ରାଇରଙ୍ଗପୁର: କରୋନା ମାଡ଼ରେ ସବୁଠୁ ଅଧିକ କ୍ଷତିରେ ପଡ଼ିଛନ୍ତି ଚାଷୀ। ଲକ୍ ଡାଉନ୍ ପାଇଁ ମୁକ୍ତ ବଜାରରେ ତାଲା ପଡ଼ିବା ପରେ ଫସିଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦା ଅଂଚଳର କ୍ୟାପ୍ସିକମ୍ ଚାଷୀ। ସାଧାରଣ ପନିପରିବା ସହିତ ଚଳିତ ବର୍ଷ ଅଢ଼େଇ ଏକର ଜମିରେ ସର୍ବେଶ୍ବର ବେହେରା କ୍ୟାପ୍ସିକମ୍ ଚାଷ କରିଥିଲେ। ଗତ ଫେବ୍ରୁଆରି୧୦ ତାରିଖରୁ କ୍ୟାପ୍ସିକମ୍ ଅମଳ ଆରମ୍ଭ ହୋଇଥିଲା। ଦିନକୁ ପାଖାପାଖି ୮/୧୦ କ୍ବିଣ୍ଟାଲ୍ କ୍ୟାପ୍ସିକମ୍ ଅମଳ ହେଉଥିଲା। ପ୍ରତି ଦୁଇ ଦିନ ଅନ୍ତରରେ ପଶ୍ଚିମବଙ୍ଗର ପାଂଶକୁଡ଼ା, ବାଲେଶ୍ବର ଓ ବାରିପଦା ଆଦି ବଜାରକୁ ଚାଲାଣ ହେଉଥିଲା। କିନ୍ତୁ ମାର୍ଚ୍ଚ ୨୪ ତାରିଖରେ ହଠାତ୍ ଲକ୍ ଡାଉନ୍ ଘୋଷଣା ହେବା ପରେ କ୍ୟାପ୍ସିକମ୍ ଚାଷୀଙ୍କ ମୁଣ୍ଡରେ ହଠାତ୍ ଚଡ଼କ ପଡ଼ିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାହାର ବଜାର ସବୁ ବନ୍ଦ ହୋଇଯିବା ପରେ କ୍ୟାପ୍ସିକମ୍ ଚାଷୀଙ୍କ କ୍ଷେତରେ ପଡ଼ି ପଡ଼ି ଷଢ଼ୁଛି। ଅଗ୍ରଣୀ ଚାଷୀ ସର୍ବେଶ୍ବର ମଣଦା ନିକଟସ୍ଥ ରାଧାନଗର ମୌଜାରେ ଜମି ଲିଜ୍ ନେଇ ପନିପରିବା ଚାଷ କରୁଥିବା ବେଳେ ଚଳିତ ବର୍ଷ କ୍ୟାପ୍ସିକମ୍ ଚାଷ କରିଥିଲେ। କିନ୍ତୁ କରୋନା ମାଡ଼ରେ ସର୍ବେଶ୍ବରଙ୍କ ପାଖାପାଖି ୧୫ଟନ୍ କ୍ୟାପ୍ସିକମ୍ ଜମିରେ ପଡ଼ି ନଷ୍ଟ ହେଲାଣି। ବଜାର ବନ୍ଦ ଥିବାରୁ ଗଛ ପାଇଁ ଖାଦ୍ୟସାର ଓ କୀଟନାଶକ ବ୍ୟବସ୍ଥା କରି ହେଉନାହିଁ। ଏପରିକି କ୍ଷେତରେ ପାଣି ମଡ଼ାଇବାକୁ ରହିଥିବା ଡିଜେଲ୍ ପମ୍ପ ମଧ୍ୟ ଅଚଳ ହୋଇପଡ଼ିଥିବାରୁ କ୍ଷେତ ସଂପୂର୍ଣ୍ଣ ଉଜୁଡ଼ିବାକୁ ବସିଲାଣି ବୋଲି ସର୍ବେଶ୍ବର କହନ୍ତି। ଏପରିକି ବାରିପଦା ବଜାରରେ ସରକାରୀ ନିୟମ କଡ଼ାକଡ଼ି ହେବାରୁ ଚାଷୀମାନଙ୍କ ଅମଳକୁ ବଜାରରେ ଉଚିତ ମୂଲ୍ୟ ମିଳୁନାହିଁ। ଖାଉଟି ମଧ୍ୟରେ କିଣାବିକା ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାରୁ ଏବେ କ୍ୟାପ୍ସିକମ୍ ବଜାରର ଚାହିଦା ହରାଇ ବସିଛି।
ସେହିପରି ବିଶୋଇ ବ୍ଲକର ରଳିଆବିନ୍ଧା ନିକଟସ୍ଥ ଚମ୍ବାଝରି ଗ୍ରାମର ଲାଲମୋହନ ବେହେରା ମଧ୍ୟ ଦୁଇ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରି ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବାହାର ରାଜ୍ୟ ଓ ଜିଲ୍ଲାର ବଜାର ସହ ସଂଯୋଗ କଟିବା ପରେ ଚାଷୀଙ୍କ ଉତ୍ପାଦ ପଚୁଥିବା ବେଳେ ପ୍ରଶାସନ ଏନେଇ ଚିନ୍ତା କରିବା ଜରୁରୀ ବୋଲି କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି। ଉଦ୍ୟାନକୃଷି ବିଭାଗର ପ୍ରୋତ୍ସାହନରେ କ୍ୟାପ୍ସିକମ୍ ଚାଷ ପ୍ରତି ଆଗ୍ରହ ବଳାଇଥିବା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଉକ୍ତ ଚାଷୀମାନଙ୍କ ଅବସ୍ଥା ବାବଦରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ କହିଛନ୍ତି। ଏବାବଦରେ ରାଇରଙ୍ଗପୁର ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ମାନସିଂ ସୋରେନଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ବାବଦରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।