ଧକ୍କା ହେବା ପରେ ନଦୀରେ ପଡିଲା କାର ଓ ଅଟୋ: ଜଣେ ମୃତ, ଏକାଧିକ ନିଖୋଜ

ନନ୍ଦପୁର: କୋରାପୁଟ ଜିଲ୍ଳା ପାଡୁଆ ଥାନା ଅନ୍ତର୍ଗତ ଦାର୍ଲିପୁଟ ନିକଟରେ ଆଜି ସନ୍ଧ୍ୟାରେ ଏକ କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଗଳି ପଡିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଏକାଧିକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲାବେଳେ ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ।

ଆଜି ସନ୍ଧ୍ୟା ସମୟରେ ଆରକୁ ଅଂଚଳରୁ ଏକ ଅଟୋ ପାଡୁଆକୁ ଆସୁଥିଲା। ଏପଟେ ପାଡୁଆରୁ ଆନ୍ଧ୍ର ଆଡକୁ ଗୋଟିଏ କାର ଯାଉଥିଲା। ପାଡୁଆ ନିକଟସ୍ଥ ଦାର୍ଲିପୁଟ ପାଖରେ ଏହି ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲେ। ପରେ ଗାଡି ଦୁଇଟି ଭାରସାମ୍ୟ ହରାଇ ପାତାଳୀ ନଦୀରେ ପଡି ଯାଇଥିଲେ। ଅଟୋରେ ବସିଥିବା ୪ ଜଣ ନଦୀରୁ ପହଁରି ପହଁରି ବାହାରି ଆସିଥିଲା ବେଳେ କାରରେ ଥିବା ଲୋକ ବାହାରି ପାରି ନ ଥିଲେ। ପରେ ସ୍ଥାନୀୟ ଲୋକେ ଜଣେ ବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କାର୍‌ରେ ବସିଥିବା ଅନ୍ୟମାନଙ୍କୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଅଗ୍ନିଶମ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ମଧ୍ୟ କାହାକୁ ଉଦ୍ଧାର କରାଯାଇପାରିନାହିଁ। ସେହିପରି ମୃତକଙ୍କ ପରିଚୟ ମଧ୍ୟ ମିଳିନି।

 

ସମ୍ବନ୍ଧିତ ଖବର

Comments are closed.