ଧଉଳି:ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ହୁଣ୍ଡାଇ ସୋରୁମ ନିକଟରେ ଆଜି ସକାଳେ ଏକ ଦ୍ରୁତଗାମୀ କାର ରାସ୍ତାକଡ଼ରେ ଥିବା ଏକ ଦୋକାନ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୪ ଜଣ ଯୁବକ ଆହାତ ହୋଇଛନ୍ତି। କାହାର ମୁଣ୍ଡ ଫାଟି ଶରୀରରେ ଗଭୀର କ୍ଷତାକ୍ତ ହୋଇଛି ତ ଆଉ କାହାର ଗୋଡ଼ହାତ ଭାଙ୍ଗିଯାଇଛି। ତେବେ ଆହତମାନଙ୍କ ପରିଚୟ ଓ ଠିକଣା ରିପୋର୍ଟ ଲେଖାହେବା ବେଳକୁ ମିଳିପାରି ନାହିଁ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ କ୍ୟାବିନରେ ଥିବା ଦୋକାନୀ ବିଷ୍ଣୁ ଚରଣ ଭୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ହେଲେ କାର ଧକ୍କାରେ କ୍ୟାବିନ ସମ୍ମୁଖରେ ଥିବା ଝୁମ୍ପୁଡ଼ି ଟିଣ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ କ୍ୟାବିନ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ଦୁର୍ଘଟଣାରେ କାରଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ଦୁର୍ଘଟଣାରେ ତାଙ୍କର ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ବିଷ୍ଣୁ କହିଛନ୍ତି। ଖବର ପାଇ ଉତରା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିଛି। ସୂଚନା ମୁତାବକ ଆଜି ସକାଳ ସାଢ଼େ ୭ଟା ସମୟରେ ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଉକ୍ତ କାର ଭାରସାମ୍ୟ ହରାଇ ଏକ ଗଛରେ ପିଟିହେବା ପରେ ବିଷ୍ଣୁଙ୍କ ଦୋକନ ଆଡ଼କୁ ମାଡ଼ିଯାଇଥିଲା। ଫଳରେ ଟିଣ ଝୁମ୍ପୁଡ଼ି ପୂରା ଭାଙ୍ଗିଯାଇଥିଲା।