କେନାଲ ପୁନଃରୁଦ୍ଧାର ନାଁରେ ହରିଲୁଟ୍‌, ଜେସିବି ଶୁଣ୍ଢରେ ରାମ୍ପି କାମ ସାରିଦେଲେ

ରାଜନଗର: ଅଣଜଳସେଚିତ ବ୍ଲକରେ ଚାଷୀମାନେ ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଠିକ୍ ସମୟରେ ବର୍ଷା ନ ହେବା ଏବଂ ଯେଉଁ କେନାଲ ଅଛି ସେଥିରେ ପାଣି ନ ରହିବା ଯୋଗୁଁ ଚାଷୀ ଚାଷ କରିପାରୁନି। ଅଣଜଳସେଚିତ ବ୍ଲକରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର କେନାଲ ପୁନଃରୁଦ୍ଧାର ନାଁରେ ସିଂହଭାଗ ଅର୍ଥ ହରିଲୁଟରେ ଶେଷ ହେଉଥିବା ଅଭିଯୋଗ ହୋଇଛି। କେନାଲ ପୁନଃରୁଦ୍ଧାର କରି କେନାଲ ତଳିର ଚଉଡା ୮ ମିଟର ଯାଏ କରିବାକୁ ଅର୍ଥାତ୍ ୨୬ ଫୁଟ ୪ ଇଂଚ ପର୍ଯ୍ୟନ୍ତ ଚଉଡା କରିବାକୁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ସର୍ବନିମ୍ନ ୩ ମିଟରରୁ ଅର୍ଥାତ୍ ୧୦ ଫୁଟ ଚଉଡାରୁ କେଉଁଠି କମ ଓସାରର କେନାଲ ଖୋଳା ଯିବା ପାଇଁ ଏଷ୍ଟିମେଟ ହୋଇନାହିଁ। ମାତ୍ର ଜେସିବି ଶୁଣ୍ଢରେ ରାମ୍ପି କାମ ସାରି ଦେଉଛନ୍ତି। ୮ ମିଟର ବଦଳରେ କେନାଲ ତଳିର ଚଉଡା ୫/୬ ଫୁଟ ମଧ୍ୟ ହେଉ ନ ଥିବା ନେଇ ଅଂଚଳବାସୀ ଗୁରୁତର ଅଭିଯୋଗ କରିଛନ୍ତି। ଜିଲ୍ଲାର ରାଜନଗର ବ୍ଲକ ଅଣଜଳସେଚିତ ଅଂଚଳ। ନଦୀନାଳ ଘେରା ଏହି ବ୍ଲକ୍‌ରେ ଚାଷୀମାନେ କେବଳ ବର୍ଷାଦିନିଆ ଖରିଫ ଧାନ ଚାଷ କରିଥାନ୍ତି। ପାଣିର ସୁବିଧା ନ ଥିବାରୁ ଚାଷୀ ରବିଫସଲ କିମ୍ବା ପରିବା ଚାଷ କରି ନ ଥାନ୍ତି। ଗତ କିଛି ବର୍ଷ ହେଲା ପାଣି ପାଗର ଅନିୟମିତତା ଯୋଗୁଁ ଖରିଫ ଧାନଚାଷ ମଧ୍ୟ ବାଧାପ୍ରାପ୍ତ ହେଉଛି। ପ୍ରତିବର୍ଷ ଠିକ୍ ସମୟରେ ବର୍ଷା ନହେବାରୁ ଗଜା ମରୁଡି ସ୍ଥିତି ସୃଷ୍ଟି ହେଉଛି। ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଡିଣ୍ତିମ ପିଟୁଛନ୍ତି। ପ୍ରତିବର୍ଷ ଏତେ କିଲୋମିଟର କେନାଲ ପୁନଃରୁଦ୍ଧାର କରାଗଲା, ଏତେ କିଲୋମିଟର କେନାଲ ନୂତନ ଭାବେ ଖୋଳାଗଲା ବୋଲି ସରକାର ରିପୋର୍ଟ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକରେ କେନାଲଗୁଡିକର ଚିତ୍ର ବଦଳୁନି। କେନାଲ ପୁନଃରୁଦ୍ଧାର ପାଇଁ ଗତ ୫ ବର୍ଷ ମଧ୍ୟରେ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଜେସିବି ଶୁଣ୍ଢରେ କେନାଲ ଆଡିକୁ ରାମ୍ପି ପୁନଃରୁଦ୍ଧାର କାମ ସାରିଦିଆଯାଇଛି। ରାଜନଗର ବ୍ଲକ ଗୋପାଳପୁରରୁ ଡେରା, ଡେରାରୁ ସାନକୁଜି ଏବଂ ଏହି କେନାଲକୁ ସଂଯୋଗ କରୁଥିବା ସମସ୍ତ ସଂଯୋଗୀକରଣ ଡ୍ରେନର ପାଣି କିପରି ବ୍ରାହ୍ମଣୀ ନଦୀରେ ପହଞ୍ଚିବ, ସେଥିପାଇଁ କେନାଲର ପୁନଃରୁଦ୍ଧାର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ଟେଣ୍ତର କରାଯାଇ ଠିକାଦାର ନିଯୁକ୍ତି କରାଯାଇଛି। ୪ କୋଟି ୬୮ ଲକ୍ଷ ୩ ହଜାର ୩୩୦ ଟଙ୍କା ବ୍ୟୟରେ ଏହି କେନାଲ ପୁନଃରୁଦ୍ଧାର କରିବାକୁ ଠିକାଦାର ନିଯୁକ୍ତି କରାଯାଇଛି।

ଏହି ଟଙ୍କାରେ କେନାଲଗୁଡିକର ତଳି ୮ ମିଟର ଯାଏ ଚଉଡା କରାଯିବା ପାଇଁ ୯୫ ଲକ୍ଷ ୭୬ ହଜାର ୭୨୬ ଟଙ୍କା ରହିଥିବା ବେଳେ କପର ଡ୍ୟାମ ପାଇଁ ୧୦ ଲକ୍ଷ ୪୬ ହଜାର ୪୯୩ , ପୋଲ ନିମନ୍ତେ ମାଟି କାମ ପାଇଁ ୯୧ ହଜାର ୨୫୦ , ୧୩୨୦ ମିଟର ୩୭୫ ଏମଏମ ପାଏଲିଂ ପାଇଁ ୧୯ ଲକ୍ଷ ୩୨ ହଜାର ୭୪୪, ସିମେଂଟ କଂକ୍ରିଟ ପାଇଁ ୯୧ ଲକ୍ଷ ୮ ହଜାର ୯୮୯ , ରଡ୍‌ ପାଇଁ ୧ କୋଟି ୩୪ ଲକ୍ଷ ୫୭ ହଜାର ୪୧୬ , ଏମ-୫୦ କଂକ୍ରିଟ ପାଇଁ ୧୮ ଲକ୍ଷ ୯ ହଜାର ୮୪୪ , କପର ଡ୍ୟାମ ମାଟି କଟା ପାଇଁ ୨ ଲକ୍ଷ ୨୦ ହଜାର ୯୪୧, ବାଲି ଫିଲିଂ ପାଇଁ ୧୮ ଲକ୍ଷ ୧୪ ହଜାର ୮୮୪, ହ୍ୟୁମ ପାଇପ ପାଇଁ ୬୭ ହଜାର ୩୭୫ ଟଙ୍କା ଦିଆଯାଇଛି। ଚାଷୀ ଯେପରି କେନାଲରେ ପାଣି ପାଇବେ ଓ ଚାଷ କାର୍ଯ୍ୟ ଠିକ୍ ଭାବରେ କରିପାରିବେ ସେ ନେଇ ସରକାର ଅର୍ଥ ଯୋଗାଇ ଦେଉଥିବା ବେଳେ ରାଜନଗର ବ୍ଲକରେ କେବଳ ଜେସିବି ଶୁଣ୍ଢରେ କେନାଲ ରାମ୍ପି ଦେଇ କାମ ସାରି ଦିଆଯାଉଛି। କେନାଲ ପୁନଃରୁଦ୍ଧାର ସହିତ କେନାଲର ତଳି ୮ ମିଟର ଯାଏ ଚଉଡା କରିବା ଏବଂ କେନାଲର ଦୁଇ ପାର୍ଶ୍ବ ହୁଡାକୁ ସାଇଜ କରିବା ପାଇଁ ୧ କୋଟି ଟଙ୍କା ଦିଆଯାଇଛି। ଅବଶିଷ୍ଟ ଟଙ୍କା ପାଦ ଚଲା ସେତୁ, ସ୍କୁଇସ୍‌ କଲର୍ଭଟ, ରାସ୍ତାରେ ମୋରମ ବିଛାଇବା, ବାଲି ଫିଲିଂ ଆଦି କାମ ପାଇଁ ଏଷ୍ଟିମେଟରେ ରଖାଯାଇଛି। ପୂର୍ବରୁ କେନାଲ ପୋତି ହୋଇଯିବା ଓ ଆବର୍ଜନାରେ ଭର୍ତି ହୋଇଥିବାରୁ ପାଣି ରହୁନଥିଲା। କେନାଲକୁ ଚଉଡା କରିବା ଓ କେନାଲରେ କିପରି ଚାଷୀଙ୍କ ଆବଶ୍ୟକତା ସମୟରେ ମିଠା ପାଣି ଆସିବ ସେ ନେଇ କେନାଲ ପୁନଃରୁଦ୍ଧାର ପାଇଁ ଅର୍ଥ ଦିଆଯାଇଛି। ମାତ୍ର କେନାଲ ପୁନଃରୁଦ୍ଧାର ନାଁକୁ ମାତ୍ର କରି ସରକାରୀ ଟଙ୍କା ଲୁଟି ନିଆଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚିଂଚିରି, ନୂଆଗାଁ ନିକଟରେ ଖୋଳାଯାଇଥିବା କେନାଲକୁ ଦେଖିଲେ ଏହା ସ୍ପଷ୍ଟ ହୋଇ ଯାଉଛି। କୌଣସି ଗୋଟିଏ ଜାଗାରେ ମଧ୍ୟ କେନାଲ ତଳିର ଚଉଡା ୮ ମିଟର ଦୂରର କଥା, ୮ ଫୁଟ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କେନାଲ ପୁନଃରୁଦ୍ଧାର ଦାୟିତ୍ବରେ ଥିବା ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ସିଂଙ୍କୁ ପଚାରିବାରୁ କାମ ଯାଞ୍ଚ କରିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର