ଏମିତି ହୋଇଛି କେନାଲ ଖୋଳା ! କୋଟିଏ, ଆଉ କେତେ ପ୍ରମାଣ ପରେ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା/ ରାଜନଗର: ଦାନ୍ତୁଆଣି କେନାଲ କମ୍‌ କ୍ରିକ୍‌ ବାଲିସାହିପାଟଣା ଓ ଏହାର ସଂଯୋଗୀକରଣ କେନାଲର ପୁନଃରୁଦ୍ଧାର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଟେଣ୍ତର କରାଯାଇ ଠିକାଦାର ନିଯୁକ୍ତି କରାଯାଇଛି। ୪ କୋଟି ୮୪ ଲକ୍ଷ ୭୪ ହଜାର ୪୧୨ ଟଙ୍କା ବ୍ୟୟରେ ଏହି କେନାଲ ପୁନଃରୁଦ୍ଧାର କରିବାକୁ ଠିକାଦାର ନିଯୁକ୍ତି କରାଯାଇଛି। କେନାଲଗୁଡିକର ତଳି ୫ ମିଟର ଓ ଉପର ଭାଗ ୮ ମିଟର ଚଉଡା କରିବା ସହ ପୁରୁଣା କେନାଲ ଯେଉଁ ସ୍ଥିତିରେ ଥିଲା, ତାଠୁ ସାଢେ ୪ ଫୁଟ ଗଭୀର କରିବା ପାଇଁ ୧ କୋଟି ୪୫ ଲକ୍ଷ ୪୭ ହଜାର ୨୯ ଟଙ୍କା ବ୍ୟୟ ବରାଦ କରାଯାଇଛି।

କେନାଲ ଖୋଳାଯିବା ପରେ ତାର ଉପରକୁ ଉଠିଥିବା ମାଟିକୁ ଡ୍ରେସିଂ କରିବା ପାଇଁ ୬ ଲକ୍ଷ ୯୭ ହଜାର ୬୮ ଟଙ୍କା ଦିଆଯାଇଛି। ଅବଶିଷ୍ଟ ଟଙ୍କା ପାଦ ଚଲା ସେତୁ, ସ୍କୁଇସ୍‌ କଲର୍ଭଟ, ରାସ୍ତାରେ ମୋରମ ବିଛାଇବା, ବାଲି ଫିଲିଙ୍ଗ୍ ଆଦି କାମ ପାଇଁ ଏଷ୍ଟିମେଟରେ ରଖାଯାଇଛି। ୧ କୋଟି ୫୨ ଲକ୍ଷ ଟଙ୍କା କେବଳ କେନାଲ ଖୋଳା ହେବା ପାଇଁ ରହିଛି। ମାତ୍ର ଯେଉଁଭଳି ଢଙ୍ଗରେ କେନାଲ ଖୋଳା ଯାଇଛି ଏଥିରେ ୧ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାର କେନାଲ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ କେବଳ ଜେସିବି ଶୁଣ୍ଢରେ ରାମ୍ପି ସରକାରୀ ଟଙ୍କା ଲୁଟି ନିଆଯାଇଛି। ଏହି ଫଟୋଗୁଡିକ ଯେ କେବଳ କେନାଲ ଖୋଳାର ଅସଲ ଚିତ୍ର ବଖାଣୁଛି ତାହା ନୁହେଁ, ବରଂ ଏଥିରେ କିଭଳି ଦୁର୍ନୀତି ହୋଇଛି ତାହା ସୂଚନା ଦେଉଛି। କେନାଲ ଖୋଳା ଯାଇନଥିବା ବେଳେ କେବଳ ଜେସିବି ଶୁଣ୍ଢରେ ରାମ୍ପି ଦେଇ କିପରି ବିଲ୍‌ କରାଗଲା, ତାହାକୁ ନେଇ ବିଭାଗର ସାଧୁତା ପ୍ରତି ପ୍ରଶ୍ନ ଉଠିଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର