ଦେବଗଡ଼: ଦେବଗଡ଼ ଥାନା ବାଲିପସି ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ସନ୍ଧ୍ୟାରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଭୂଷଣ କମ୍ପାନିରେ କାର୍ଯ୍ୟ କରୁଥିବା ୧୦ କର୍ମଚାରୀ ଆଜି ବଣଭୋଜି ପାଇଁ ଏକ କାର୍ରେ ଦେବଗଡ଼ ପ୍ରଧାନପାଟକୁ ଆସି ସନ୍ଧ୍ୟାରେ ଫେରୁଥିଲେ। ଦେବଗଡ଼ ଥାନା ଅନ୍ତର୍ଗତ ବାଲିପସି ଗ୍ରାମ ନିକଟରେ ଏକ ମାଲ ବୋଝଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ କାର୍ରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ ଓ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକ କାର୍ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଥିବା ସାନି ପାଣ୍ଡେ, ଯୋଗେନ୍ଦ୍ର କୁମାର, କ୍ରିଷ୍ଣା କୁମାର, ବାବୁଲାଲ ଚନ୍ଦ୍ର ବଂଶୀ, ରାଜେଶ କୁମାର, ସଂଜୟ କୁମାର, ଓ ଲକ୍ଷ୍ମଣ କୁମାରଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦେବଗଡ଼ ଥାନା ପୁଲିସ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dgh.jpg)