କେନ୍ଦ୍ରାପଡ଼ା/ରାଜନଗର: ରାଜନଗରର ଦାରୁଓରା ଗାଁରେ ଡ୍ରେନେଜ୍ ବିଭାଗ ପଙ୍କ ଉପରେ ମୂଳଦୁଆ ଢଳେଇ ଏବଂ ନିମ୍ନମାନର କଲଭର୍ଟ ନିର୍ମାଣ କାମକୁ ସ୍ଥାନୀୟ ସରପଂଚ ଓ ଚାଷୀ ବନ୍ଦ କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଏବେ ଆଉ ଏକ ଆଖି ତରାଟି ଦେବା ଭଳି ଦୁର୍ନୀତି ପଦାକୁ ଆସିଛି। କେନାଲ ପୁନରୁଦ୍ଧାର ନାଁରେ ର’ ଠ’ରେ କାମ କରି ଯନ୍ତ୍ରୀ-ଠିକାଦାର କୋଟି କୋଟି ଟଙ୍କା ହରିଲୁଟ୍‌ କରିନେଇଥିବାର ଚାଞ୍ଚଲ୍ୟକର ତଥ୍ୟ ସୂଚନା ଅଧିକାର ଆଇନରୁ ହସ୍ତଗତ ହୋଇଛି। ଏମ୍‌ବି(ମେଜେରମେଣ୍ଟ୍‌ ବୁକ୍‌)ରେ କେନାଲର ତଳ ୮ମିଟର୍‌ ବା‌ ୨୬ଫୁଟ୍ ଚଉଡ଼ା ଏବଂ ଉପର ଭାଗ ୧୨ମିଟର୍‌ ବା ୪୦ଫୁଟ୍‌ ଚଉଡ଼ା ଖୋଳାଯାଇଥିବା ଦର୍ଶାଯାଇଛି। ବିଲ୍‌ ପାସ୍ ପୂର୍ବରୁ କନିଷ୍ଠ ଯନ୍ତ୍ରୀଙ୍କ ଯାଞ୍ଚ ରିପୋର୍ଟକୁ ଠିକ୍ ବୋଲି ଏମ୍‌ବିରେ ସହକାରୀ ଯନ୍ତ୍ରୀ ଉଲ୍ଲେଖ କରିବା ପରେ ବିଲ୍‌ ହୋଇଛି। କିନ୍ତୁ ବାସ୍ତବରେ ପ୍ରକଳ୍ପସ୍ଥଳକୁ ଯାଇ କେନାଲର ଉପରିଭାଗ ଦେଖିଲେ ଚଉଡ଼ା ସର୍ବାଧିକ ୨୦ ଫୁଟ୍‌ ହେଇଥିବା ବେଳେ ଚଉଡ଼ା ବିଲମଝିରେ କେଉଁଠି ୧୫ ଫୁଟ ତ କେଉଁଠି ୨୦ ଫୁଟ ମଧ୍ୟରେ ସୀମିତ ରହିଛି।  ଏଭଳି ସ୍ଥିତିରେ ୧୫/୨୦ ଫୁଟ ଚଉଡାର କେନାଲ ଖୋଳି ଡ୍ରେନେଜ୍ ବିଭାଗର ବିଭାଗୀୟ ଯନ୍ତ୍ରୀ କିପରି ଏମ୍‌ବିରେ ୪୦ ଫୁଟ ଚଉଡ଼ାର କେନାଲ ଖୋଳାଯାଇଥିବା ଦର୍ଶାଇ ବିଲ୍‌ କଲେ, ତାହା ଏବେ ଉଚ୍ଚସ୍ତରୀୟ ତଦନ୍ତର ଅପେକ୍ଷା ରଖୁଛି। ଅଣଜଳସେଚିତ ଚାଷଜମିକୁ ପାଣି ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଡ୍ରେନେଜ୍‌ ବିଭାଗର ଯନ୍ତ୍ରୀ-ଠିକାଦାର କିଭଳି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନାକୁ ବାଟବଣା କରି କୋଟି କୋଟି ଟଙ୍କା ହରିଲୁଟ୍‌ କରୁଛନ୍ତି, ତାହା ରାଜନଗର ବ୍ଲକ୍‌ର ଗୋଟିଏ ଦୁଇଟି ପ୍ରକଳ୍ପରେ ‌ହୋଇଥିବା ଆଖିବୁଜା ଦୁର୍ନୀତିରୁ ଜଣାପଡ଼ିଯାଉଛି। ରାଜନଗର ବ୍ଲକ୍‌ର ଦିଘିରୁ ଜୁନୁସ୍‌ନଗର, ରିଘାଗଡ଼ରୁ ରାଜବିଜୟନଗର ଭାୟା ବାର୍‌ହାପିଟା, ଈଶ୍ବରପୁରରୁ ଡାଲଖାଇ, ଘଡ଼ିଆମାଳ ଖୋଳା ଜୋରଠାରୁ ଦାରୁଓରା, ତାଳଚୁଆ ପଂଚାୟତ ଅଫିସଠୁ ରାଜେନ୍ଦ୍ରନଗର ଓ ଢାଗୁଆରୁ ମଙ୍ଗରାଜପୁର ଯାଏ ଥିବା କେନାଲକୁ ପୁନରୁଦ୍ଧାର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଟେଣ୍ତର୍‌ କରାଯାଇଥିଲା। ମୋଟ ୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପରେ ଦୁର୍ନୀତିର ସୀମା ଲଂଘିଛି।

Advertisment

ବ୍ୟୟ ଅଟକଳ ମଧ୍ୟରୁ କେନାଲ ପୁନରୁଦ୍ଧାର ପାଇଁ ୧ କୋଟି ୯୪ ଲକ୍ଷ ୩୭ ହଜାର ୮୨୪ ଟଙ୍କା ରହିଥିବା ବେଳେ କେନାଲର ଉପର ଡ୍ରେସିଂ ପାଇଁ ୪ ଲକ୍ଷ ୫୪ ହଜାର ୪୮୮ ଟଙ୍କା, କଲଭର୍ଟ ନିମନ୍ତେ ମାଟି କାଟିବାକୁ ୧ ଲକ୍ଷ ୧୦ ହଜାର ୪୬୯ ଟଙ୍କା, ୯୪୨ ରନିଂ ମିଟର୍‌  ପାଇଲିଂ ପାଇଁ  ୧୩ ଲକ୍ଷ ୯୮ ହଜାର ୫୮୭ ଟଙ୍କା, ଚିପ୍ପ କଂକ୍ରିଟ୍‌ ପାଇଁ ୮୯ ଲକ୍ଷ ୨୨ ହଜାର ୬୦୨ ଟଙ୍କା, ରଡ୍‌ ପାଇଁ ୧ କୋଟି ୩୫ ଲକ୍ଷ ୧୪ ହଜାର ୯୬୪ ଟଙ୍କା, ସିମେଣ୍ଟ୍‌ କଂକ୍ରିଟ ପାଇଁ ୨ ଲକ୍ଷ ୨୧ ହଜାର ୯୮୯ ଟଙ୍କା, ମେଂଟାଲ କଂକ୍ରିଟ ପାଇଁ ୨୦ ଲକ୍ଷ ୫୩ ହଜାର ୫୭ ଟଙ୍କା, ପୁରୁଣା ମେଂଟାଲ ଡିସ୍‌ ମେଂଟାଲିଂ ପାଇଁ ୯୫ ହଜାର ୯୫୪ ଟଙ୍କା, ବାଲି ପାଇଁ ୧୪ ଲକ୍ଷ ୫୨ ହଜାର ୭୦୩ ଟଙ୍କା, ପଥର ପ୍ୟାକିଂ ପାଇଁ ୪ ଲକ୍ଷ ୬୭ ହଜାର ୨୨୭ ଟଙ୍କା, ପିଚୁ ପାଇଁ ୧୨ ହଜାର ୧୭୧ ଟଙ୍କା, ପାଇପ୍‌ ପାଇଁ ୯ ହଜାର ୮୩୧ ଟଙ୍କା, ମୋରମ୍‌ ପାଇଁ ୬ ଲକ୍ଷ ୭୮ ହଜାର ୨୪୫ ଟଙ୍କା, କଳା ବୋଲଡର୍‌ ପାଇଁ ୧୦ ଲକ୍ଷ ୭୮ ହଜାର ୬୧୯ ଟଙ୍କା, କଲଭର୍ଟ ସଟର୍‌ ପାଇଁ ୩୩ ଲକ୍ଷ ୪୮ ହଜାର ୯ଶହ ଟଙ୍କା, କଲଭର୍ଟ ପାଇପ୍‌ ପାଇଁ ୧ ଲକ୍ଷ ୪୧ ହଜାର ୨୩୮ ଟଙ୍କା ଏବଂ ସେଣ୍ଟ୍ରିଂ ପାଇଁ ୫୬ ହଜାର ୨୫୭ ଟଙ୍କା ରହିଛି। ସେହିପରି କେନାଲ ପୁନରୁଦ୍ଧାର ସହିତ ଚଉଡ଼ା ଏବଂ ଦୁଇ ପାର୍ଶ୍ବ ହୁଡ଼ାକୁ ସାଇଜ୍‌ କରିବା ପାଇଁ ୨ କୋଟି ଟଙ୍କା ଦିଆଯାଇଛି। ଅବଶିଷ୍ଟ ଟଙ୍କା ପାଦଚଲା ସେତୁ, ସ୍ଲୁଇସ୍‌ କଲର୍ଭଟ, ରାସ୍ତାରେ ମୋରମ୍‌ ବିଛାଇବା, ବାଲି ଫିଲିଂ ଆଦି କାମ ପାଇଁ ଏଷ୍ଟିମେଟ୍‌ରେ ରଖାଯାଇଛି।

କିନ୍ତୁ କାମ ଯେ ଏଷ୍ଟି‌ମେଟ୍‌ ଅନୁଯାୟୀ ଆଦୌ ହେଇନାହିଁ, ତାହା ଈଶ୍ବରପୁର କେନାଲ କାମରୁ ଧରାପଡ଼ିଯାଉଛି। ଏହି କେନାଲ ଆରମ୍ଭରୁ ଅର୍ଥାତ ୦ ରୁ ୬କିଲୋମିଟର ୨ଶହ ମିଟର ଯାଏଁ ତଳ ଚଉଡା ୨୬ ଫୁଟ ଏବଂ ଉପର ଭାଗ ଚଉଡା ୪୦ ଫୁଟ ଖୋଳାଯାଇଥିବା ଏମ୍‌ବିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କନିଷ୍ଠ ଯନ୍ତ୍ରୀ ପ୍ରତି ୨୪୦ ମିଟରକୁ ଗୋଟିଏ ଲେଖାଏଁ ଚ୍ୟାନେଜ କରି ମାପ ନେଇଛନ୍ତି ଏବଂ ପ୍ରତ୍ୟେକ ମାପରେ କେନାଲ ତଳ ଚଉଡା ୨୬ ଫୁଟ ଓ ଉପର ଭାଗ ଚଉଡା ୪୦ ଫୁଟ ଏବଂ ଗଭୀର ପୂର୍ବରୁ ଯେତିକି ଥିଲା, ତା'ଠୁ ଆଉ ଅଧିକ ୬ ଫୁଟ ଗଭୀର କରାଯାଇଛି। କିନ୍ତୁ ବାସ୍ତବ ସ୍ଥିତି ଦେଖିଲେ ସଂପୂର୍ଣ୍ଣ ଓଲଟା। ପୂରା ଛଅ କିଲୋମିଟର ଯାଏ ଆଖି ବୁଲାଇ ଆଣିଲେ କେନାଲର ଉପର ଭାଗ ଚଉଡ଼ା ଅତି ବେଶୀରେ ୨୦ଫୁଟ୍ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ କନିଷ୍ଠ ଯନ୍ତ୍ରୀଙ୍କ ମାପରେ ତାହା କିଭଳି ୪୦ଫୁଟ୍‌ ହେଇଗଲା ଏବଂ ଠିକାଦାରଙ୍କୁ ବିଲ୍‌ ଦେଇ ଦିଆଗଲା, ତାହା ଆଶ୍ଚର୍ଯ୍ୟଚକିତ କରୁଛି। ଏହା ସୂଚାଇ ଦେଉଛି ଯେ କେନାଲ୍‌ ପୁନରୁଦ୍ଧାର ନାଁରେ ଠିକାଦାରଙ୍କୁ ହାତ କରି ଯନ୍ତ୍ରୀ ମାନେ କେବଳ କୋଟି କୋଟି ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ରୂପାୟନ କ୍ଷେତ୍ରରେ କାଣ୍ଟଛାଣ୍ଟ କରୁନାହାନ୍ତି; ବରଂ ସ୍ବଚ୍ଛତାକୁ ବି ବଳି ପକାଇ ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି। ଅନ୍ୟପକ୍ଷରେ ଏ ସଂପର୍କରେ ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ବାଙ୍କବିହାରୀ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ମୋତେ ଆସି ଦେଖା କରି କର। ତା'ହେଲେ ଜେଇଙ୍କୁ ଡାକି ପଚାରିବି।  ଏହି ଘୋଟାଲାରେ ତଳୁ ଉପର ଯାଏଁ ସମସ୍ତେ ସାମିଲ ଥିବାରୁ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।