ଜୟପୁର: ଆଜି ଭୋର ୫ଟା ବେଳେ ନୂଆପଡାରୁ ୫ଜଣ ସାଙ୍ଗ ସ୍ବିଫ୍ଟ ଡିଜାୟର କାର ଯୋଗେ ଦେଓମାଳି ଯାଉଥିଲେ। ଜୟନ୍ତଗିରୀ ଗାଁ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରେ ମୁଖ୍ୟକେନାଲ ସମ୍ମୁଖରେ ହୋଇଥିବା ବିରାଟ ଗର୍ତ୍ତରେ କାରର ଚକ ପଡ଼ିଯିବା ଫଳରେ ଚାଳକ ଜଣକ ଭାରସାମ୍ୟ ହରାଇଥିଲା। ମୁଖ୍ୟକେନାଲ ଉପରେ ଥିବା ପୋଲର ୨ ପାର୍ଶ୍ବରେ ସୁରକ୍ଷାବାଡ଼ ନଥିବାରୁ କାରଟି କେନାଲ ମଧ୍ୟକୁ ଖସି ପଡ଼ିଥିଲା। ତେବେ ଭାଗ୍ୟବଶତଃ ସବୁ ବଂଚିଯାଇଛନ୍ତି। ବୋରିଗୁମ୍ମା ଥାନା ପୁଲିସ ଓ ଗ୍ରାମବାସୀମାନେ ପରେ କାରକୁ କେନାଲରୁ ବାହାରକୁ ବାହାର କରିଥିଲେ।
ସୂଚନା ଅନୁଯାୟୀ, ନୂଆପଡାରୁ ଟିନକ କୁମାର ସାହୁ ଓ ଅନ୍ୟ ୪ ଜଣ ବନ୍ଧୁ ପିକନିକ୍ ପାଇଁ ଏକ ସୁଇଫଟ୍ ଡିଜାୟର କାର ଯୋଗେ ଦେଓମାଳି ଯାଉଥିଲେ। ଜୟନ୍ତଗିରୀ ଗାଁ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ମୁଖ୍ୟକେନାଲ ସମ୍ମୁଖରେ ହୋଇଥିବା ବିଶାଳ ଗର୍ତ୍ତରେ କାରର ଚକଟି ପଡ଼ିଯାଇଥିଲା। ଗାତରେ ପଡ଼ିବା ଫଳରେ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ। ମୁଖ୍ୟକେନାଲ ଉପରେ ଥିବା ପୋଲର ୨ ପାର୍ଶ୍ବରେ ସୁରକ୍ଷାବାଡ଼ ନଥିବାରୁ କାରଟି କେନାଲ ମଧ୍ୟକୁ ଖସିଥିଲା। ତେବେ କାରର କବାଟ ଖୋଲିବା ସହ ୫ଜଣ ଯାକ ପହଁରି ପହଁରି ବାହାରକୁ ବାହାରିଥିଲେ। ଏ ନେଇ ବୋରିଗୁମ୍ମା ପୁଲିସ ସୂଚନା ପାଇବାପରେ କ୍ରେନ୍ ଆଣି ଗ୍ରାମବାସୀଙ୍କ ସହଯୋଗରେ କାରକୁ ବାହାରକୁ କାଡ଼ିଥିଲେ। ପୋଲ ନିକଟରେ ଥିବା ବିଶାଳ ଗର୍ତ୍ତ ଯୋଗୁଁ ସବୁ ଦିନ ଦୁଇରୁ ତିନୋଟି ଛୋଟ ବଡ ଦୁର୍ଘଟଣା ହେଉଥିବା ଗ୍ରାମବାସୀମାନେ କହିଛନ୍ତି।
ପ୍ରକାଶ ଯୋଗ୍ୟ, ଗତ ୫ବର୍ଷ ତଳେ ବାରିଣୀପୁଟ-ବୋରିଗୁମ୍ମା ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିବାବେଳେ ଏ ଯାଏଁ ଏହା ସରିବା ନାଁ ନେଉନି। ୨୬କିଲୋମିଟର ରାସ୍ତା ମଧ୍ୟରେ ୫ଟି ପୋଲ କରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିଲା। ଏଥିରୁ ଜୟନ୍ତଗିରୀ ମୁଖ୍ୟ କେନାଲ ଉପରର ପୋଲ ନିର୍ମାଣ କରିବ ନାହିଁ ବୋଲି ଠିକା ସଂସ୍ଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟକୁ ଜଣାଇଛି। ଏହି ପୋଲ ହିଁ ନୁହେଁ ଏହା ସହ ଅନ୍ୟ ୪ଟି ମଧ୍ୟରୁ ବାରିଣୀପୁଟ ଓ କୁମୁଲିପୁଟ ନିକଟସ୍ଥ ୨ଟି ପୋଲର କାମ ସରିଥିବା ବେଳେ ଉମୁରୀ ନିକଟ ପୋଲର କାମ ଶେଷ ପର୍ଯ୍ୟାୟରେ ରହିଛି। ରଣ୍ଡାପାଲ୍ଲୀ ନିକଟ ପୋଲ କାମ ୫ବର୍ଷ ସରି ଆସୁଥିବାବେଳେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଅପରପକ୍ଷରେ ଉମୁରୀ ପୋଲର ଗୋଟିଏ ପାର୍ଶ୍ବର ଆପ୍ରୋଚ ରାସ୍ତାରୁ ମାଟି ଧସୁଥିବା ଦେଖିବାକୁ ମିଳିଛି। କୁମୁଲିପୁଟ ପୋଲର ଆପ୍ରୋଚ ରାସ୍ତାର ଅବସ୍ଥା ନ କହିବା ଭଲ। ଏବେ ଠାରୁ ଛୋଟ ବଡ ଗର୍ତ୍ତ ହୋଇଯାଇଛି। ପୁରୁଣା ରାସ୍ତା ସହ ନୂଆ ରାସ୍ତା ସମତୁଲ ନଥିବାରୁ ଛୋଟ ବଡ ଦୁର୍ଘଟଣା ହେଉଛି। ଉମୁରୀ ପୋଲ ନିକଟରେ ଗତ ୮ମାସ କାମ ସରୁନଥିବା ବେଳେ ଏଠାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ହେବା ନିୟମିତ ହୋଇଯାଇଛି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।