ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲୋୟରସୁକତେଲ ବୁଡ଼ିଅଞ୍ଚଳରେ ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ମିଳୁନାହିଁ। ଗଡ଼ଶଙ୍କର ଡୁଙ୍ଗୁରିପାଲି ବିସ୍ଥାପିତ ପରିବାରଙ୍କ ପାନୀୟଜଳ ଓ ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଛି। ସେଠାରେ ସେମାନଙ୍କ ମାନବାଧିକାରର ଉଲ୍ଲଂଘନ ହେଉଛି ବୋଲି ଅଭିଯୋଗ ହେଲା ପରେ ବିଶିଷ୍ଟ ପରିବେଶବିତ୍‌ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ସୋମବାର ଏହି ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କିଛିଲୋକ ଷ୍ଟେସନରେ ତାଙ୍କୁ ବାରଣ କଲା ପରେ ସେଠାରୁ ଫେରିଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ସାମନ୍ତରା ଏକ ପ୍ରେସ୍‌ ବିବୃତି ଜରିଆରେ କହିଛନ୍ତି ଯେ, ସେ ଟ୍ରେନ୍‌ରେ ବଲାଙ୍ଗୀର ଆସିବା ପୂର୍ବରୁ ତାଙ୍କ ସାଙ୍ଗରେ ଲୋୟରସୁକତେଲ ବୁଡ଼ିଅଞ୍ଚଳ ଯିବାକୁ ଥିବା ବଙ୍ଗୋମୁଣ୍ଡାର ସାମାଜିକ କର୍ମୀ ରାଜୀବ ସଗରିଆଙ୍କୁ ପାଟଣାଗଡ଼ ପୁଲିସ ଓ ବୁଡ଼ିଅଞ୍ଚଳର ସତ୍ୟ ବନଛୋରଙ୍କୁ ବଲାଙ୍ଗୀର ପୁଲିସ ଅଟକ ରଖିଥିଲା। ସେ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଲା ପରେ କିଛି ଅଜଣା ଯୁବକ ଲୋୟରସୁକତେଲ ବିସ୍ଥାପିତ ଲୋକ କହି ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ବୁଡ଼ିଅଞ୍ଚଳରେ ପ୍ରଶାସନ ବିସ୍ଥାପିତଙ୍କୁ ଠିକ୍‌ ଭାବରେ ଥଇଥାନ କରୁଛି। ତେଣୁ ସେ ବୁଡ଼ି ଅଞ୍ଚଳକୁ ଯିବା ଆବଶ୍ୟକ ନାହିଁ ବୋଲି ତାଙ୍କୁ ବାରଣ କରିଥିଲେ। ବିସ୍ଥାପିତ ନାମରେ ଫୁଲତୋଡ଼ା ଦେଇଥିବା ଯୁବକମାନଙ୍କୁ ସେ ଚିହ୍ନିନଥିଲେ କିମ୍ବା ଜାଣିନଥିଲେ ବୋଲି କହିଛନ୍ତି।

ବିସ୍ଥାପିତଙ୍କୁ ଠିକ୍‌ରେ ନ୍ୟାୟ ମିଳୁନଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର କଣ ମିଛ କି ବୋଲି ପ୍ରଶ୍ନ କଲେ ସେମାନେ ତାହାକୁ ଆଡ଼େଇ ଯାଉଥିଲେ ଓ କେବଳ ବୁଡ଼ିଅଞ୍ଚଳକୁ ନଯିବାକୁ ବାଧ୍ୟ କରିଥିଲେ ବୋଲି ଶ୍ରୀ ସାମସ୍ତରା କହିଛନ୍ତି। ସେମାନେ ତାଙ୍କୁ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରିନଥିଲେ ହେଁ ତାଙ୍କ କଥାବାର୍ତ୍ତା ଓ ବାରଣରୁ ଜଣାପଡୁଥିଲା ଯେ, ସେମାନେ ପ୍ରଶାସନ ପ୍ରାୟୋଜିତ ଲୋକ ହୋଇଥିବେ ବୋଲି ସେ କହିଛନ୍ତି। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେ ଫେରି ଯାଉଥିବା କହିଛନ୍ତି। କିନ୍ତୁ ବିସ୍ଥାପିତଙ୍କ ନ୍ୟାୟ ପାଇଁ ଲଢ଼େଇ ଚାଲୁରହିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ଏହି ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ସେ ଆଜିର ଘଟଣା ପରେ ପ୍ରଶ୍ନ କରିଛନ୍ତି ଯେ, ଯଦି ବିସ୍ଥାପିତଙ୍କୁ ଠିକ୍‌ରେ ପ୍ରଶାସନ କ୍ଷତିପୂରଣ ଦେଉଛି ଓ ଥଇଥାନ କରୁଛି ତାହେଲେ ବୁଡ଼ିଅଞ୍ଚଳକୁ ଲୋକ ଲଗାଇ ଯିବାକୁ ବାରଣ କରାଯାଉଛି କାହିଁକି? ପ୍ରଶାସନ ନିଶ୍ଚୟ କିଛି ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ।