ବାହା ଘରକୁ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ; ୮ ଯାତ୍ରୀ ଆହତ ଓ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମର ତାରିଣୀ ମନ୍ଦିର ସମ୍ମୁଖରେ ଦ୍ରୁତଗତିରେ ଯାଉଥିବା କାରଟି ରାସ୍ତା କଡ଼ରେ ଓଲଟି ପଡ଼ିବାରୁ କାର ଭିତରେ ଥିବା ସମସ୍ତ ୮ ଜଣ ଯାତ୍ରୀ ଆହତ ହେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ପୁରୁଷ ଥିବା ବେଳେ ୨ଜଣ ମହିଳା ଓ ୨ଜଣ ଶିଶୁ ଅଛନ୍ତି।

କାରଟି ଡାବୁ ଗାଁ ନିକଟସ୍ଥ ଜବାଗୁଡାରୁ ରାଇଘର ନିକଟସ୍ଥ ଭାରଶୁନ୍ଦୀ ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲା। କିନ୍ତୁ ବେହେଡାଠାରେ ଥିବା ତାରିଣୀ ମନ୍ଦିର ସମ୍ମୁଖରେ ଏକ ଖାଲକୁ କାଟିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡ଼ି ଗୋଟିଏ ଗଛରେ ଯାଇ ପିଟି ହୋଇଥିଲା। ଏହି ହୁଣ୍ଡାଇ କାରରେ ଡ୍ରାଇଭର ସମେତ ୮ ଜଣ ଥିଲେ। କାରଟି ପ୍ରାୟ ୯୦ ସ୍ପିଡରେ ଥିବାରୁ ଦୁର୍ଘଟଣା ଘଟିଲା ବୋଲି ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ସୂଚନା ଦେଇଛନ୍ତି।

ଖବର ପାଇ ଉମରକୋଟ ଥାନା ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ପଠାଇଥିଲେ। ଆହତମାନେ ହେଲେ ଜଗନ୍ନାଥ ହରିଜନ (୩୨), ରତନ ହରିଜନ (୪୫), ଡ୍ରାଇଭର ସୁବାସ ହରିଜନ (୨୩), ଦିବାକର ହରିଜନ (୨୧) , ଡସନି ହରିଜନ (୨୧), ରଶ୍ମିତା ହରିଜନ (୨୦)  ଓ ୨ ଜଣ ଶିଶୁ ଅଛନ୍ତି।

ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିବା ଡାକ୍ତର ସବ୍ୟସାଚୀ ଦାସଙ୍କ କହିବା ଅନୁଯାୟୀ ରତନଙ୍କୁ ଟିକେ ଅଧିକ ମାଡ଼ ବାଜିବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।   ଅନ୍ୟ ୭ ଜଣ ସାମାନ୍ୟ ଆହତ ହେଇଛନ୍ତି। ପୁଲିସ କାରଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର