ଗଛକୁ ଧକ୍କା ଦେଲା କାର୍, ମହିଳା ଗୁରୁତର

ରିଆମାଳ: ରିଆମାଳ ଥାନା ଲୁଲଙ୍ଗ ପଞ୍ଚାୟତ ମହକୁମାରେ ରବିବାର ଅପରାହ୍ନରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ କାର୍‌ରେ ଯାଉଥିବା ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁସାରେ ଛତିଶଗଡ଼ର ବ୍ୟବସାୟୀ ବିଭୁତି ସରକାର, ପତ୍ନୀ ଜୟଶ୍ରୀ ସରକାର ଓ ଡ୍ରାଇଭର ଜଗଦୀଶ ଭୋଇଙ୍କ ସହ କାର୍‌ (ସିଜି ୧୨ଆର୍‌-୫୩୧୭) ନେଇ କୌଣସି କାର୍ଯ୍ୟରେ ଭୁବନେଶ୍ବର ଯାଇଥିଲେ।

ତେବେ ଆଜି ସେଠାରୁ ଫେରିବା ବେଳେ ଅନୁଗୁଳ-ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଲୁଲଙ୍ଗ ପଞ୍ଚାୟତ ଅଫିସ୍‌ ଠାରୁ ୧୦୦ ମିଟର ଦୂର ରାସ୍ତା କଡ଼ରେ ଥିବା ଏକ ଗଛକୁ ତାଙ୍କ କାର୍‌ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଏଥିରେ ଜୟଶ୍ରୀଙ୍କ ଅଣ୍ଟାରେ ମାଡ଼ ହେବା ସହ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତାବର ମେଡିକାଲ୍‌କୁ ନେଇଥିଲେ।

ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ବିଭୂତି ଓ ଗାଡ଼ି ଚାଳକ ଜଗଦୀଶ ସାମାନ୍ୟ ଆହତ ହୋଇଛନ୍ତି। ରିଆମାଳ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର