୁସନଗର, ରିଘାଗଡରୁ ରାଜବିଜୟନଗର ଭାୟା ବାରହାପିଟା, ଇଶ୍ୱରପୁରରୁ ଡାଲଖାଇ, ଘଡିଆମାଳ ଖୋଳା ଜୋରଠାରୁ ଦାରୁଓରା, ତାଳଚୁଆ ପଂଚାୟତ ଅଫିସଠୁ ରାଜେନ୍ଦ୍ରନଗର ଓ ଢାଗୁଆରୁ ମଙ୍ଗରାଜପୁର ଯାଏ ଥିବା କେନାଲର ପୁନଃରୁଦ୍ଧାର ପାଇଁ ୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ ଟଙ୍କା ବ୍ୟୟରେ ଠିକାଦାର ନିଯୁକ୍ତି କରାଯାଇଛି। ଏହି ଟଙ୍କାରେ କେନାଲଗୁଡିକର ତଳି ୮ ମିଟର ଯାଏ ଚଉଡା କରାଯିବା ପାଇଁ ୧ କୋଟି ୯୪ ଲକ୍ଷ ୩୭ ହଜାର ୮୨୪ ଟଙ୍କା ରହିଥିବା ବେଳେ କେନାଲର ଉପର ଡ୍ରେସିଙ୍ଗ୍ ପାଇଁ ୪ ଲକ୍ଷ ୫୪ ହଜାର ୪୮୮ ଟଙ୍କା ରହିଛି। ଅର୍ଥାତ୍ କେନାଲ ପୁନଃରୁଦ୍ଧାର ସହିତ କେନାଲର ତଳି ୮ ମିଟର ଯାଏ ଚଉଡା କରିବା ଏବଂ କେନାଲର ଦୁଇ ପାର୍ଶ୍ବର ହୁଡାକୁ ସମତୁଲ କରିବା ପାଇଁ ୨ କୋଟି ଟଙ୍କା ଦିଆଯାଇଛି। ଅବଶିଷ୍ଟ ଟଙ୍କା ପାଦ ଚଲା ସେତୁ, ସ୍କୁଇସ୍ କଲର୍ଭଟ, ରାସ୍ତାରେ ମୋରମ ବିଛାଇବା, ବାଲି ଫିଲିଂ ଆଦି କାମ ପାଇଁ ଏଷ୍ଟିମେଟରେ ରଖାଯାଇଛି। ପୂର୍ବରୁ କେନାଲ ପୋତି ହୋଇଯାଇଥିବାରୁ ପାଣି ରହୁନଥିଲା। କେନାଲକୁ ଚଉଡା କରିବା ଓ କେନାଲରେ କିପରି ଚାଷୀଙ୍କ ଆବଶ୍ୟକତା ସମୟରେ ମିଠା ପାଣି ଆସିବ ସେ ନେଇ କେନାଲ ପୁନଃରୁଦ୍ଧାର ପାଇଁ ଅର୍ଥ ଦିଆ‌ଯାଇଛି। ମାତ୍ର କେନାଲ ପୁନଃରୁଦ୍ଧାର ନାଁକୁ ମାତ୍ର କରି ସରକାରୀ ଟଙ୍କା ଲୁଟି ନିଆଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ କେନାଲ ପୁନଃରୁଦ୍ଧାର ଦାୟିତ୍ୱରେ ଥିବା ଡ୍ରେନେଜ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁକ୍ରଜିତ ମହାନ୍ତିଙ୍କୁ ପଚାରିବାରୁ ମୁଁ ଦେଖିନଥିଲି, କାମ ସାରିଦେଇଥିଲେ। ଏବେ ସବୁକାମ ଆଉଥରେ ହେବ ବୋଲି କହିଛନ୍ତି। ଅର୍ଥାତ୍ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଦୁର୍ନୀତିକୁ ସ୍ବୀକାର କରିଛନ୍ତି। ଯଦି ଦୁର୍ନୀତି ହୋଇଛି, ଦୁର୍ନୀତି ଧରା ପଡିବା ପରେ ଆ ଉଥରେ କାମ ହେଉଛି, ତେବେ ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ନିଆଯିବନି ବୋଲି ଅଂଚଳବାସୀ ପ୍ରଶ୍ନ କରିଛନ୍ତି।